ବିଶ୍ୱାସର ପର୍ବ ‘ବାହାବଙ୍ଗା’
ପ୍ରକୃତିର ପୂଜକ ଭାବେ ଆଦିବାସୀଙ୍କୁ ବିବେଚନା କରାଯାଏ । ଜଙ୍ଗଲକୁ ସେମାନେ ତାଙ୍କର ଠାକୁର ମାନୁଥିବା ବେଳେ ଏମାନଙ୍କର ପୂଜା ପାର୍ବଣ, ସଂସ୍କୃତି ଓ ପରମ୍ପରା ମଧ୍ୟ ନିଆରା । ଆଦିବାସୀଙ୍କ ମଧ୍ୟରେ ଥିବା ସାନ୍ତାଳ ସମ୍ପ୍ରଦାୟଙ୍କର ପ୍ରମୁଖ ପର୍ବ ମଧ୍ୟରେ ଫଗୁଣ ମାସରେ ପାଳିତ ହେଉଥିବା ‘ବାହାବଙ୍ଗା’ ବା ବାହା ପରବ ଅନ୍ୟତମ । ବିଶ୍ୱାସ ଅଛି ଏହି ପର୍ବରେ ଯାହା ମନାସାଯାଏ ତାହା ପୁରଣ ହୁଏ । ଏହି କ୍ରମରେ ପ୍ରତିବର୍ଷ ପରି ଟମକା ଅଞ୍ଚଳରେ ମଧ୍ୟ ଏହାକୁ ବହୁ ଧୂମ୍ଧାମ୍ରେ ପାଳନ କରାଯାଏ । କିଆଝର ପଞ୍ଚାୟତର ଚମ୍ପାଝର, ବୁରୁଡିସାହି, ଇଟାଝର, ଟୁଙ୍ଗେଇଶୁଣି, ଚହଲାପଦା, ଧୂଳିଆପଶି, ତରାଝର, ବେଲବାହାଳି ଅଞ୍ଚଳରେ ଏହି ପର୍ବ ପାଳନ କରାଯାଉଥିବା ଦେଖିବାକୁ ମିଳେ । ସେହିପରି ଭାବେ ଏହି ଅଞ୍ଚଳରେ ଥିବା ଅନ୍ୟ ସାନ୍ତାଳ ଗ୍ରାମରେ ମଧ୍ୟ ଏହି ପର୍ବ ଏକ ପ୍ରମୁଖ ପର୍ବ ଭାବେ ପାଳନ କରାଯଏ । ଉକ୍ତ ସମୟରେ ଏହି ଗ୍ରାମ ଗୁଡିକ ଉତ୍ସବ ମୁଖର ହୋଇପଡୁଥିବା ଦେଖବାକୁ ମିଳେ । ଫଗୁଣ ମାସ ଆରମ୍ଭରେ ଏହି ବାହାବଙ୍ଗା ପର୍ବକୁ ପାଳନ କରାଯାଏ । ଜଙ୍ଗଲ ମଧ୍ୟରେ ଅବସ୍ଥାପିତ ଜାହେରା(ଶାଳ)ରେ ଏହି ପୂଜାର୍ଚ୍ଚନା କରାଯାଏ । ପତ୍ରଝଡା ପରେ ଜଙ୍ଗଲରେ ଗଛରେ ନୂଆ ପତ୍ର ଆସି ଫୁଲ ଫୁଟିବା ପରେ ଏହାର ପାଳନ କରାଯାଏ । ବିଶେଷ କରି ଶାଳ ଓ ମହୁଲ ଫୁଲକୁ ଭୋଗ ହିସାବରେ ଏଥିରେ ଗ୍ରହଣ କରାଯାଏ । ଗ୍ରାମବାସୀ ମାନେ ନିଜର ପାରମ୍ପରିକ ବେଶଭୂଷା ପରିଧାନ କରି ପ୍ରଥମେ ଗାଁର ନାଇକେ ବାବା (ପୂଜକ)ଙ୍କ ଘରକୁ ଯାଇ ମାଦଳ ବାଜାର ତାଳେ ତାଳେ ତାଙ୍କୁ ଜାହେରା ସ୍ଥାନକୁ ପାଛୋଟି ନିଅନ୍ତି । ସେଠାରେ ବାବା କୂଲାରେ ତୋଳା ହୋଇଥିବା ଶାଳ ଓ ମହୁଲ ଫୁଲକୁ ଭୋଗ ଲଗାନ୍ତି । ପରେ ଉପସ୍ଥିତ ଗ୍ରାମବାସୀଙ୍କୁ ପ୍ରଦାନ କରିବା ପରେ ପୁରୁଷ ମହିଳା ସମସ୍ତେ ମିଶି ଏହାକୁ ଭୋଗ ଭାବେ ଗ୍ରହଣ କରନ୍ତି । ଏହି ଫୁଲକୁ ମଧ୍ୟ ଉକ୍ତ ଦିନ କାନ ଓ ମୁଣ୍ଡରେ ଆଭୁଷଣ ଭାପେ ଅନେକ ପରିଧାନ କରନ୍ତି । ବିଶେଷ କରି ଏହି ଜାହେରା ସ୍ଥାନରେ ଅନେକ ମାନସିକଧାରୀ ନିଜର ମାନସିକ କରିଥାନ୍ତି । ଯାହାପାଇଁ ମାନସିକଧାରୀଙ୍କ ଭିଡ ମଧ୍ୟ ଏଠାରେ ପରିଲକ୍ଷିତ ହୁଏ । ଏଠାରେ ମାନସିକ କରିଲେ ତାହା ପୁରଣ ହୁଏ ବୋଲି ବହୁ କାଳରୁ ଏକ ପରମ୍ପରା ମଧ୍ୟ ରହିଛି । ଯାହା ଫଳରେ ଗାଁ ଓ ଗ୍ରାମବାସୀ ମାନେ ସମସ୍ତେ ଭଲରେ ରୁହନ୍ତି ବୋଲି ଏକ ବିଶ୍ୱାସ ମଧ୍ୟ ରହିଛି । ପୂଜାର୍ଚ୍ଚନା ପରେ ସମସ୍ତେ ନିଜର ପାରମ୍ପରିକ ବାଦ୍ୟର ତାଳେ ତାଳେ ନୃତ୍ୟଗିତ କରନ୍ତି । ପରେ ଏହି ଜାହେରା ନିକଟସ୍ଥ ପଡିଆରେ ସମସ୍ତେ ସାଙ୍ଗ ହୋଇ ରୋଷେଇ ହୋଇଥିବା ଖାଦ୍ୟ ଖାଆନ୍ତି । ସରିବା ପରେ ବାବାଙ୍କୁ ପୁନଃ ସମସ୍ତେ ନାଚଗୀତ କରି ପାଛୋଟି ନେଇ ତାଙ୍କ ଘର ନିକଟରେ ଛାଡି ମଧ୍ୟ ଆସିବାର ପରମ୍ପରା ରହିଛି । ଏହି ପୂଜା ପରେ ହିଁ ଲୋକମାନେ ଜଙ୍ଗଲକୁ ଯାଇକି ଜଙ୍ଗଲ ଜାତୀୟ ଦ୍ରବ୍ୟ , ଫଳମୂଳ ସଂଗ୍ରହ କରି ପାରିବେ ବୋଲି ମଧ୍ୟ ବିଧି ରହିଛି । କଥାରେ ଅଛି ବିଶ୍ୱାସରେ ବସନ୍ତି ହରି ଆଉ ଏହାକୁ ପାଥେୟ କରି ଏହି ସମ୍ପ୍ରଦାୟ ନିଜର ଏହି ପରମ୍ପରାକୁ ବଜାୟ ରଖିଥିବା ବେଳେ ଏହି ବାହାବଙ୍ଗା ପର୍ବ ତାଙ୍କ ପାଇଁ ଆଶା ବିଶ୍ୱାସ ଓ ଭରଷାର ପର୍ବ ବୋଲି ଅନେକ ମତବ୍ୟକ୍ତ କରନ୍ତି ।