ଛାତ୍ରୀ ନିବାସ ଦାୟିତ୍ୱରେ ଶିକ୍ଷକ
କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ ଅଧିନସ୍ଥ ବିଭିନ୍ନ ଛାତ୍ରୀନିବାସରେ ନାମକୁ ମାତ୍ର ଶିକ୍ଷୟିତ୍ରୀଙ୍କୁ ସହକାରୀ ପରିଚାଳିକା ରଖାଯାଇଥିବା ବେଳେ, ବାସ୍ତବରେ ପୁରୁଷ ଶିକ୍ଷକମାନେ ଏହାର ସମସ୍ତ ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି । ସ୍କୁଲ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଅଧିକାଂଶ ଛାତ୍ରୀନିବାସରେ ଏପରି ଅବସ୍ଥା ଦେଖିବାକୁ ମିଳୁଛି । ସଠିକ୍ ତଦାରଖ ଅଭାବରୁ ଏପରି ଅବ୍ୟବସ୍ଥା ହେଉଛି । ନିୟମ ଅନୁଯାୟୀ ଛାତ୍ରୀନିବାସ ଶିକ୍ଷୟିତ୍ରୀଙ୍କ ଦ୍ୱାରା ରୋଟେସନ ଅନୁଯାୟୀ ପରିଚାଳନା କରିବାକୁ ଥିବାବେଳେ, ପ୍ରଧାନଶିକ୍ଷକ ନିଜେ ଛାତ୍ରୀ ନିବାସ ପରିଚାଳନା କରୁଛନ୍ତିି । ଫଳରେ ଛାତ୍ରୀଙ୍କୁ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଛାତ୍ରୀନିବାସ ଥାଇ ଶିକ୍ଷୟିତ୍ରୀ ନଥିବେ ଅନ୍ୟ ବିଦ୍ୟାଳୟରୁ ଡେପୁଟେସନରେ ସେହି ବିଦ୍ୟାଳୟକୁ ଶିକ୍ଷୟିତ୍ରୀ ନିଆଯାଇ ଛାତ୍ରୀ ନିବାସ ପରିଚାଳନା ଦାୟିତ୍ୱ ଦିଆଯିବାର ନିୟମ ରହିଛି । କୌଣସି ଛାତ୍ରୀନିବାସ ଥିବା ସ୍କୁଲରେ ଜଣେ ସହକାରୀ ଶିକ୍ଷୟିତ୍ରୀ ଥିଲେ ସେ ବର୍ଷ ସାରା ଛାତ୍ରୀନିବାସ ପରିଚାଳନା କରିବା କଥା । କିନ୍ତୁ ଏହାର ବ୍ୟତିକ୍ରମ ଅନେକ ବିଦ୍ୟାଳୟରେ ଦେଖିବାକୁ ମିଳୁଛି । କେତେକ ଛାତ୍ରୀନିବାସରେ ପରିଚାଳନା ଦାୟିତ୍ୱ ଖାତା କଲମରେ ଶିକ୍ଷୟିତ୍ରୀଙ୍କୁ ଦେଇ ସମସ୍ତ ଦାୟିତ୍ୱ ପୁରୁଷ ପ୍ରଧାନଶିକ୍ଷକମାନେ ତୁଲାଉଛନ୍ତି । ପ୍ରଧାନଶିକ୍ଷକ ମଧ୍ୟ ସ୍କୁଲରେ ନ ରହି ମାଟ୍ରନ ଏବଂ ସିସିଏଙ୍କ ହାତରେ ଛାତ୍ରୀଙ୍କ ସମସ୍ତ ଦାୟିତ୍ୱ ଦେଇ ନିଜ ଘରକୁ ପଳାଉଛନ୍ତି । ସହକାରୀ ଶିକ୍ଷୟିତ୍ରୀଙ୍କ ନାମରେ କାଗଜକଲମରେ କେବଳ ଦାୟିତ୍ୱ ଦିଆଯାଇଥିବାରୁ ସେମାନେ ମଧ୍ୟ ସ୍କୁଲରେ ରହୁନଥିବା ଦେଖାଦେଇଛି । କେତେକ ବିଦ୍ୟାଳୟରେ ଶିକ୍ଷୟିତ୍ରୀମାନଙ୍କୁ ରହିବା ପାଇଁ ପ୍ରଧାନ ଶିକ୍ଷକମାନେ ବାଧ୍ୟ କରୁଛନ୍ତି ଫଳରେ ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇ ବିଦ୍ୟାଳୟର ପାଠପଢା ଏବଂ ପରିଚାଳନାରେ ତ୍ରୁଟି ଦେଖାଦେଉଛି । ମଙ୍ଗଳ ସଂପ୍ରସାରଣ ଅଧିକାରୀ ଛାତ୍ରୀନିବାସ ଗୁଡିକୁ କେବଳ ଉପର ଠାଉରିଆ ପରିଦର୍ଶନ କରି ତାଙ୍କ ଦାୟିତ୍ୱ ଶେଷ କରୁଥିବା ଜଣାପଡିଛି । ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଏହାର ନିରପେକ୍ଷ ତଦନ୍ତ କରି ଛାତ୍ରୀନିବାସ ପରିଚାଳନାରେ ତ୍ରୁଟି ଥିବା ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଛାତ୍ରୀ ନିବାସଗୁଡିକୁ କେବଳ ଶିକ୍ଷୟିତ୍ରୀଙ୍କ ଦ୍ୱାରା ପରିଚାଳନା କରିବାକୁ ପଦକ୍ଷେପ ନେବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି । ଏ ନେଇ ସଦର ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶରତ ମଲ୍ଲିକଙ୍କ ସହ ଯୋଗଯୋଗ କରିବାରୁ ଏପରି ବେନିୟମ ନିଷ୍ପତ୍ତିର ଅଭିଯୋଗ ଆସିଲେ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।