ଛାତ୍ରୀ ପୋଡ଼ି ମାମଲା : ରହସ୍ୟ ଖୋଲିବ କି ସିସି କ୍ୟାମେରା?
ପଟ୍ଟାମୁଣ୍ଡାଇ/କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କାଠିଆପଡା ଛାତ୍ରୀ ପୋଡି ଘଟଣାରେ ବଢୁଛି ସସ୍ପେନ୍ସ । ଛାତ୍ରୀ ମୃତୁ୍ୟ ଘଟଣାରେ ପୁଲିସକୁ ମିଳିଛି ନୂଆ ସୁରାକ । ଘଟଣାର ୪ ଦନି ପରେ ହାତ ଖାଲିକରି ବସିଥିବା ପୁଲିସକୁ ମିଳିଛି ଏହି ସୁରାକ । ଶନିବାର କେନ୍ଦ୍ରାପଡା ଏସ୍ପି ତଥା ଘଟଣାର ତଦନ୍ତକାରୀ ଅଧିକାରୀ ସିଦ୍ଧାର୍ଥ କଟାରିଆ ପୁର୍ନବାର କାଠିଆପଡାରେ ପହଞ୍ଚି ତଦନ୍ତ କଲାବେଳେ ନିଜ ପ୍ରତିକ୍ରିୟାରେ ଏକଥା କହିଛନ୍ତି । ତେବେ ମୃତା ଛାତ୍ରୀଙ୍କ ପଡୋଶୀଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାକୁ ନେଇ ସୃଷ୍ଟି ହୋଇଛି ସସ୍ପେନ୍ସ । ପୁଲିସ ବାରମ୍ବାର ସେହି ସିସି କ୍ୟାମେରା ପାଖକୁ ଫେରୁଛି । ତେଣୁ ଏଥିରୁ ଆଶଙ୍କା କରାଯାଉଛି ସିସି କ୍ୟାମେରାରେ ହିଁ ସତ ଲୁଚି ରହିଛି । ଯାହା ଛାତ୍ରୀଙ୍କ ମୃତୁ୍ୟ ଉପରୁ ପରଦା ଉଠାଇବ । ଏହା ଆତ୍ମହତ୍ୟା କି ହତ୍ୟା । ଅପରପକ୍ଷରେ ଘଟଣାର ୪ ଦିନ ପରେ ଛାତ୍ରୀଙ୍କ ବାପା ଆଜି ପୁରୁଷ ବନ୍ଧୁଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି । ପୁରୁଷ ବନ୍ଧୁ ପଟ୍ଟାମୁଣ୍ଡାଇ ବ୍ଲକ ବିଲିକଣା ପଂଚାୟତ ତେରୋହୀ ଗ୍ରାମର ପ୍ରମୋଦ ବେହେରାଙ୍କ ମାନସିକ ନିର୍ଯାତନାରୁ ଝିଅର ମୃତୁ୍ୟ ହୋଇଥିବା ଏତଲାରେ ଦର୍ଶାଯାଇଛି । ଏନେଇ ସୂଚନା ଦେଇଛନ୍ତି ଏସପି ଶ୍ରୀ କଟାରିଆ । କିନ୍ତୁ ଗତକାଲି ପରି ଆଜି ବି ପୁଲିସ କହିଛି ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ତଦନ୍ତ ଆଗକୁ ବଢିବ । ଏହି ଏତଲା ପରେ ପୁଲିସ ୨୮୪/୨୫ରେ ଏକ ମାମଲା ରୁଜୁ କରିଛି । ବିଏନଏସ ୨୯୬, ୭୫, ୭୮, ୧୦୮, ୬୬ଇ, ୬୭ଏ ଦଫା ଲାଗୁ ହୋଇଛି ।
ଶନିବାର ଏସ୍ପି ସିଦ୍ଧାର୍ଥ କଟାରିଆ ନିଜେ ସିସି କ୍ୟାମେରା ତନତନ କରି ଦେଖିଛନ୍ତି । ମୃତା ଛାତ୍ରୀଙ୍କ ବାପା- ମା’ ଘଟଣା ଦିନ କେତେବେଳେ ଘରୁ ବାହାରି ପଟ୍ଟାମୁଣ୍ଡାଇ ଯାଇଥିଲେ ଏବଂ କେତେବେଳେ ଫେରି ଆସିଥିଲେ ସେନେଇ ପୁଲିସର ଦ୍ୱନ୍ଦ୍ୱ ରହିଛି । ଏହି ସିସି କ୍ୟାମେରା ହିଁ ସେହି ଦ୍ୱନ୍ଦ୍ୱ ଉପରୁ ପରଦା ଉଠାଇବାରେ ସକ୍ଷମ ହେବ । ଏବେ ସିସି କ୍ୟାମେରା ସାମ୍ନାକୁ ଆସିବା ପରେ ସାଧାରଣରେ ନାନା ପ୍ରଶ୍ନ ମୁଣ୍ଡ ଟେକିଛି । ବାପା, ମା’ ନିଜ ବୟାନରେ କହିଥିବା ସମୟ ଓ ସିସି କ୍ୟାମେରାରେ ରେକର୍ଡ ହୋଇଥିବା ସମୟରେ କିଛି ରହିଛି ଅସାମ୍ୟଞ୍ଜସ୍ୟ । ବାପା, ମା’ ଗୋଟେ କଥା କହିଥିବା ବେଳେ ସିସି କ୍ୟାମେରାରେ କିଛି ଭିନ୍ନ ଘଟଣା ରେକର୍ଡ ହୋଇଛି କି ? ନା ପୁଲିସ ସିସି କ୍ୟାମେରାରେ ପାଇଛି ଛାତ୍ରୀ ଆତ୍ମହତ୍ୟା ନେଇ କିଛି ଚମକାଇ ଦେବା ଭଳି ପ୍ରମାଣ । ଏସବୁ ଉପରେ ଚାଲିଛି ପୁଲିସର ଖୋଳତାଡ । ମୃତା ଛାତ୍ରୀଙ୍କ ତଥାକଥିତ ପୁରୁଷ ବନ୍ଧୁଙ୍କ ପରିବାର ଗଣମାଧ୍ୟମରେ ଦେଇଥିବା ବୟାନ ଏବେ ପୁଲିସ ପାଇଁ ତଦନ୍ତର ଆଉ ଏକ ଦିଗ ଖୋଲି ଦେଇଛି । ପୁରୁଷ ବନ୍ଧୁଙ୍କ ପରିବାର ମୃତା ଛାତ୍ରୀଙ୍କ ପରିବାର ଉପରେ ପାଲଟା ଅଭିଯୋଗ କରିଛନ୍ତି । ତାହା ପୁଣି ଖୁବ ସଙ୍ଗୀନ ଅଭିଯୋଗ । ଛାତ୍ରୀକୁ ପରିବାର ଲୋକେ ମାନସିକ ତଥା ଶାରୀରିକ ନିର୍ଯାତନା ଦିଅନ୍ତି ବୋଲି କହିଛନ୍ତି ପୁରୁଷ ବନ୍ଧୁଙ୍କ ପରିବାର ଲୋକେ । ଖାଲି କ’ଣ ସେତିକି, ନିଜ ପରିବାର ଲୋକଙ୍କ ଠାରୁ ମାଡ ଗାଳି ଖାଇବା ପରେ ଛାତ୍ରୀ ଜଣକ ଏ କଥା ପୁରୁଷ ବନ୍ଧୁଙ୍କ ପରିବାରକୁ ଫୋନ୍ ଯୋଗେ କହିଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି । ଦୁଇ ଦିନ ହେଲା କେନ୍ଦ୍ରାପଡ଼ା ଏସ ପି ପୁଲିସ ଓ ସାଇଣ୍ଟି ଫିକ ଟିମ ଧରି ଘଟଣାର ତନାଘନା କରୁଛନ୍ତି । ଛାତ୍ରୀ ପୋଡି ହୋଇ ଥିବା ସିଡ଼ି ଘର, ସିଡ଼ି ଘର ନିକଟରେ ରୋଷଇ ଘର, ଛାତ ଉପର ଗ୍ରିଲ ଓ ସର୍ବୋପରି ଛାତ୍ରୀ ମୃତୁ୍ୟବେଳେ ଭିତରୁ ବନ୍ଦ ଥିବା ଘରର ମୁଖ୍ୟ କବାଟ ଖୋଲି ପରୀକ୍ଷା ନିରୀକ୍ଷା କରୁଛନ୍ତି । ମୃତା ଛାତ୍ରୀଙ୍କ ପିତା ମାତାଙ୍କୁ ଘନ ଘନ ଜେରା କରୁଛି ଓ ସେ ପଟେ ଚେନାଇରୁ ପୁଲିସ ଉଠାଇ ଆଣି ଥିବା ମୃତା ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଅଜଣା ଜାଗାରେ ରଖି ଜେରା କରୁଛି । ତଦନ୍ତ ପ୍ରକ୍ରିୟାକୁ ଚୂଡାନ୍ତ ରୂପ ଦେବା ପାଇଁ ଆଜି ସନ୍ଧ୍ୟାରେ ପୁଲିସ ଆତ୍ମାହୁତି ଦେଇଥିବା କଲେଜ ଛାତ୍ରୀ ପି ଡି ସଂଗୀତାଙ୍କ ବାପା ଶଶିକାନ୍ତ ପରିଡା ଓ ଏକମାତ୍ର ଭାଇକୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାକୁ ଡାକି ପଚରା ଉଚରା ଜାରି ରଖିଛନ୍ତି ।..