‘ଜଙ୍ଗଲ ଅଧିକାର ଆଇନକୁ ଉଲ୍ଲଂଘନ କରୁଛି ଭିଏସ୍ଏସ୍’

ନବରଙ୍ଗପୁର:  ଜଙ୍ଗଲ ଅଧିକାର ଆଇନକୁ ଜାଣି ଶୁଣି କାର୍ଯ୍ୟକାରୀ କରୁନି ବନବିଭାଗ । ବନ ଅଧିକାର କମିଟିକୁ ଅଖଣ୍ଡ କ୍ଷମତା ମିଳିଛି । କିନ୍ତୁ ବନ ସୁରକ୍ଷା ସମିତି ଓ ବନ କର୍ମଚାରୀଙ୍କ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଜଙ୍ଗଲ ଅଧିକାର ଆଇନ ଉଲ୍ଲଂଘନ କରାଯାଉଛି । ସ୍ଥାନୀୟ ଏକ ଲଜ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରିଛନ୍ତି ଓଡିଶା ଆଦିବାସୀ ଅଧିକାର ମଞ୍ଚ ସଭାପତି ରାଜେଶ ଜାନୀ । ସେ କହିଛନ୍ତି, ୨୦୧୫ରେ ଭାରତ ସରକାର ଏକ ନିଦେ୍ର୍ଦଶାବଳୀ ଜାରି କରିଥିଲେ । ସେଥିରେ ଜଙ୍ଗଲ ଅଧିକାର କମିଟିକୁ ଅଧିକ କ୍ଷମତା ଦିଆଯାଇଛି । ଜଙ୍ଗଲ ପରିଚାଳନା ଓ ସୁରକ୍ଷା ସମେତ ଆଦିବାସୀଙ୍କୁ ଜଙ୍ଗଲ ଜମିର ଅଧିକାର ଦେବା ପାଇଁ ଏହି କମିଟିକୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି । ଗୋଷ୍ଠୀ ଜଙ୍ଗଲ ସମ୍ବଳର ପରିଚାଳନା ପାଇଁ ଆଦିବାସୀ ଉପଯୋଜନା, ବୃକ୍ଷରୋପଣ, ମନରେଗା, ପଞ୍ଚାୟତ ପାଣ୍ଠି ଆଦି ପରିଚାଳନା ପାଇଁ ଏହି କମିଟିକୁ ଦାୟିତ୍ୱ ଦିଆଯାଇଛି । ଦୁର୍ଭାଗ୍ୟକୁ ବନ ସୁରକ୍ଷା ସମିତି(ଭିଏସଏସ)ର ବ୍ୟାଙ୍କ ଆକାଉଣ୍ଟରେ ବନ କର୍ମଚାରୀ ଓ ବନ ସୁରକ୍ଷା ସମିତି ସଦସ୍ୟଙ୍କ ମିଳିତ ଜମାଖାତା ରହିଛି । ଭିଏସଏ୍ସ ଆକାଉଣ୍ଟରେ ଏହି ସମସ୍ତ ପାଣ୍ଠି ଖର୍ଚ୍ଚ କରାଯାଉଛି । ଏହି ଅର୍ଥ ପରିଚାଳନା କ୍ଷମତା ସିଧାସଳଖ ସାଧାରଣ ଲୋକଙ୍କ ହାତକୁ ଚାଲିଯିବା ଆଶଙ୍କାରେ ବନବିଭାଗ କମିଟି ଗଠନ କରୁନାହିଁ । ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନକୁ ଖୁଲମଖୁଲା ଉଲ୍ଲଂଘନ କରାଯାଉଛି । ଭିଏସଏସ୍ ସଦସ୍ୟଙ୍କୁ ମତାଇ ଆଦିବାସୀଙ୍କ ଅଧିକାର ପାଇଁ କାମ କରୁଥିବା ଲୋକ ସଂଗଠନର କର୍ମୀଙ୍କ ଉପରେ ଆକ୍ରମଣ କରାଯାଉଛି  । ସେମାନଙ୍କ ନାଁରେ ମିଥ୍ୟା ମାମଲା ରୁଜୁ କରାଯାଉଛି । ନିକଟରେ ରାଇଘର ଥାନାରେ କୁସୁମପୁର ଗାଁ ଲୋକଙ୍କୁ ବନବିଭାଗ କର୍ମଚାରୀ ମରଣାନ୍ତକ ଆକ୍ରମଣ କରିଥିଲେ । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ କର୍ମଚାରୀଙ୍କୁ ଗିରଫ କରାଯାଇନି ବୋଲି ଶ୍ରୀ ଜାନୀ କହିଛନ୍ତି । ଅନ୍ୟପକ୍ଷେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସହିଦ ସ୍ମୃତି ସଂସଦ ଅଧ୍ୟକ୍ଷ ମୁନା ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ, କେବଳ ବନ କର୍ମଚାରୀ ଏଥିରେ ସାମିଲ ତାହା ନୁହେଁ ଜଙ୍ଗଲ ଜମିରେ ବେଆଇନ ମକା ଚାଷ କରୁଥିବା ଭିଏସଏସ ଗୁଡିକୁ ଆଗକୁ ଠେଲି ଲୋକସଂଗଠନ କର୍ମୀଙ୍କ ଉପରେ ଆକ୍ରମଣ କରାଯାଉଛି  । 
ପ୍ରଶାସନ ନିକଟରେ ବହୁବାର ଦାବି ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏଥିପାଇଁ ବିଭିନ୍ନ ଲୋକସଂଗଠନ ଓ ସାମାଜିକ ସଂଗଠନର ଏକ ଉଚ୍ଚସ୍ତରୀୟ କମିଟି ଜିଲ୍ଲାରେ ଜଙ୍ଗଲ ଜମି ଅଧିକାର କାର୍ଯ୍ୟକାରୀ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବ ବୋଲି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ କର୍ମକର୍ତ୍ତା, ଜଙ୍ଗଲଅଧିକାର କମିଟି ମହାସଂଘ ନେତ୍ରୀ ହାରାବତୀ ଗଣ୍ଡ, ସୁଶାନ୍ତକୁମାର ସୁନା, ଏଚ.ଡି ସୁଧୀର ପାତ୍ର, ଅଖିଳ ଭତ୍ରା, ଦିବାକର ପୂଜାରୀ, ବୃନ୍ଦା ତ୍ରିପାଠୀ, ଶୁକ୍ଳ ହରିଜନ, ପ୍ରକାଶ ସାମନ୍ତରାୟ, ବୈଦ୍ୟରାମ ପନକା,ଭଗବାନ ବୈରାଗୀ ପ୍ରମୁଖ ଉପସ୍ଥିତ ଥିଲେ ।