ବାରବାଟୀ ମ୍ୟାଚ ପାଇଁ ପ୍ରହଲ୍ଲାଦଙ୍କୁ ସଂଯୋଜକ ଦାୟିତ୍ୱ

ନବରଙ୍ଗପୁର: କଟକ ଠାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଏକଦିବସୀୟ ମ୍ୟାଚର ସଂଯୋଜକ ଭାବରେ ନବରଙ୍ଗପୁର ଜିଲ୍ଲା କ୍ରୀଡା ସଂଘ ତଥା ଜିଲ୍ଲା କ୍ରିକେଟ ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ମନୋନୀତ ହୋଇଛନ୍ତି । ବୋର୍ଡ ଅଫ୍ କଣ୍ଟ୍ରୋଲ କ୍ରିକେଟ ଫର ଇଣ୍ଡିଆ ପ୍ରହଲ୍ଲାଦ ତ୍ରିପାଠୀଙ୍କୁ ଭାରତୀୟ ଦଳର ସଂଯୋଜକ ଭାବରେ ମନୋନୀତ କରିଛି । ଏକ ଆଦିବାସୀ ଅଧୁ୍ୟଷିତ ନବରଙ୍ଗପୁର ଜିଲ୍ଲା ତଥା ସମସ୍ତ ନବରଙ୍ଗପୁରବାସୀଙ୍କ ପାଇଁ ଏହା ଏକ ଗର୍ବର ବିଷୟ ବୋଲି କ୍ରୀଡାବିତ୍ମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ସଫଳତା ପାଇଁ ଶ୍ରୀ ପ୍ରହଲ୍ଲାଦ ତ୍ରିପାଠୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି । ଏହି ଖବର ପ୍ରକାଶିତ ହେବା ପରେ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ସଭାପତି ଦେବାଶିଷ ପଟ୍ଟନାୟକ, ଉପସଭାପତି ଶୁଭେନ୍ଦୁ ବେହେରା, ସହ ସମ୍ପାଦକ ଏମ.ବାଲ କ୍ରିଷ୍ଣା, ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘର ମିଡିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ, ବରିଷ୍ଟ ସଦସ୍ୟ ଅଶୋକ ନାୟକ ଏବଂ ଶଶାଙ୍କ ଶେଖର ବେହେରା ପ୍ରମୁଖ ଶ୍ରୀ ତ୍ରିପାଠୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।