ଜଙ୍ଗଲ ଜମିରେ ନିର୍ମାଣ ଚାଲିଛି ପାଣିଟାଙ୍କି
ଦାନଗଦୀ : ନୂଆ ସରକାର ଆସିଲା ପରେ ସବୁଆଡେ ବେଆଇନ ଓ ନିମ୍ନମାନର କାମ ଚାଲିଥିବା ଦେଖିବାକୁ ମିଳୁଛି । ଯେପରି ଦୁର୍ନୀତିକୁ ନୀତି କରିଛନ୍ତି ସରକାର ବାବୁ ମାନେ । ଏପରି ଏକ କାମ ଦେଖିବାକୁ ମିଳିଛି ଖୋଦ ଦାନଗଦୀ ବ୍ଲକ ନାକ ନିଶତଳେ । ବ୍ଲକର ନିଜ ପଞ୍ଚାୟତର ତ୍ରିଜଙ୍ଗା କଲୋନୀ ଭିତରେ ଯେଉଁଠି ତହସିଲ ପ୍ରଶାସନ ବେଆଇନ ଜବରଦଖଲ ଉଚ୍ଛେଦ କରିଥିଲେ ସେହି ଜଙ୍ଗଲ ଜମିରେ ଏକ ବିରାଟକାୟ ପାଣି ଟାଙ୍କି ପାଇଁ ଖୋଳାଯାଇଛି । ସେଠୁ ବାହାରି ଥିବା ଶହ ଶହ ଟ୍ରିପ ମୋରମ ବିକ୍ରି ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଆଉ ସେହି ପାଣି ଟାଙ୍କି ନିର୍ମାଣ ହେଉଥିବା ସ୍ଥାନରେ କୌଣସି ସୂଚନା ଫଳକ ନାହିଁ । ଶ୍ରମିକ ମନଇଚ୍ଛା ବାଲି, ମୁଣ୍ଡା ହୋଇଯାଇଥିବା ସିମେଣ୍ଟକୁ ବ୍ୟବହାର କରି କାମ କରୁଛନ୍ତି । ଢ଼ଳେଇ କାମ ପୁରା ନିମ୍ନ ମାନର ହେଉଥିବା ଦେଖାଯାଉଛି । ଯେ କୌଣସି କାମ ହେଲେ ସୂଚନା ଫଳକରେ ସବିଶେଷ ବିବରଣୀ ରହିବା କଥା । କିନ୍ତୁ ସୂଚନା ଫଳକ ନାହିଁ । ଖାତା ନମ୍ବର ୫୦୧ ଓ ପ୍ଲଟ ନମ୍ବର ୩୭୯ରେ ଗ୍ରାମ୍ୟ ଜଙ୍ଗଲ ଜମି କିସମରେ କିପରି ବିନା ସୂଚନାରେ କିଏ ଶହ ଶହ ଟ୍ରିପ ମୋରମ ଖୋଳି ଏତେ ବଡ଼ ପାଣି ଟାଙ୍କି କରୁଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏପରି ବେଆଇନ ନିମ୍ନ ମାନର କାମକୁ ତଦନ୍ତ କରି ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହେଉଛି ।