ନିମ୍ନମାନର କାର୍ଯ୍ୟ, ଅର୍ଥ ଲୁଟ୍ ମସୁଧା
ଟମକା: ସରକାରକା ମାଲ୍ ଦରିୟା ମେ ଡାଲ୍ । ଏଭଳି ଏକ ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି ଟମକା ଥାନା ପରିସରରେ ଚାଲିଥିବା ଗୃହ ମରାମତି ଓ ଉନ୍ନତିକରଣ କାର୍ଯ୍ୟରେ । ଠିକାଦାର୍ ମନମାନି ଓ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତି ପାଇଁ ସରକାରୀ ତହବିଲ୍ରୁ ଖର୍ଚ୍ଚ ହେଉଥିବା ଲକ୍ଷଲକ୍ଷ ଟଙ୍କା ପାଣିରେ ପଡିବା ସଦୃଶ୍ୟ ହୋଇଛି । ର-ଠ କାର୍ଯ୍ୟ କରି ଠିକାଦାର ଜଣଙ୍କ ଅର୍ଥ ଲୁଟିବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିବା ବେଳେ ଯାହା କାର୍ଯ୍ୟର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏଭଳି କାର୍ଯ୍ୟର ତଦନ୍ତ କରିବା ସହ ସମ୍ପୃକ୍ତ ଠିକାଦାରଙ୍କ ପ୍ରତି କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଛି ତାହା ଦେଖିବାକୁ ବାକି ରହିଛି । ମିଳିଥିବା ଖବର ମୁତାବକ ଟମକା ଥାନା ପରିସରରେ ଥିବା ଥାନା ଅଧିକାରୀଙ୍କ ବାସଗୃହ ସମେତ ପୁଲିସ୍ ବଳ ନିମନ୍ତେ ନିର୍ମାଣ ହୋଇଥିବା ବାରାକ୍ ଘରର ମରାମତି ଓ ଉନ୍ନତୀକରଣ କାର୍ଯ୍ୟ ଗତ କିଛିଦିନ ହେବ ଚାଲିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏନେଇ ୧୫ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି । ଘରର ପ୍ଲାଷ୍ଟର ସମେତ, ରଙ୍ଗ, ଟାଇଲ୍ କାର୍ଯ୍ୟ କରିବାକୁ ଏହି ବ୍ୟୟବରାଦ କରାଯାଇଥିବା ବେଳେ ଅରମ୍ଭରୁ ଏହି କାର୍ଯ୍ୟ ନିମ୍ନମାନର ହେଉଥିବା ପରିଲକ୍ଷିତ ହୋଇଛି । ଟାଇଲ୍ ବିଛା କାର୍ଯ୍ୟ ହେଉ କିମ୍ବା ପ୍ଲାଷ୍ଟର କାର୍ଯ୍ୟ ଏଥିରେ ସିମେଣ୍ଟକମ୍କୁ ବାଲି ଭାଗ ଅଧିକ ଦିଆ ଯାଉଥିବା ଦେଖିବାକୁ ମିଳିଛି । ସେହିପରି ଭାବେ ଏହି କାର୍ଯ୍ୟରେ ବ୍ୟବହୃତ ଇଟା ମଧ୍ୟ ଅତି ନିମ୍ନମାନର ବ୍ୟବହାର କରାଯାଉଛି । ସେହିପରି ଭାବେ ବାରକ୍ ଘରର କାନ୍ଥରୁ ଜମିଥିବା ଶିଉଳି ନ ଛଡାଇ କାଁ ଭାଁ ପ୍ଲାଷ୍ଟର କରି ସେଥିରେ ରଙ୍ଗ ବୋଳି ଦେଇଥିବା ଦେଖାଯାଇଛିି । ଅନୁରୂପ ଭାବେ ଘରରେ ବ୍ୟବହୃତ ଟାଇଲ ଅତି ନିମ୍ନମାନର ହୋଇଥିବା ବେଳେ ଏହାର ସ୍ଥାୟିତ୍ୱକୁ ନେଇ ମଧ୍ୟ ପ୍ରଶ୍ନବାଚି ସୃଷ୍ଟି ହେଉଛି । ଅନ୍ୟପକ୍ଷରେ କାର୍ଯ୍ୟ କରିବା ପୁର୍ବରୁ କାର୍ଯ୍ୟର ସବିଶେଷ ତଥ୍ୟ ଫଳକରେ ସୁଚନା ଦେବାର ବିଧି ବ୍ୟବସ୍ଥା ରହିଥିଲେ ମଧ୍ୟ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି କାର୍ଯ୍ୟ ଚାଲୁଥିବା ବେଳେ ଏଠାରେ କୌଣସି ଯନ୍ତ୍ରୀ କିମ୍ବା କର୍ମଚାରୀ ଉପସ୍ଥିତ ରହୁନାହାନ୍ତି । ହାତ ପାହାନ୍ତାରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହୁଥିଲେ ମଧ୍ୟ ଏଠାକୁ ଆସୁନଥିବା ଅଭିଯୋଗ ହେଉଛି । ତେବେ କାର୍ଯ୍ୟ ହାତେଇଥିବା ଠିକାଦାର ଜଣଙ୍କ ଶାସକ ଦଳର ଜଣେ ଆଗଧାଡିର ନେତା ହୋଇଥିବା ବେଳେ ଏଥିପାଇଁ ତାଙ୍କର ମନମାନି ନା ଠିକାଦାର-ଯନ୍ତ୍ରୀ ମଧ୍ୟରେ ଅର୍ଥଲୁଟର ଏହା ଏକ ନିଦର୍ଶନ ତାହା ଏବେ ପ୍ରଶ୍ନହୋଇ ରହିଥିବା ବେଳେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଏଥିପ୍ରତି ଧ୍ୟାନ ଦେଇ ଏହି କାର୍ଯ୍ୟର ତଦନ୍ତ କରିବାକୁ ଦାବି ହୋଇଛି ।