କିଡ୍ନୀ ରୋଗରେ ପୀଡିତ ମାନସ
ଧର୍ମଶାଳା : ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତ ମୁରତପୁର ଗାଁର ମାନସ ଦଳାଇ (୩୫) । ଘରେ ସ୍ତ୍ରୀ ଓ ଚାରି ଝିଅ । ବଡ଼ଝିଅକୁ ୯ବର୍ଷ ହୋଇଥିବା ବେଳେ ସାନକୁ ମାତ୍ର ୫ ବର୍ଷ । ମାନସ ଦିନ ମଜୁରିଆ ଭାବେ କାମ କରନ୍ତି । ଆମିଷ ବାରରେ ମାଛ ବିକ୍ରୀ କରନ୍ତି ତ ଆଉ ଅନ୍ୟ ଦିନେ ଶ୍ରମିକ ଭାବେ କାମ କରନ୍ତି । ଦିନକୁ ଦୁଇ ଶହରୁ ତିନି ଶହ ରୋଜଗାର କରି ଘର ଚଳାନ୍ତି । ସ୍ତ୍ରୀ ଓ ପରିବାରକୁ ନେଇ ହସଖୁସିରେ ଚାଲିଥିଲା ସଂସାର । ଅଭାବ ରହୁଥିଲେ ବି ରୋଜଗାରରେ ପିଲାଙ୍କ ପାଠ ପଢା ବହି ଖାତା କିଣିବା ଠାରୁ ଆରମ୍ଭ କରି ନିତିଦିନିଆ ଖର୍ଚ୍ଚ କରୁଥିଲେ ମାନସ । ହେଲେ ଗୋଟାଏ ଦିନ ଦୁଃଖର ପାହାଡ ତାଙ୍କ ଉପରେ ଛିଡିପଡିଲା । ପ୍ରଥମେ ତାଙ୍କ ଗୋଡ଼ ଫୁଲିବା ଆରମ୍ଭ ହୋଇଥିଲା । ସେ ଡାକ୍ତର ପାଖକୁଯାଇ ଜାଣିବାକୁ ପାଇଥିଲେ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ଦୁଇଟି କିଡୀନି ନଷ୍ଟ ହୋଇପଡ଼ିଥିବା ଜାଣିବା ପରେ ଦୁଃଖର କଳା ଅନ୍ଧାର ଘୋଟି ଆସିଥିଲା ମାନସଙ୍କ ପରିବାର ଉପରେ । ଗତ ଚାରି ମାସ ହେଲା ବିଛଣାରେ ପଡି ଛଟପଟ ହେଉଥିବା ବେଳେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ସେହି ଦିନଠାରୁ ତାଙ୍କର ଚିକିତ୍ସା ପଛରେ ସବୁ ସର୍ବସ୍ୱାନ୍ତ ହୋଇଗଲାନି । ଜମିବିକ୍ରି କରିବା ସହ ଘରେ ଯାହା ଥିଲା, ସବୁ ବିକି ଭାଙ୍ଗି ଚିକିତ୍ସା ସରିଲାଣି । ହେଲେ ରୋଗ ଭଲ ହେଉନି । ସେପଟେ ସ୍ୱାମୀଙ୍କ ଏଭଳି ଅବସ୍ଥାରେ ଦେଖି ସ୍ତ୍ରୀଙ୍କ ହୃଦୟ ସବୁବେଳେ କାନ୍ଦୁଛନ୍ତି । ସେ କୌଣସି ମତେ ସ୍ୱାମୀକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଏପରିକି ତାଙ୍କର କିଡ୍ନୀ ସେ ତାଙ୍କ ସ୍ୱାମୀଙ୍କୁ ଦେଇ ଜୀବନ ବଞ୍ଚାଇବା ପାଇଁ ଶେଷ ଉଦ୍ୟମ କରୁଛନ୍ତି । ହେଲେ ଟଙ୍କା ଅଭାବରୁ ତାହା ମଧ୍ୟ ହୋଇ ପାରୁନାହିଁ ।
ଦୈନନ୍ଦିନ ସ୍ୱାମୀକୁ ନିଜେ କାନ୍ଧରେ ବୋହି ଡାକ୍ତରଖାନା ନେବା, ଚିକିତ୍ସା କରାଇବା ସହ ଘର ଚଳାଇବାକୁ ବାର ଦୁଆର ଭିକ ମାଗି ଘର ଚଳାଉଛନ୍ତି ସ୍ତ୍ରୀ । ତେବେ ତାଙ୍କର ଓ ତାଙ୍କ ଭଉଣୀଙ୍କ କିଡ୍ନୀ ଲାଗି ପାରିବ ବୋଲି ଡାକ୍ତର କହିଥିବା ବେଳେ ବିଭିନ୍ନ ପରୀକ୍ଷା ବି ସରିଛି । ହେଲେ କିଡ୍ନୀ ପ୍ରତ୍ୟାରୋପଣ ପାଇଁ ଲକ୍ଷାଧିକ ଟଙ୍କା ଯୋଗାଡ କରିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ । ତେଣୁ ସ୍ୱାମୀଙ୍କ ଚିକିତ୍ସା ପାଇଁ ସରକାର ଓ ବିଭିନ୍ନ ସଙ୍ଗଠନର ସାହାଯ୍ୟ ଲୋଡ଼ିଛନ୍ତି ସ୍ତ୍ରୀ । ଆର୍ଥôକ ସହାୟତା ମିଳିପାରିଲେ ମାନସଙ୍କ ଜୀବନ ବଞ୍ଚିପାରିବ ବୋଲି କହିଛନ୍ତି ।