ଜଣେ ଫାର୍ମାସିଷ୍ଟରେ ଚାଲିଛି ପ୍ରାଥମିକ ଚିକିତ୍ସାକେନ୍ଦ୍ର

କୁହିକା : ଗୋଟେ ଡ଼ାକ୍ତର ନାହାନ୍ତି ତ ଅନ୍ୟପଟେ ଆବଶ୍ୟକ ପରିମାଣର ଔଷଧ ନାହିଁ । ଅଭାବ ଔଷଧ ଏବଂ ଜଣେ ଫାର୍ମାସିଷ୍ଟରେ ଚାଲିଛି କୁହିକା ପ୍ରାଥମିକ ଚିକିତ୍ସା କେନ୍ଦ୍ର । ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖଣି ଅଞ୍ଚଳ ଏକ ସମ୍ବେଦନଶୀଳ ଅଞ୍ଚଳ ହେଉଛି କୁହିକା । ଯେଉଁ ଅଞ୍ଚଳ ଦେଇ ଦୈନିକ ଶହଶହ ସଂଖ୍ୟାର କ୍ରୋମାଇଟ୍ ପରିବହନ ହୋଇଥାଏ । ତା’ସହ ଖଣିରେ ଆଖପାଖ ଅଞ୍ଚଳରୁ ଶ୍ରମିକ ଓ କର୍ମଚାରୀ ଯା’ଆସ କରିଥାନ୍ତି । ଯାହା ଫଳରେ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣାମାନ ଘଟିଥାଏ । ଖଣି ଖାଦାନ ଅଂଚଳ ହୋଇଥିବା କାରଣରୁ ସ୍ୱାସ୍ଥ୍ୟଗତ ସମସ୍ୟା ଅନେକ ସମୟରେ ଲୋକମାନଙ୍କ ମଧ୍ୟରେ ଦେଖାଦେଇଥାଏ । ଯେଉଁ ମାନେ କୁହିକା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । କେବଳ ସୁକିନ୍ଦା ବ୍ଲକ ନୁହେଁ, ପଡୋଶୀ ଢ଼େଙ୍କାନାଳ ଜିଲାର ଭୁବନ ବ୍ଲକ୍ର ୪ ପଞ୍ଚାୟତରୁ ୧୦ହଜାର ଲୋକ ନିର୍ଭର କରିଥାନ୍ତି । କିନ୍ତୁ ବିଡମ୍ବନା ଦୁଇ ମାସ ହେବ ଆଜି ପର୍ଯ୍ୟନ୍ତ କୌଣସି ଡାକ୍ତର ନିଯୁକ୍ତି ହୋଇପାରିନାହାନ୍ତି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏ ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ମତାମତ ନେବାରୁ କହିଥିଲେ କି ଡେପୁଟେସନରେ ଡାକ୍ତର ଯିବାର ଯୋଜନା କରାଯାଉଛି ।