ଜନତାଙ୍କ ପାଇଁ ଜନ ପରିବହନ ସେବାକୁ ପ୍ରାଧାନ୍ୟ
ଭୁବନେଶ୍ୱର : ସହରାଞ୍ଚଳ ପରିବହନ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ନିକଟରେ ଓଡିଶା ସରକାରଙ୍କ ଦ୍ୱାରା ‘ଓଡ଼ିଶା ଯାତ୍ରୀ’ ରାଇଡ୍ ବୁକିଂ ଆପ୍ ସେବାର ଶୁଭାରମ୍ଭ ହୋଇଥିଲା । ଶୁକ୍ରବାର ଏହାର ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଯାତ୍ରୀ ପ୍ରଗତିର ମୂଲ୍ୟାଙ୍କନ ହୋଇଛି ।
ସମୀକ୍ଷା ବୈଠକରେ ଓଡ଼ିଶା ଯାତ୍ରୀକୁ ଆଗାମୀ ଦିନରେ ଏକ ସୁପର୍ ଆପ୍ ବନାଇବା ଦିଗରେ ଆଲୋଚନା ହୋଇଥିଲା । ଯାହାକି ପରବର୍ତ୍ତି ସମୟରେ ଆମ ବସ୍ ଆପ୍ ଏବଂ ଓଟିଡିସି ପର୍ଯ୍ୟଟନ ଟିକେଟିଂ ପ୍ଲାଟ୍ଫର୍ମ ମାଧ୍ୟମରେ ଜନସାଧାରଣ ଏବଂ ପର୍ଯ୍ୟଟକ ସେମାନଙ୍କର ରାଇଡ୍ ବୁକ୍ କରିପାରିବେ । ଏହି ଗୋଟିଏ ଆପ୍ ମାଧ୍ୟମରେ ସାଧାରଣ ଯାତ୍ରୀଟିଏ ତା’ର ରାଇଡ୍ ବୁକ୍ କରିବା ପାଇଁ ସ୍ଥାନୀୟ ବସ୍ ଏବଂ ପର୍ଯ୍ୟଟକମାନେ ସ୍ଥାନୀୟ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିବାର ସୁଯୋଗ ନେବେ । ଏହି ରାଇଡ୍ ସେବା ଆପ୍ ଆଗାମୀ ଦିନରେ ରାଜ୍ୟବ୍ୟାପି କାର୍ଯ୍ୟକ୍ଷମ ହେବ । ରାଜ୍ୟର ପ୍ରତିଟି ସହରରେ ଏହାର ସୁବିଧା ପାଇପାରିବେ ଜନସାଧାରଣ ।
ଯାତ୍ରୀଙ୍କ ବିଶ୍ୱାସଭାଜନ ଏବଂ ଓଡିଶା ଯାତ୍ରୀର ଅନନ୍ୟ ମୂଲ୍ୟବୋଧକୁ ପ୍ରଦର୍ଶିତ କରିବା ନିମନ୍ତେ ଏହା ଉପରେ ଅଧିକ ସଚେତନତାମୂଳକ କାର୍ଯ୍ୟ ଏବଂ ବିଭିନ୍ନ ସହରର ଚାଳକମାନଙ୍କୁ ଏଥିରେ ଯୋଗ ଦେବା ନିମନ୍ତେ ଅଧିକ ଦୃଷ୍ଟି ଦିଆଯିବ । ଖାରବେଳ ଭବନରେ ଅନୁଷ୍ଠିତ ଏହି ବୈଠକରେ ପରିବହନ କମିଶନର ଅମିତାଭ ଠାକୁର, ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ୍, କ୍ରୁଟ୍ ପରିଚାଳନା ନିଦେ୍ର୍ଦଶକ ଡକ୍ଟର ଏନ୍ ତିରୁମାଲା ନାୟକ, ଜିଏମ୍ ସଞ୍ଜୟ କୁମାର ବିଶ୍ୱାଳ, ପରିବହନ ଯୁଗ୍ମ ନିଦେ୍ର୍ଦଶକ ତପନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।