ଜାତୀୟ ସ୍ତରରେ ଚମକିଲା ଓଡ଼ିଶାର ପୂର୍ତ୍ତ ବିଭାଗ 

 ଭୁବନେଶ୍ୱର  : ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ଆଜି ନୂଆଦିଲ୍ଲୀ ଠାରେ ସମ୍ମାନଜନକ ବିଶ୍ୱକର୍ମା ପୁରସ୍କାରରେ ସମ୍ମାନିତ ହୋଇଛି । ନୂଆଦିଲ୍ଲୀର ଡ. ବିଆର୍ ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ଏକ ସମାରୋହରେ ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଏହି ପୁରସ୍କାର ଗ୍ରହଣ କରିଥିଲେ । ଓଡିଶାର ପୂର୍ତ୍ତ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ଚାରୋଟି ଉଲ୍ଲେଖନୀୟ କୋଠା ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ଏହି  ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏବଂ କର୍ପୋରେଟ କାର୍ଯ୍ୟ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ହର୍ଷ ମଲହୋତ୍ରା ପୁରସ୍କାର ପ୍ରଦାନ କରିବା ସହିତ ପୂର୍ତ୍ତ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ବିଶ୍ୱକର୍ମା ପୁରସ୍କାର ନିର୍ମାଣ କ୍ଷେତ୍ରରେ ସର୍ବୋଚ୍ଚ ବେସାମରିକ ପୁରସ୍କାର ଅଟେ । ଯାହା ପ୍ରତିବର୍ଷ ନୀତି ଆୟୋଗ ଦ୍ୱାରା ଅଗ୍ରଣୀ ଏବଂ ଅଭିନବ ଢାଞ୍ଚା ଏବଂ ବ୍ୟକ୍ତିତ୍ୱଙ୍କୁ ପ୍ରଦାନ କରାଯାଇଥାଏ । ପୁରସ୍କାର ହାସଲ କରିଥିବା ଏହି କୋଠାଗୁଡ଼ିକ ମଧ୍ୟରେ ଭୁବନେଶ୍ୱର ଓୟୁଏଟିର କୃଷକ ବୈଷୟିକ ପ୍ରଦର୍ଶନ କେନ୍ଦ୍ର, ପୁରୀର ହବିଷ୍ୟାଳି ଭବନ, ବରଗଡ଼ର କର୍କଟ ହସ୍ପିଟାଲ, ପାଣିକୋଇଲି ସ୍ଥିତ ଟ୍ରମା କେୟାର ହସ୍ପିଟାଲ ଅନ୍ତର୍ଭୁକ୍ତ ।