ଜନବସତିକୁ ନାହିଁ ପକ୍କାରାସ୍ତା: ପାଣିକାଦୁଅରେ ଯାତାୟାତ କରୁଛନ୍ତି ଲୋକେ 

ବାଲିଅନ୍ତାରୁ ଗୋବର୍ଦ୍ଧନ ଦାସ :  ବାଲିଅନ୍ତା ବ୍ଲକ୍ର ପ୍ରତାପଶାସନ ପଞ୍ଚାୟତ ବାଳକାଟି ହେଉଛି ଏକ ବ୍ୟୟବହୁଳ ଏବଂ ବ୍ୟବସାୟିକ ଅଞ୍ଚଳ । ଏଠାରେ ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ଗମନାଗମନ ଠାରୁ ଆରମ୍ଭ କରି ବ୍ୟବସାୟ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁବ୍ୟବସ୍ଥା ରହିଛି । ଏଠାରେ ଏକ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ସହ ଡିଗ୍ରୀ କଲେଜ, ୬ ରୁ ଅଧିକ ରାଷ୍ଟ୍ରାୟତ ବ୍ୟାଙ୍କ ଏବଂ ଏକ ସୁଲଭ ବଜାର ନିକଟରେ ପୁଣ୍ୟତୋୟା ଭାର୍ଗବୀ ଏହାର କିଛି ଦୂରରେ ଭୁବନେଶ୍ୱର-ପୁରୀ ୩୧୬ ଜାତୀୟ ରାଜପଥ ଅବସ୍ଥିତ । ଏଠାରୁ ପୁରୀ, କଟକ ଭୁବନେଶ୍ୱର, କୋଣାର୍କ କାକଟପୁର ଆଦି ପ୍ରମୁଖ ସ୍ଥାନକୁ ଯାତାୟତ କରିବା ସୁବିଧା ହୋଇଥାଏ । ଏହାର ଶାନ୍ତ ଓ ସବୁଜିମା ପରିବେଶ ସମସ୍ତଙ୍କୁ ଆକୃଷ୍ଟ କରିଥାଏ  । ଏଠାରେ ସବୁପ୍ରକାର ସୁବିଧା ଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକେ ଏଠାରେ ଜାଗା କିଣି ଘର କରି ସ୍ଥାୟୀବାସିନ୍ଦା ହୋଇଛନ୍ତି । ଦିନକୁ ଦିନ ଏହାର ନବକଳେବର ବୃଦ୍ଧି ପାଇବାରେ ଲାଗିଛି । ସବୁଜିମା ଏବେ କଂକ୍ରିଟର ଜଙ୍ଗଲ ଭାବେ ପରିଣତ ହେଲାଣି । ଯୁଆଡେ ଦେଖିବ ସିଆଡେ ମାଳ ମାଳ କୋଠ । ଛୋଟମୋଟ ଜନବସତୀ ଗଢି ଉଠିବା ସହ ଶତାଧିକ ଲୋକେ ବସବାସ କଲେଣି । ଏହି ଜନବସତୀରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଉଚ୍ଚପଦସ୍ଥ ଅଧିକାରୀ, କର୍ମଚାରୀ ଏବଂ ବେସରକାରୀ ସଂସ୍ଥାର ବହୁ ଅଧିକାରୀ ରହୁଛନ୍ତି ।
ମାତ୍ର ଏହି ଜନବସତୀକୁ ଯାତାୟାତ ନିମନ୍ତେ ପକ୍କା ରାସ୍ତା ଟିଏ ନାହିଁ । ଫଳରେ ଲୋକେ ଅନାବନା ଘାସ ପରିପୂର୍ଣ୍ଣ ଓ ପାଣିକାଦୁଅ ରାସ୍ତାରେ ଯାତାୟାତ କରୁଛନ୍ତି । ଏହି କେନାଲ ବନ୍ଧ ରାସ୍ତା ବାଲିଅନ୍ତା ବ୍ଲକ ଓ ଝିଣ୍ଟିଶାସନ ବନ୍ଧ ପିଚୁ ହୋଇଥିବା ବେଳେ, ସାଇଫୋନ ଠାରୁ ପ୍ରତାପଶାସନ ପର୍ଯ୍ୟନ୍ତ କେନାଲ ବନ୍ଧ ରାସ୍ତା ଅତି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏହି ରାସ୍ତାରେ ଅନାବନା ଘାସ ମାଡି ଯାଇଥିବା ବେଳେ, ବିଭିନ୍ନ ସ୍ଥାନରେ ଖାଲଢିପ ଯିବାଆସିବା କରିବାରେ ଅଧିକ ସମସ୍ୟା ସୃଷ୍ଟି କରୁଛି । ଦିନ ଅପେକ୍ଷା ରାତିରେ ଏହି ରାସ୍ତାରେ ଯିବାଆସିବା କରିବା ଅସମ୍ଭବ ହୋଇପଡିଛି । ବେଳେ ବେଳେ ଯିବାଆସିବା କରିବା ସମୟରେ ଖାଲଢିପ ନ ଜାଣିପାରି ପଡିଯାଇ ଖଣ୍ଡିଆଖାବରା ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଏପରିକି ଜରୁରୀକାଳୀନ ସେବା ଯୋଗାଉଥିବା ରୋଗୀବୁହା ଜାନ ଏବଂ ଜନନୀ ସୁରକ୍ଷା ଗାଡି ଯିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର ଗଢି ଉଠିଥିବା ଜନବସତୀ ଗୁଡିକର ସଂଯୋଗ ରାସ୍ତାକୁ ବିଭିନ୍ନ ଯୋଜନା ମାଧ୍ୟମରେ ପିଚୁ କିମ୍ବା କଂକ୍ରିଟ କରୁଥିବା ବେଳେ ବାଳକାଟି ଭଳି ବ୍ୟବସାୟିକ ଅଞ୍ଚଳରେ ବ୍ୟତିକ୍ରମ ଦେଖାଦେଇଛି । ଜନବସତୀରେ ବସବାସ କରୁଥିବା ଲୋକେ ଯାତାୟାତ କରୁଥିବା ଏହି କେନାଲବନ୍ଧ ରାସ୍ତାକୁ ପକ୍କା ରାସ୍ତା କରିବାପାଇଁ ଜଳସମ୍ପଦ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ, ଅଧିକ୍ଷଣ ଯନ୍ତ୍ରୀ ଏବଂ ମୁଖ୍ୟଯନ୍ତ୍ରୀଙ୍କ ନିକଟରେ ଅଞ୍ଚଳବାସୀ ଦାବି କରିଛନ୍ତି ।