ମାଛ ମାଫିଆଙ୍କ ଦୃଷ୍ଟିରେ ଭିତରକନିକା ଜାତୀୟ ଉଦ୍ୟାନର ନଦୀନାଳ
ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନ ଜୈବ ବିବିଧତା ପାଇଁ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛି । ବିଶେଷକରି ବଉଳା କୁମ୍ଭୀରର ଅନ୍ତୁଡିଶାଳ ଭାବେ ପରିଚିତ ଭିତରକନିକା । ବଉଳା କୁମ୍ଭୀର ବିଲୁପ୍ତ ପ୍ରାୟ ପ୍ରାଣୀ ତାଲିକାକୁ ଆସିବା ପରେ ଜାତିସଂଘ ସହାୟତାରେ ଭାରତ ସରକାର ଓ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ୧୯୭୫ମସିହାରେ କୁମ୍ଭୀର ଚାଷ ପ୍ରକଳ୍ପ ଡାଙ୍ଗମାଳଠାରେ ଆରମ୍ଭ ହେଲା । ପ୍ରକୃତିରୁ କୁମ୍ଭୀର ବସାରୁ ଅଣ୍ଡା ସଂଗ୍ରହ କରାଯାଇ କୃତ୍ରିମ ପ୍ରଜନନ କେନ୍ଦ୍ରରେ ରଖାଯାଇ କୁମ୍ଭୀର ବଂଶ ବୃଦ୍ଧି କରାଗଲା । ଏହା ମଧ୍ୟରେ କୁମ୍ଭୀର ଚାଷ ପ୍ରକଳ୍ପକୁ ୫୦ବର୍ଷ ପୂରିଛି । ଏବେ ଜାତୀୟ ଉଦ୍ୟାନର ନଦୀ ନାଳରେ ବହୁ ସଂଖ୍ୟାରେ ଅଣ୍ଡା ଦେଇ ବଂଶବିସ୍ତାର କରୁଛନ୍ତି । ଏହି ଛୁଆ କୁମ୍ଭୀରଙ୍କ ପାଇଁ ମାଛ ମାଫିଆମାନେ ମୃତୁ୍ୟର ସୌଦାଗର ସାଜିଛନ୍ତି । ଜାତୀୟ ଉଦ୍ୟାନର ଆଭ୍ୟନ୍ତର ଅଂଚଳରେ ଥିବା ପ୍ରଭାତୀ ନାଳ, କଂଟିଆଖାଇ ନାଳ, ଗର୍ତ ନାଳ, କେରୁଆଁପାଳ ନାଳ, ଚାଆଁରାକୋହ୍ଲା ନାଳ, ବନିପାହି ନାଳ ଓ ଭେକ୍ଟାନାଳ ସହ ବଗୁଲି ନାଳ, ରଣହଂସୁଆ ନାଳ, ହାବଳ ନାଳ, ପୋତାବଗୁଲୀ ନାଳ, ଅଙ୍ଗାରୀ ନାଳ, ବଗପାଟିଆ ନାଳ, ବ୍ରାହ୍ମଣୀ ନାଳ, ବାଉଁଶଗଡ ନାଳ, ବେରି ନାଳ, ରାଇପାଟିଆ ନାଳ, ମଇପୁରା ନାଳ, ମଗରକନ୍ଦା ନାଳ, ଶୁଖୁଆଖଟି ନାଳ, ସାତଭାୟା ନାଳ, ଖୋଳା ନାଳ, ସୁନେଇ ନାଳ, ରୂପେଇ ନାଳ, ହାତିକେଲା ନାଳରେ ମାଛ ମାଫିଆମାନେ ଛୋଟଛୋଟ ହୁଲିଡଙ୍ଗା ସାହାଯ୍ୟରେ ଜାଲ ବସାଇ ମାଛ ଧରି ମାଲେମାଲ ହେଉଛନ୍ତି । ଏହି ନଦୀ ନାଳରେ ଥିବା ଛୋଟଛୋଟ କୁମ୍ଭୀର ଜାଲରେ ଛନ୍ଦି ହୋଇ ମରୁଥିବା ଅଭିଯୋଗ ହେଉଛି । ଏଥିରେ କିଛି ବନବିଭାଗର ତଳିଆ କର୍ମଚାରୀଙ୍କ ହାତ ଥିବା ମଧ୍ୟ ଅଭିଯୋଗ ହେଉଛି । ସବୁଠାରୁ ବଡକଥା ହେଲା, ଛୋଟ କୁମ୍ଭୀରଗୁଡିକ ଛୋଟଛୋଟ ମାଛ ଖାଇ ବଂଚୁଥିବା ବେଳେ ମାଛ ମାଫିଆମାନେ ସେମାନଙ୍କ ମୁହଁରୁ ଆହାର ଛଡାଇ ନେଉଛନ୍ତି । ବିଶେଷକରି ଏହି ନାଳରେ କୁମ୍ଭୀର ମାଛ ମାଫିଆମାନଙ୍କ ଉପଦ୍ରବରେ ରହିନପାରି ଜାତୀୟ ଉଦ୍ୟାନର ବାହାରେ ଥିବା ନଦୀନାଳକୁ ଚାଲି ଯାଉଛନ୍ତି । ସେମାନେ ସେଠାରେ ରହି କିଛିଦିନ ପରେ ମଣିଷ ଓ ଗୃହପାଳିତ ପଶୁଙ୍କର ମୃତୁ୍ୟର କାରଣ ପାଲଟୁଛନ୍ତି । ବେଳ ଥାଉଁ ଥାଉଁ ବନବିଭାଗ ଏନେଇ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ନକଲେ ମାଛ ମାଫିଆମାନେ ମାଛ ମାରିବାକୁ ଯାଇ ବଉଳା କୁମ୍ଭୀର ମୃତୁ୍ୟର କାରଣ ସାଜିବେ, ଏଥିରେ ଦ୍ୱିମତ ନାହିଁ ।