ଜନଶୁଣାଣି ପୂର୍ବରୁ ବ୍ଲକ ହେଡ଼କ୍ୱାର୍ଟର ଜବରଦଖଲ 

 ରାଜକନିକା : ସୋମବାର ହେବ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି । ଏକଥା ମାଇକ ଯୋଗେ ପ୍ରଚାର କରୁଥିବା ବ୍ଲକ ପ୍ରଶାସନ ଓ ତହସିଲକୁକୁ ଖୋଲା ଚାଲେଞ୍ଜ ଦେଇ ବ୍ଲକ ପାଚେରି ଚାରିକଡ଼ ସହ ତହସିଲ, ଉଦ୍ୟାନ ବିଭାଗ, ମେଡିକାଲ, ଥାନା ଚାରିପାଖେ ଜବରଦଖଲ କରାଯାଇ ସ୍ଥାୟୀ ଓ ଅସ୍ଥାୟୀ ଘର କରିବାର ପ୍ରତିଯୋଗିତା ଆରମ୍ଭ ହୋଇଛି । ଫଳରେ ବହୁଦିନରୁ ହୋଇଥିବା ଜବରଦଖଲ ହଟିବାର ମାସ କେଇଟା ପରେ ଆଜି ସବୁ ସରକାରୀ ଅଫିସ ପାଚେରି ଚାରିପଟେ ଜବରଦଖଲ ହେଉଥିବା ଦେଖି ବି ତହସିଲଦାର ଚୁପ ହୋଇ ରହିଛନ୍ତି । ତେବେ ଆସନ୍ତାକାଲି ପ୍ରଥମ ଥର ପାଇଁ ନବନିଯୁକ୍ତ ଜିଲ୍ଲାପାଳଙ୍କ ରାଜକନିକା ବ୍ଲକସ୍ତରୀୟ ଜନଶୁଣାଣି ହେବାର ଜାଣି ମଧ୍ୟ ବ୍ଲକ ହେଡ଼କ୍ୱାର୍ଟରର ସବୁ ଅଫିସ ଚାରିପାଖରେ ଜବରଦଖଲ ହେବା ପ୍ରଶାସନକୁ ଖୋଲା ଚାଲେଞ୍ଜ ଦେଇଛି । ଆଇନ କାନୁନକୁ ଫାଙ୍କି ପ୍ରଶାସନକୁ ଅକ୍ତିଆର କରି ବ୍ଲକ ତହସିଲ ଚାରିପଟ ଜବରଦଖଲ ଭଳି ଏକ ସଙ୍ଗୀନ ଅବସ୍ଥାରେ ଦିନକୁ ଦିନ ଉତ୍ପାତ ହେଲେଣି ଜବରଦଖଲକାରୀ ।ସରକାରୀ ସମ୍ପତ୍ତି ପାଣି ନାଳ, ଗୋଚର, ଦଣ୍ଡା, ନୟନଜୋର ଆଦି ସବୁକୁ ଜବରଦଖଲ କରିବା ପରେ ବିଭିନ୍ନ ସମୟରେ କନିକା ତହସିଲଦାର ପଦରେ ଥିବା ଅଧିକାରୀ ଏଭଳି ବେଆଇନ ଦଖଲକୁ ସ୍ୱୀକୃତି ଦେବା ପରେ ଆଜି ଏଭଳି ସ୍ଥିତି ଉପୁଜି ଥିବା ସ୍ପଷ୍ଟ ହୋଇଛି । ତେବେ କନିକା ତହସିଲ ଅଞ୍ଚଳର ସମସ୍ତ ଜବରଦଖଲ ହଟାଇବାକୁ କୁଣ୍ଠାବୋଧ କରୁଥିବା ତହସିଲ ଆସନ୍ତାକାଲି ଜିଲ୍ଲାପାଳଙ୍କ ଜନଶୁଣାଣିରେ ଏହି ଜବରଦଖଲ ହଟାଇବାକୁ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଛି ।