ଶିକ୍ଷା ଓ ସଂସ୍କାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ : ଅଚୁ୍ୟତ
ଭୁବନେଶ୍ୱର : କିଟ୍ରେ ୫ ଦିନିଆ ଭାବ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁଟାନ ସରକାର କିଟ୍କୁ ପଠାଇଥିବା ୩୧ ଜଣିଆ ବୌଦ୍ଧ ଶିକ୍ଷକ ପ୍ରତିନିଧିମଣ୍ଡଳ ଆଜି ସକାଳେ କିଟ୍ ଓ କିସ୍ ପରିଦର୍ଶନ କରିଥିଲେ । ଏହି ଅଧିବେଶନରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ସେମାନଙ୍କୁ ଶିକ୍ଷା ଓ ସଂସ୍କାର, କର୍ମ ଓ ପ୍ରାରବ୍ଧ ଏବଂ ଆର୍ଟ ଅଫ୍ ଗିଭିଂ ଭଳି ୩ଟି ବିଷୟରେ ବୁଝାଇଥିଲେ । ଶ୍ରୀ ସାମନ୍ତ କହିଲେ ବର୍ତ୍ତମାନ ସମୟରେ ଶିକ୍ଷା ସହ ସଂସ୍କାର ଏକାନ୍ତ ଅପରିହାର୍ଯ୍ୟ । ବର୍ତ୍ତମାନ ସମୟରେ ଜଣେ କେବଳ ଉଚ୍ଚ ଶିକ୍ଷା ପାଇଗଲେ ସେ ସଫଳ ମଣିଷ ହୋଇପାରିବ ନାହିଁ । ଜଣେ ସଫଳ ମଣିଷ ହେବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ସଂସ୍କାର ଜ୍ଞାନ ହାସଲ କରିବାକୁ ହେବ । ମଣିଷ ଯାହା କରେ ତାର ଫଳ ଅବଶ୍ୟ ତାକୁ ପ୍ରାପ୍ତ ହୋଇଥାଏ । ଗୀତା, ରାମାୟଣ ଓ ମହାଭାରତ ଆଖ୍ୟାନ ଜରିଆରେ ଶ୍ରୀ ସାମନ୍ତ ବୁଝାଇ କହିଲେ, ଅନ୍ୟକୁ ଦୁଃଖ ଦେଇ ନିଜେ ସୁଖ ପାଇବା କ୍ଷଣିକ, ମାତ୍ର ଏହାର ପରିଣାମ ପରବର୍ତ୍ତୀ ସମୟରେ ନିଶ୍ଚିତ ଭାବେ ପ୍ରାପ୍ତ ହୋଇଥାଏ । ଶ୍ରୀ ସାମନ୍ତ କହିଲେ ଆର୍ଟ ଅଫ୍ ଗିଭିଂ ହେଉଛି ଏକ ଜୀବନ ଦର୍ଶନ । ଦେବାରେ ଆନନ୍ଦ ଥାଏ । ତେଣୁ କୌଣସି ଉପାୟରେ ଅନ୍ୟକୁ ସାହାଯ୍ୟ କରିପାରିଲେ ଜୀବନ ସୁଖମୟ ହୋଇଥାଏ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ, ଭୁଟାନର ବିଭିନ୍ନ ବିଦ୍ୟାଳୟରୁ ୩୦ ଜଣ ବୌଦ୍ଧ ଶିକ୍ଷକ, ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରାଳୟର ଜଣେ ସଂଯୋଜକଙ୍କୁ ନେଇ ଗଠିତ ପ୍ରତିନିଧିମଣ୍ଡଳୀକୁ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ ଭୁଟାନ ସରକାର କିଟ୍କୁ ପଠାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ଆଧ୍ୟାତ୍ମିକତା, ଆର୍ଟ ଅଫ୍ ଗିଭିଂ, କରୁଣା ଏବଂ ମୂଲ୍ୟ-ଭିତ୍ତିକ ଶିକ୍ଷା ବିଷୟରେ ଜାଣିବା ସହ ଶିକ୍ଷାରେ ସଚେତନତା, କିଶୋର ଭାବପ୍ରବଣତା, ସାମାଜିକ ବିକାଶ, ବ୍ୟକ୍ତିଗତ ଏବଂ ସାମୂହିକ କଲ୍ୟାଣ ପାଇଁ ସାମଗ୍ରିକ ଦୃଷ୍ଟିକୋଣ ଭଳି ବିଷୟବସ୍ତୁ ଉପରେ ଜ୍ଞାନ ଆହରଣ କରିବେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବୌଦ୍ଧ ଶିକ୍ଷକମାନେ ପାରମ୍ପରିକ ଜ୍ଞାନକୁ ସମସାମୟିକ ଶିକ୍ଷାଗତ ଅଭ୍ୟାସ ସହିତ ମିଶ୍ରଣ କରିବା ଦିଗରେ ସେମାନଙ୍କର ଦକ୍ଷତାକୁ ମଜବୁତ କରିବେ ।