ଗୋଆ ନାଇଟ୍‌ କ୍ଲବ୍‌ରେ ଭୟଙ୍କର ଅଗ୍ନିକାଣ୍ଡ : ପର୍ଯ୍ୟଟକଙ୍କ ସମେତ ୨୫ ମୃତ 

ଗୋଆ ନାଇଟ୍‌ କ୍ଲବ୍‌ରେ ଭୟଙ୍କର ଅଗ୍ନିକାଣ୍ଡ : ପର୍ଯ୍ୟଟକଙ୍କ ସମେତ ୨୫ ମୃତ 
  • ପ୍ରଧାନମନ୍ତ୍ରୀଙ୍କ ଶୋକ, 
  • ୨ ଲକ୍ଷ ଲେଖାଁଏ ସହାୟତା ଘୋଷଣା
  • ମ୍ୟାନେଜର ଅଟକ

ପାଣାଜୀ : ଉତ୍ତର ଗୋଆର ଏକ ନାଇଟ୍‌ କ୍ଲବରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଫଳରେ ମହିଳା ଓ ପର୍ଯ୍ୟଟକଙ୍କ ସମେତ ୨୫ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଏଥିରେ ୬ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ଜଣ ପର୍ଯ୍ୟଟକ ଓ ୧୪ ଜଣ କର୍ମଚାରୀ ଅଛନ୍ତି । ବାକି ୭ ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଶନିବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଧିକାଂଶ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁଁ ହୋଇଛି । କାରଣ ପୀଡିତମାନେ ରାଜ୍ୟ ରାଜଧାନୀ ପାଣାଜୀଠାରୁ ପ୍ରାୟ ୨୫ କିଲୋମିଟର ଦୂର ଅରପୋରା ଗ୍ରାମର ଏକ ଲୋକପ୍ରିୟ ପାର୍ଟି ଭେନ୍ୟୁ ‘ବିର୍ଚ ବାଇ ରୋମିଓ ଲେନ୍‌'ର ଭୂତଳ ମହଲାରେ ଫସି ରହିଥିଲେ । ଗତ ବର୍ଷ ଏହି କ୍ଲବ୍‌ ଖୋଲିଥିଲା । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ପାଣ୍ଠି (ପିଏମଏନଆରଏଫ)ରୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛି ।


    ଘଟଣାସ୍ଥଳ ପରିଦର୍ଶନ କରିଥିବା ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ତିନି ଜଣ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି । ସାୱନ୍ତ କହିଛନ୍ତି ଯେ ପ୍ରାରମ୍ଭିକ ସୂଚନା ଅନୁଯାୟୀ ନାଇଟ୍‌ କ୍ଲବ୍‌ ଅଗ୍ନି ନିରାପତ୍ତା ମାନଦଣ୍ଡ ପାଳନ କରିନାହିଁ । କ୍ଲବ୍‌ ନିର୍ମାଣ ଅନଧିକୃତ ବୋଲି ଜଣାପଡିଥିଲା । କିନ୍ତୁ କୋଠା ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ନୋଟିସକୁ ଉଚ୍ଚ କର୍ତ୍ତୃପକ୍ଷ ସ୍ଥଗିତ ରଖିଛନ୍ତି । "ଆମେ କ୍ଲବ୍‌ ପରିଚାଳନା ଏବଂ ସୁରକ୍ଷା ମାନଦଣ୍ଡ ଉଲ୍ଲଂଘନ ସତ୍ତେ୍ୱ ଏହାକୁ କାର୍ଯ୍ୟ କରିବାକୁ ଦେଇଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ସାୱନ୍ତ କହିଛନ୍ତି । ଏହା ଉପକୂଳବର୍ତ୍ତୀ ରାଜ୍ୟରେ ପର୍ଯ୍ୟଟନ ଋତୁର ଉତ୍କର୍ଷ ସମୟରେ ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି ସେ କହିଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ଡ୍ୟାନ୍ସ ଫ୍ଲୋରରେ ନିଅାଁ ଲାଗିଥିଲା । ଗୋଆ ପୁଲିସ ମୁଖ୍ୟ ଆଲୋକ କୁମାର କହିଛନ୍ତି ଯେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ପୁଲିସ୍‌ ନାଇଟ୍‌ କ୍ଲବ୍‌ର ମାଲିକ ସୌରଭ ଲୁଥ୍ରା ଓ ଗୌରବ ଲୁଥ୍ରାଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ କରିଛି । କ୍ଲବ୍‌ର ପରିଚାଳକ ଏବଂ ଇଭେଣ୍ଟ ଆୟୋଜକଙ୍କ ବିରୁଦ୍ଧରେ ମଧ୍ୟ ଏକ ଏଫଆଇଆର୍‌ ରୁଜୁ କରାଯାଇଛି । ୨୦୧୩ରେ କ୍ଲବକୁ  ବାଣିଜ୍ୟ ଲାଇସେନ୍ସ ପ୍ରଦାନ କରିବା ପାଇଁ ରୋଶନ ରେଡକରଙ୍କୁ ଅଟକ ରଖାଯାଇଛି ।