ବ୍ୟବସାୟୀଙ୍କ ଆକ୍ରମଣରେ ଯୁବକ ଗୁରୁତର

ବ୍ୟାସନଗର : ପୌରାଂଚଳର ଗୋପବନ୍ଧୁ ଛକ ନିକଟରେ ଜୈନକ ବ୍ୟବସାୟୀଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇ କଟକ ସ୍ଥାନାନ୍ତରିତ ହୋଇଥିବା ବେଳେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ବାଲିଆପାଳ ଅବକାରୀ ବିଭାଗରେ କାର୍ଯ୍ୟରତ ତଥା ପୌରାଂଚଳ ଗାୟତ୍ରୀ ବିହାର ନିବାସୀ କ୍ଷୀରୋଦ ସାହୁ ଗତ କାଲି ସନ୍ଧ୍ୟାରେ ବିନୋରୀ ପ୍ରିଂଟର ନିକଟରେ ପରିସ୍ରା କରିଥିଲେ। ପ୍ରିଂଟର କର୍ମଚାରୀ ଦୋକାନ ସମ୍ମୁଖରେ କାହିଁକି ପରିସ୍ରା କରୁଛ ବୋଲି ବିରୋଧ କରିବାରୁ ବଚସା ଆରମ୍ଭ ହୋଇଥିଲା । ଯୁକ୍ତିତର୍କ ମଧ୍ୟରେ ପ୍ରଥମେ କ୍ଷୀରୋଦ ଦୋକାନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଏହି ସମୟରେ ଦୋକାନର ମାଲିକ ଜୟଦେବ ଧଳ ପହଁଚି ଘଟଣା ବିଷୟରେ ବୁଝି କ୍ଷୀରୋଦକୁ ବିରୋଧ କରିଥିଲେ । ଝଗଡ଼ା ଥମିବା ବଦଳରେ ବଢି ଚାଲିଲା । ଠେଲା ପେଲା ଭିତରେ କ୍ଷୀରୋଦଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ କ୍ଷୀରୋଦକୁ ଯାଜପୁର ରୋଡ ମେଡିକାଲକୁ ଆଣିଥିଲେ ହେଁ କ୍ଷୀରୋଦର ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । କ୍ଷୀରୋଦର ପରିବାର ପକ୍ଷରୁ ଥାନାରେ ଜୟଦେବ ଓ ତାଙ୍କ ସାନ ଭାଇ ସତ୍ୟବ୍ରତ ନାଁରେ ଏତଲା ଦେଇଥିବା ବେଳେ ଆକ୍ରମଣ କାରୀଙ୍କୁ ଖୁବଶୀଘ୍ର ଧରିବ ବୋଲି ଥାନା ଅଧିକାରୀ କହିଛନ୍ତି ।