ଜଷ୍ଟିସ୍ ଅନଙ୍ଗ କୁମାରଙ୍କ ମୟୂରଭଞ୍ଜ ଗସ୍ତ : ବିଭିନ୍ନ ପ୍ରକଳ୍ପ ଅଗ୍ରଗତିର କଲେ ସମୀକ୍ଷା

 ବାରିପଦା: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ଓଭରସାଇଟ ଅଥରିଟି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ୫ ଦିନିଆ ଗସ୍ତରେ ଆସି ଓମ୍ବାଡସି ପାଣ୍ଠି ସହାୟତାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଛନ୍ତି  । ଡିସେମ୍ବର ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ଜଷ୍ଟିସ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି । 
ଗସ୍ତର ପ୍ରଥମ ଦୁଇ ଦିନରେ ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ଯାଇ ଓମ୍ବାଡସି ସହାୟତାରେ ଚାଲିଥିବା ପ୍ରକଳ୍ପଗୁଡିକୁ ବୁଲି ଦେଖିବା ସହ ଏହାର ଅଗ୍ରଗତିକୁ ନେଇ ସେ ସନ୍ତୋଷ ପ୍ରକାଶ କରିଛନ୍ତି  । ମୟୂରଭଞ୍ଜ ଜିଲ୍ଲାରେ ଓମ୍ବାଡସି ପାଣ୍ଠି ସହାୟତାରେ ପ୍ରମୁଖ କ୍ଷେତ୍ରରେ ପ୍ରକଳ୍ପମାନ କାର୍ଯ୍ୟକାରୀ କରାଯାଉଛି । ଏହା ମଧ୍ୟରେ ପାନୀୟ ଜଳ, ଶିକ୍ଷା ଓ ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଅର୍ଥ ବିନିଯୋଗ କରାଯାଉଛି । ପ୍ରଥମ ଦିନରେ ଜଷ୍ଟିସ ପଟ୍ଟନାୟକ ତକତପୁର ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ । ବିଶ୍ୱବିଦ୍ୟାଳୟକୁ ଯାଇ ସେଠାରେ ପିଜି ପରିଷଦ କୋଠା ନିର୍ମାଣ, ଡିସପେନସାରୀ ବିଲଡିଂ ନିର୍ମାଣ, ନୂତନ ଏକାଡେମିକ୍ କୋଠା ନିର୍ମାଣ ଏବଂ ଲାଇବ୍ରେରୀ ବିଲ୍ଡିଂର ସମୀକ୍ଷା କରିଥିଲେ । ବିଶ୍ୱବିଦ୍ୟାଳୟରେ ଶିକ୍ଷାଗତ ଭିତ୍ତିଭୂମି ବିକାଶ ବିଷୟରେ ଯାଞ୍ଚ କରିଥିଲେ । ସେଠାରେ ସେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବିଷୟରେ ସେ ପ୍ରଧ୍ୟାପକଙ୍କ ଠାରୁ ପଚାରି ବୁଝିଛନ୍ତି । ଉଦଳା ସ୍ଥିତ ମଲ୍ଟି ପ୍ରପୋଜ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ  । କ୍ରୀଡା ଓ ବ୍ୟାୟାମ ପାଇଁ ଅତ୍ୟାଧୁନିକ କ୍ରୀଡା ସାମଗ୍ରୀ ବିଷୟରେ ଉପସ୍ଥିତ ଯୁବବର୍ଗଙ୍କୁ ପଚାରି ବୁଝିଥିଲେ ।  
ଅପରାହ୍ନରେ ସେ ସାମୁଖୁଣ୍ଟା ବ୍ଲକରେ କୃଷି ବିଜ୍ଞାନ କେନ୍ଦ୍ର (କେଭି କେ) ପରିଦର୍ଶନ କରି ଆଗ୍ରି-ଇନକୁ୍ୟବେସନ ଆଣ୍ଡ ଏଣ୍ଟରପ୍ରାଇଜର୍ସିପ୍ ଡେଭଲପମେଣ୍ଟ ପ୍ରୋଗ୍ରାମ, ଦକ୍ଷତା ବିକାଶ ଏବଂ କୃଷି ପ୍ରକ୍ରିୟାକରଣ ୟୁନିଟ୍ର କାର୍ଯ୍ୟ ପଦ୍ଧତି ଦେଖି ନିଜର ଖୁସି ବ୍ୟକ୍ତ କରିଥିଲେ । ଏହି ପାଞ୍ଚଦିନିଆ ଗସ୍ତ ବେଳେ ଓମ୍ବାଡସି ଓଭରସାଇଟ ଅଥରିଟି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟଙ୍କ ସହ ଓମ୍ବାଡସି ସିଇଓ ଜି ରାଜେଶ, ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ, ଧର୍ମାନନ୍ଦ ବେହେରା, ଜୟନ୍ତ କୁମାର ଦାସ,ଶେଖ ନଇମୁଦ୍ଦିନ ଓ ଦ୍ୱିପାୟନ ପଟ୍ଟନାୟକ, ଜୟନ୍ତ କୁମାର ଦାଶ, ଖଋ, ଜଗନ୍ନାଥ ମିଶ୍ର, ଆଦିତ୍ୟ ପ୍ରଧାନ ଏବଂ ଟିମ୍ ଲିଡର ନିହାରକାନ୍ତ ସାହୁ ଏହି ଗସ୍ତ ସମୟରେ ଜଷ୍ଟିସ ଏକେ ପଟ୍ଟନାୟକଙ୍କ ସହ ଯାଇଥିଲେ । ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ  ।