ଜାଲ ଦସ୍ତଖତରେ ଜମି ପଟ୍ଟା ପ୍ରଦାନ ନେଇ ବିକ୍ଷୋଭ

 ଆସିକା : ଲୋକଙ୍କ ଜମିକୁ ଘରୋଇ କମ୍ପାନୀ ନାମରେ ପଟ୍ଟା ପ୍ରଦାନକୁ ନେଇ ଆସିକା ବ୍ଳକ କେ.ନୁଆଁପଲ୍ଲି ଗ୍ରାମରେ ସୃଷ୍ଟି ହୋଇଛି ଉତ୍ତେଜନା । ଗୋଚର ଜମି, ପୁଷ୍କରଣି, ପାହାଡ଼ ଓ ମନ୍ଦିର ଜମିକୁ ପଟା କରାଯାଉଥିବାରୁ ହରଡାପଦର ଆରଆଇ ଅଫିସ ସମ୍ମୁଖରେ ପ୍ରବଳ ହୋହାଲା ପାଟିତୁଣ୍ଡ ଓ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ସ୍ଥାୟୀ ପ୍ରତିକାର ନ ହେଲେ ଭୟାବହ ପରିସ୍ଥିତି ହେବ ବୋଲି ଚେତାଇଛନ୍ତି ଗ୍ରାମବାସୀ । ଗତ ୨୦/୦୪/୨୦୨୫ ତାରିଖ ସର୍ୱ ସାଧାରଣ ନୋଟିସ ପ୍ରକାରେ ହରଡାପଦର ରାଜସ୍ୱ ନିରୀକ୍ଷକ କାଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ନୋଟିସ ପ୍ରକାରେ କେ.ନୁଆଁ ପଲ୍ଲି ର ୫ ଜଣ ନାମରେ ଜାରି ହୋଇଥିବା ନୋଟିସରେ ତାଙ୍କ ପକ୍ଷ ରଖିବାକୁ କୁହାଯାଇ ଥିଲା । ଏହାକୁ ଆଧାର କରି ସମ୍ପୁକ୍ତ ବ୍ୟକ୍ତି ବିଶେଷଙ୍କ ଅଜାଣନ୍ତରେ ଏକ ଘରୋଇ କମ୍ପାନୀ ଜର୍ଜ ଡି ବୁଟର କୁ ଜମି ପଟ୍ଟା ପ୍ରଦାନ କରିବା ନେଇ ଅଶାନ୍ତି ଉପୁଜିଲା । ଯାହାକୁ ନେଇ ଗ୍ରାମବାସୀ ମେଳି ହୋଇ ଏପରି ଆଉ କାହାର ଜମି ହଡ଼ପ ହୋଇଛି ତାହା ଜାଣିବା ପାଇଁ ଲୋକେ ଅନଲାଇନରେ ଦେଖି ଥିଲେ । ଅନୁସନ୍ଧାନ ବେଳେ ଗ୍ରାମ ବାସୀଙ୍କୁ ଭୟଙ୍କର ତଥ୍ୟ ମିଳିଥିଲା । ଗ୍ରାମର ମୋଟ ୧୨୦ ଜଣଙ୍କ ଜମିକୁ ବିଭିନ୍ନ ମାର ପେଞ୍ଚ ନୀତିରେ ଉକ୍ତ ଘରୋଇ କମ୍ପାନୀ ନାମରେ ପଟା କରିଛନ୍ତି । କେବଳ ସେତିକି ନୁହେଁ ଏହି ଅଞ୍ଚଳର ଅନେକ ପର୍ବତ, ପାହାଡ଼, ଜଳାଶୟକୁ ମଧ୍ୟ ପଟ୍ଟା ଘରୋଇ କମ୍ପାନୀକୁ ଦିଆଯାଇଛି ବୋଲି ପୂର୍ବତନ ସରପଞ୍ଚ ପ୍ରଫୁଲ ବିଶ୍ୱାଳ ଅଭିଯୋଗ କରିଛନ୍ତି । ରାଜସ୍ୱ ବିଭଗର ଏଭଳି କାର୍ଯ୍ୟକଳାପ ବିରୁଦ୍ଧରେ ଆଇନର ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଘରେଇ କମ୍ପାନୀ ଜର୍ଜ ଡିଷ୍ଟ୍ରିବୁଟରକୁ ରାଜସ୍ୱ ବିଭାଗର ଏପରି ଅନୁକମ୍ପା କାହିଁକି ଏହାର କାରଣ ଜାଣିବା ପାଇଁ ଗ୍ରାମବାସୀ ଜାଣିବା ପାଇଁ ଉଦ୍ୟମ କରିବା ପରେ ଜଣା ପଡ଼ିଥିଲା ଯେ ବନ୍ଦ ବାଲଜି ସୁତାକଳର କମ୍ପାନୀ ଜର୍ଜ ଡିଷ୍ଟ୍ରିବୁଟର ନାମରେ ଏହି ଅନୁକମ୍ପା ଦେଖା ଯାଇଥିବା ଜଣା ପଡିଥିଲା ।        
ସୂଚନା ଯୋଗ୍ୟ ଗତ ୧୯୮୨ ମସିହାରେ ଆସିକାରେ ସୂତାକଳ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାପନ କରାଯାଇଥିଲା । ଏଥିପୂର୍ବରୁ ଜମି ଅଧିଗ୍ରହଣ ପାଇଁ କେ.ନୁଆଁ ପଲ୍ଲି, ମଗୁରା, ଧୋବାପଲ୍ଲୀ, କୋଟି ନଡା ଅଞ୍ଚଳର ଜମି ରାଜ୍ୟ ସରକାର ନେଇଥିଲେ । ଅଞ୍ଚଳର ବିକାଶ ସାଙ୍ଗକୁ କର୍ମନିଯୁକ୍ତି ପାଇବା ପାଇଁ ବହୁ ଲୋକ ଜମି ପ୍ରଦାନ କରିଥିଲେ । କିନ୍ତୁ ଗତ ୨୦୦୭ ମସିହାରେ ସରକାର ସୁତାକଳକୁ ନ ଚଳାଇ ପରିବାରୁ ବାଲଜି କମ୍ପାନୀ କୁ ହସ୍ତାନ୍ତର କରିଦେଇଥିଲେ । ଘରୋଇ  କମ୍ପାନୀ ମଧ୍ୟ ଏହାକୁ ଠିକ ରୂପେ ଚଲାଇ ନ ପାରୁବାରୁ ଗତ ୨୦୧୨ ମସିହାରେ ଏହା ବନ୍ଦ ହୋଇ ଗଲା । ସେହି ସମୟରେ ସ୍ଥାନୀୟ ଲୋକଙ୍କ ଠାରୁ ଅଧିଗ୍ରହଣ ହୋଇଥିବା ଜମିକୁ ଲୋକଙ୍କୁ ପୁଣି ଫେରେଇ ଦିଆ ଯାଉଥିଲା । ତାହା ପର ଠାରୁ ଲୋକେ ନିଜ ଜମିର ସିସ୍ତୁ ଦେଇ ଆସୁଛନ୍ତି । ହେଲେ ଏବେ ଜାଲିଆତି କରି ଅନେକ ଲୋକଙ୍କ ଜମି କୁ ଘରୋଇ କମ୍ପାନୀ ନାମରେ କରାଯାଇ ଚଞ୍ଚକତା ସ୍ଥାନୀୟ ପ୍ରଶାସନକୁ ଅଗୁଳି ନିକ୍ଷେପ କରୁଛି । ଜମି ହରେଇବା ଭୟରେ ଏବେ କେତେକ ନିରୀହ ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । କାରଣ ଅନେକ ଜମି ଧାରୀଙ୍କ ଜାଲି ଦସ୍ତଖତ କରି ତାଙ୍କ ଜମିକୁ କମ୍ପାନୀ ନାମରେ କରାଯାଇଛି । ଏହାର ପ୍ରଦିବାଦ ସ୍ୱରୂପ ପ୍ରଶାସନକୁ ନ୍ୟାୟ ମଗାଯିବ ନ ହେଲେ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ଗାଁ ଲୋକେ କହିଛନ୍ତି । ସେଭଳି ରମେଶ ପ୍ରଧାନ, ବାଉରି ବନ୍ଧୁ ସ୍ୱାଇଁ, ମହେଶ୍ୱର ନାହାକ, ସୁବାଷ ଚନ୍ଦ୍ର ସ୍ୱାଇଁ ଓ ତ୍ରିନାଥ ସ୍ୱାଇଁଙ୍କ ଜାଲ ଦସ୍ତଖତ କରି ଡିଷ୍ଟ୍ରିବୁଟରକୁ ପଟା ପ୍ରଦାନ କରାଯାଇଥିବା ଅଭିଯୋଗ କରିଛନ୍ତି । ଏମାନେ ରାଜସ୍ୱ ଅଧିକାରୀଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏସଂକ୍ରାନ୍ତରେ ଗାଁ ଲୋକେ ତହସିଲଦାର ସଂଗୀତା ସେନଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ କିନ୍ତୁ ତାଙ୍କ ଅନୁପସ୍ଥିତିରେ ଫୋନ ଯୋଗେ କଥା ହେବାପରେ ଏନେଇ ସେ ଗାଁଲୋକଙ୍କ ସହ ଆଲୋଚନା କରିବେ ବୋଲି ଆସନ୍ତା ମଙ୍ଗଳବାର ଦିନ ଧାର୍ଯ୍ୟ କରିଛନ୍ତି ।