ଜିନ୍ଦଲ ଷ୍ଟେନଲେସରେ ଲାଗିଲା ୬ହଜାର ଗଛ

କଳିଙ୍ଗନଗର :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ସମ୍ମାନ ଜଣାଇ ରାଜ୍ୟ ସରକାରଙ୍କ ଆହ୍ୱାନ କ୍ରମେ ସାମୂହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ‘ଏକ ପେଡ ମା କେ ନାମ’ଜରିଆରେ ଜିନ୍ଦଲ ଷ୍ଟେନଲେସ ଲିମିଟେଡ କଳିଙ୍ଗନଗରରେ ୬,୦୦୦ ବୃକ୍ଷ ରୋପଣ କରାଯାଇଛି । ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ବୃକ୍ଷରୋପଣ କରି ଏହି  ଶୁଭାରମ୍ଭ କରିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ସୁକିନ୍ଦା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ବିଡିଓ ପ୍ରଜ୍ଞା ପରମିତା ପୃଷ୍ଟି ଓ ସ୍ଥାନୀୟ ସରପଞ୍ଚ ତଥା ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ରହି କମ୍ପାନୀର ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ । କମ୍ପାନୀ ପକ୍ଷରୁ ବିଭିନ୍ନ ବିଭାଗରୁ ୬୦ରୁ ଊଦ୍ଧ୍ୱର୍ କର୍ମଚାରୀ ମାନଙ୍କ ସକ୍ରିୟ ଅଂଶଗ୍ରହଣରେ ତଥା ନିଯୋଜିତ ଶ୍ରମିକ ମାନଙ୍କ ଦ୍ୱାରା ବନ୍ଧଗାଁ ଗ୍ରାମରେ ଗୋଟିଏ ଦିନରେ ୫,୦୦୦ ଚାରା ରୋପଣ କରାଯାଇଥିଲା । ଏତଦବ୍ୟତୀତ କାରଖାନା ପରିସରରେକର୍ମଚାରୀ ମାନେ ୧,୦୦୦ ବୃକ୍ଷର ରୋପଣ କରିଥିଲେ । ଏହି ଅବସରରେ ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡର ମୁଖ୍ୟ ସଷ୍ଟେନେବିଲିଟି ଅଧିକାରୀ କଲ୍ୟାଣ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ,ଏହି ପଦକ୍ଷେପ ତୃଣମୂଳ ସ୍ତରରେ ସମ୍ପ୍ରଦାୟକୁ ସାମିଲ କରି ପରିବେଶଗତ ସନ୍ତୁଳନକୁ ବୃଦ୍ଧି କରିବାର ଆମର ଦୀର୍ଘକାଳୀନ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ।