ଜିଲ୍ଲା ଗଠନର ୩୨ ବର୍ଷ ପରେ ବି ଅବହେଳିତ ସୁବର୍ଣ୍ଣପୁର

ସୋନପୁର  :  ସୁବର୍ଣ୍ଣପୁର ଜିଲ୍ଲା ଗଠନକୁ ୩୨ ବର୍ଷ ବିତିଲାଣି । ହେଲେ ଜିଲ୍ଲାରେ ଏବେ ବି ଆଖିଦୃଶିଆ ବିକାଶ ହୋଇନାହିଁ । ତେବେ ପୂର୍ଣ୍ଣାଙ୍ଗ ବିକାଶ ହେବାକୁ ଆଉ କେତେ ଦିନ ଲାଗିବ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆସନ୍ତା ୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୁବର୍ଣ୍ଣପୁର ଗ୍ରସ୍ତ କରୁଛନ୍ତି । ୩୨ ବର୍ଷର ଜିଲ୍ଲା ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାବେଳେ ଜିଲ୍ଲାବାସୀ ଖୋଲା ଚିଠି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଜଣାଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାରେ ୬ଟି ବ୍ଲକ ସହ ତହସିଲ ଅଛି । ୨ଟି ସବଡିଭିଜନ,୨ଟି ଏନଏଏସି , ଗୋଟିଏ ପୌର ପରିଷଦ ସହ ୧୦୯ଟି ପଞ୍ଚାୟତ ରହିଛି । ଜିଲ୍ଲାର ସୋନପୁର ବିଧାନସଭା ଏବଂ ବୀରମହାରାଜପୁର  ବିଧାନସଭା ୨ଟି ନିର୍ବାଚନମଣ୍ଡଳୀ । ଏହି ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ଅନ୍ତର୍ଭୁକ୍ତ ରହିଛି । ଜିଲ୍ଲାର ଲୋକସଂଖ୍ୟା ପ୍ରାୟ ୮ ଲକ୍ଷ । ଜିଲ୍ଲାର ଏରିଆ୨୩୩୭୬ ବର୍ଗ କିଲୋମିଟର ରହିଛି । ଅତୀତରେ ସୁବର୍ଣ୍ଣପୁର ଜିଲ୍ଲା ଐତିହ୍ୟ, ସଂସ୍କୃତି, ପରମ୍ପରାର ନେଇ ସମୃଦ୍ଧି ଥିଲା । ମନ୍ଦିରମାଳିନୀ ସୋନପୁରକୁ ଦ୍ୱିତୀୟ ବାରାଣାସୀ କୁହାଯାଏ । ସାହିତ୍ୟ, ଜ୍ୟୋତିଷ ଶାସ୍ତ୍ର, ଆୟୁର୍ବେଦିକ ନେଇ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ବୟନ ଶିଳ୍ପ ପରାକାଷ୍ଠା ଏଠାକାର ବୁଣାକାର ଅନ୍ତର୍ଜାତୀୟ ମାନ୍ୟତା ପ୍ରାପ୍ତ ହୋଇଥିଲା । ସୋନପୁର ଐତିହ୍ୟ ଓ ଇତିହାସଙ୍କୁ ପୁଣି ଥରେ ପ୍ରତିଷ୍ଠା କରିବା ପାଇଁ ଜିଲ୍ଲା ଆନେ୍ଦାଳନ ହେଲା । ଫଳସ୍ୱରୂପ ୧୯୯୩ ମସିହା ଏପ୍ରିଲ ୧ତାରିଖରେ ଆନେ୍ଦାଳନ ମାଟି  ସୁବର୍ଣ୍ଣପୁର ଜିଲ୍ଲା ଘୋଷଣା ହୋଇଥିଲା ।  ଇତି ମଧ୍ୟରେ ଜିଲ୍ଲା ଗଠନକୁ ୩୨ ବର୍ଷ ବିତିଥିବାବେଳେ ଜିଲ୍ଲାରେ ସେଭଳି କିଛି ବିକାଶ ହୋଇ ପାରିନାହିଁ । 
ପର୍ଯ୍ୟଟନ କ୍ଷେତ୍ରରେ ସୁବର୍ଣ୍ଣପୁର ଜିଲ୍ଲାକୁ ରାଜ୍ୟର ନାଭିକେନ୍ଦ୍ର କୁହାଯାଇଥାଏ । ତେବେ ପର୍ଯ୍ୟଟନ ଶିଳ୍ପର ସମସ୍ତ ଭିତ୍ତିଭୂମି ଥିଲେ ମଧ୍ୟ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହୋଇ ପାରିନାହିଁ । କେବଳ ଖୋର୍ଦ୍ଧା- ବଲାଙ୍ଗିର ରେଳପଥ ନେଇ ଆଶା ସଞ୍ଚାର କାର୍ଯ୍ୟ ହୋଇଛି । ବରଗଡ, ବଲାଙ୍ଗୀର , ସୁବର୍ଣ୍ଣପୁର ,ବୌଦ୍ଧ ଜିଲ୍ଲା ନେଇ ନୂତନ ରେଳପଥ କୋଡ଼ିଡର କରାଯାଇପାରେ । ଏହି  ରେଳ ପଥ ନେଇ ଜିଲ୍ଲାର ଅର୍ଥନୈତିକ ଭିତ୍ତିଭୂମି ସଜାଇବା ବ୍ୟବସ୍ଥା ହୋଇନାହିଁ । ଏବେ ବି ପୁରୁଣା କୋଠାରେ ଜିଲ୍ଲାର ଅନେକ ସରକାରୀ କାର୍ଯ୍ୟାଳୟ ଚାଲୁଛି । ଅନେକ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ସତ୍ତ୍ୱେ ଜିଲ୍ଲାର କ୍ରୀଡ଼ା ଛାତ୍ରବାସ ହୋଇପାରି ନାହିଁ ।  ଶିକ୍ଷାକ୍ଷେତ୍ରରେ ଅଗ୍ରଣୀ କଥା କହୁଥିଲେ ମଧ୍ୟ ସୋନପୁର ମହାବିଦ୍ୟାଳୟ ଓ ବିଜୁ ମହିଳା ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ମିଳି ପାରି ନାହିଁ । ସରକାରୀ ମୁଖ୍ୟ ଡାକ୍ତରଖାନାରେ ଅନେକ ବିଶେଷଜ୍ଞ ନାହାନ୍ତି । ଜିଲ୍ଲାର ସତୁରୀ ଭାଗ ଲୋକ ଚାଷ ଉପରେ ନିର୍ଭରଶୀଳ । କେବଳ ଡୁଙ୍ଗୁରିପାଳ, ବିନିକା ପ୍ରମୁଖ ୨ଟି ବ୍ଳକରେ ହୀରାକୁଦରୁ ଜଳସେଚନ ହେଉଛି । ଜିଲ୍ଲାର ସୋନପୁର, ତରଭା, ଉଲୁଣ୍ଡା, ବୀରମହାରାଜପୁର ପ୍ରମୁଖ ୪ଟି ବ୍ଲକରେ ଜଳସେଚନ ସୁବିଧା ହୋଇପାରିନି । ଜିଲ୍ଲାରେ ମହାନଦୀ, ତେଳନଦୀ, ନିବୃତ୍ତି, ଅଙ୍ଗ ନଦୀ, ସୁରୁବାରି ଯୋର, ହରିହର ଯୋର ପରି ଅନେକ ନଦୀ ଜାଲ ପରି ବିଛାଇ ହୋଇ ରହିଥିଲେ ହେଁ ଛୋଟ ଛୋଟ ଆନିକଟ କରି ଜଳସେଚନ ସୁବିଧା କରାଯାଇପାରୁନି ।  କୃଷି ପରେ ଜିଲ୍ଲାର ବୟନ ଶିଳ୍ପ ଉପରେ ବେଶୀ ନିର୍ଭରଶୀଳ । କିନ୍ତୁ ବିଶ୍ୱ ପ୍ରସିଦ୍ଧ ବୟନ ଶିଳ୍ପ ସୋନପୁର ପାଇଁ କିଛି ହେଉ ନାହିଁ । ଜିଲ୍ଲାରେ ଗୋଟିଏ ବୟନ ଶିଳ୍ପର ମହାବିଦ୍ୟାଳୟ ଖୋଲିବା କଥା । ଅଶୀ ଦଶକରେ ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ପ୍ରଥମ ଶିଳ୍ପ ସୋନପୁର ସୂତାକଳ ଋଗୁଣ ହୋଇ ବନ୍ଦ ହୋଇଯାଇଛି । ସଂସ୍କୃତି ଏବଂ ଐତିହ୍ୟ ସମ୍ପନ୍ନ ସୁବର୍ଣ୍ଣପୁର ଜିଲ୍ଲା ହେରିଟେଜ ଜିଲ୍ଲା ଘୋଷଣା ଲାଗି ହକଦାର ଥିଲେ ମଧ୍ୟ ଠୋସ ପଦକ୍ଷେପ ନିଆଯାଇ ପାରି ନାହିଁ । ଜିଲ୍ଲା ହେଲା ପରେ ପ୍ରଗତି କେବଳ ପାଣି, ଆଲୋକ, ରାସ୍ତାରେ ସୀମିତ ରହିଛି । ଏବେ ରାଜ୍ୟରେ ନୂତନ ବିଜେପି ସରକାର ଆସିଛି । ସୁବର୍ଣ୍ଣପୁର ଜିଲ୍ଲାରବାସୀ ମଧ୍ୟ ବହୁତ ଆଶା କରିଛନ୍ତି । ପ୍ରାଥମିକ ସ୍ତରରେ ରିଙ୍ଗ ରୋଡ ସମ୍ପୂର୍ଣ୍ଣ, ବାଇ ପାସ ରୋଡ ନିର୍ମାଣ, କେନ୍ଦୁପତ୍ର ଡିଭିଜନ କାର୍ଯ୍ୟାଳୟ, ସୈନିକ ସ୍କୁଲ ସ୍ଥାପନ, ବୟନ ଶିଳ୍ପ ମହାବିଦ୍ୟାଳୟ ସ୍ଥାପନ ଦାବିପୂରଣ ହେବା କଥା । ସମ୍ବଲପୁର ଠାରୁ ସୋନପୁରକୁ ରେଳ ପଥ ସଂଯୋଗୀକରଣ କରାଯିବାର ଦାବିହେଉଛି  । ଅନ୍ୟ ପକ୍ଷରେ ରାଜ୍ୟ ସରକାରରେ ପ୍ରତିନିଧିତ୍ୱ କରୁଥିବାର ଏହି ଅଞ୍ଚଳ ଜନ ପ୍ରତିନିଧିମାନେ ଜିଲ୍ଲାରେ ସୂତାକଳ  ପୁନଃଚାଳୁ ଏବଂ ନୂତନ ମତ୍ସ୍ୟ ମହାବିଦ୍ୟାଳୟ , ଆର୍ୟୁବୈଦିକ ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା ନେଇ ନିର୍ବାଚନରେ ପ୍ରତିଶ୍ରୁତି ଦେଇଛନ୍ତି । ତାହା ପୂରଣ କରିବା ପାଇଁ ଠୋସ ପଦକ୍ଷେପ  ନେବାର ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ଦାବି କରୁଛନ୍ତି । ।