ଜିଲ୍ଲା ପରିଷଦ ଫଣ୍ଡର ଅପବ୍ୟୟ : ରାସ୍ତା ବଦଳରେ ଘର ପ୍ରାଙ୍ଗଣ ହେଉଛି କଂକ୍ରିଟ୍
ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଜିଲ୍ଲା ପରିଷଦ ଫଣ୍ଡର ଅପବ୍ୟୟ କରାଯାଉଥିବା ଜଣାପଡିଛି । ଗୋଲାମୁଣ୍ଡା ଜୋନର ବୃନ୍ଦାବାହାଲ ଗ୍ରାମରେ ରାସ୍ତା କାମ ଦର୍ଶାଇ ଘର ସମ୍ମୁଖରେ ଥିବା ସମସ୍ତ ପ୍ରାଙ୍ଗଣ କଂକ୍ରିଟ କରିଥିବା ଦେଖିବାକୁ ମିଳିଛି । ଏପଟେ ବିନା ସୂଚନା ଫଳକରେ କାମଟି ଚାଲିଥିବା ବେଳେ କାମର ଅଟକଳ ପରିମାଣ ଉପରେ ଏକ ସନେ୍ଦହ ଉପୁଜିଛି । ଏ ନେଇ ଜନସାଧାରଣଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି । ସରକାର ରାସ୍ତା କିମ୍ବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଜିଲ୍ଲା ପରିଷଦମାନଙ୍କୁ ଫଣ୍ଡ ଯୋଗାଇଥାନ୍ତି । ହେଲେ ଏଠାରେ କିଛି ରାସ୍ତା କାମ କରି ଏକ ଘର ସମ୍ମୁଖରେ ଥିବା ସମସ୍ତ ପ୍ରାଙ୍ଗଣକୁ କଂକ୍ରିଟ କରିବା କେତେଦୂର ଯୁକ୍ତିଯୁକ୍ତ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଲୋକ ପ୍ରତିନିଧିମାନେ କ୍ଷମତା ପାଇଲେ ସରକାରୀ ଫଣ୍ଡକୁ ଜନସାଧାରଣଙ୍କ କାର୍ଯ୍ୟରେ ବିନିଯୋଗ ନ କରି ନିଜର ଘର କିମ୍ବା ନିଜ ସମ୍ପର୍କୀୟ ଘର ପ୍ରାଙ୍ଗଣ ଗୁଡିକରେ କଂକ୍ରିଟ କରି ଫାଇଦା ଉଠାଇବା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ ନୂତନ ବିଜେପି ସରକାର ଅମଳରେ ବିଜେଡି ଜିଲ୍ଲା ପରିଷଦମାନେ ଏପରି କାମ କରୁଛନ୍ତି, ପୂର୍ବରୁ ଦୀର୍ଘ ୨୪ ବର୍ଷର ବିଜେଡି ଶାସନ କାଳରେ କ’ଣ କରି ନ ଥିବେ ସାଧାରଣ ଲୋକେ ଠିକ ଅନୁମାନ କରିପାରିଥିବେ । ଏ ବିଷୟ ନେଇ ଦାୟିତ୍ୱରେ ଥିବା ଯନ୍ତ୍ରୀ ଚିତ୍ତରଞ୍ଜନ ଜେନାଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା । ପୂର୍ବରୁ ବି ଏବିଷୟରେ ଅଭିଯୋଗ ହୋଇଥିଲା । ରାସ୍ତା କାମର ଦୂରତା ମାପ କରି ବିଲ ପୈଠ କରାଯିବ, ଘର ପ୍ରାଙ୍ଗଣରେ ହୋଇଥିବା କଂକ୍ରିଟ କାମର ବିଲ ପୈଠ କରାଯିବ ନାହିଁ ବୋଲି ସୂଚନା ଦେଇଛନ୍ତି ।