ଟମକାରେ ବହୁଳ ଆଦୃତ.... ହାଣ୍ଡିଶାଳର ବନ୍ଧୁ ସଜନା ଶାଗ

 
ାା ଟମକାରୁ ଅବତାର ଅଲ୍ଲୀ ।ା : ସଜନା । ବିଭିନ୍ନ ଦେଶ, ବିଦେଶ ସହ ରାଜ୍ୟମାନଙ୍କରେ ଏହାର ଭିନ୍ନ ଭିନ୍ନ ନାମ ରହିଛି ।  ଆମ ରାଜ୍ୟରେ ଏହା ସଜନା ଓ ସୁଜୁନା ନାମରେ ପରିଚିତି । ଯାହାକୁ ଆର୍ୟୁବେଦରେ ସ୍ୱର୍ଗବୃକ୍ଷ ମଧ୍ୟ କୁହାଯାଏ । କାରଣ ଏହା ଏମିତି ଏକ ବୃକ୍ଷ ଯେଉଁଥିରେ ଭରି ରହିଛି ମଣିଷ ପାଇଁ ଅନେକ ଉପାଦେୟତା । ଶହେଗ୍ରାମ ସଜନା ପତ୍ରରେ ୫ଗ୍ଲାସ କ୍ଷୀର ସମାନ କ୍ୟାଲସିୟମ ଭରି ରହିଥିବା ବେଳେ ଏହି ସଜନାରେ ୯୨ପ୍ରକାରର ମଲ୍ଟି ଭିଟାମିନ୍, ୪୬ପ୍ରକାରର ଆଣ୍ଟି ଅକ୍ସିଡେଣ୍ଟ, ୩୬ ପ୍ରକାରର ପିଡା ନିବାରକ ତତ୍ୱ, ୧୮ ପ୍ରକାରର ଏମିନୋ ଏସିଡ୍ ସହିତ ଫାଇବର ମଧ୍ୟ ଭରି ରହିଛି । ଅର୍ଦ୍ଧକପାଳି, ମୁଣ୍ଡବିନ୍ଧା, ହଇଜା, ଝାଡାବାନ୍ତି, ଜଣ୍ଡିସ୍, ଅନ୍ଧାରକଣା ଭଳି ରୋଗରୁ ଉପଶମ ପାଇଁ ଏହାକୁ ବ୍ୟବହାର କରାଯାଏ । ଏହିଗଛର ଛେଲି ରସରେ ବଥ, ବାଗି, ବାଳମୂଳିଆ ଭଲ ହେଉଥିବା ବେଳେ ବହୁଳ ମାତ୍ରାରେ ସଜନା ସାଗ ଖାଇଲେ ଅନ୍ଧାରକଣା ମଧ୍ୟ ଦୂର ହେଉଥିବା କୁହାଯାଏ । ସେହିପରି ଭାବେ ସଜନା ମଞ୍ଜିକୁ ଶୁଖେଇ ବାଟି ଲଗେଇଲେ ଅର୍ଦ୍ଧକପାଳି, ମୁଣ୍ଡବିନ୍ଧା ଆଦି ଭଲ ହୋଇଯାଏ ବୋଲି ଆୟୁର୍ବେଦରେ ବର୍ଣିତ ହୋଇଛି ।  ଏହା ଏମିତି ଏକ ବୃକ୍ଷ ଯାହାର ପତ୍ର, ଫୁଲ, ଫଳ, ମଞ୍ଜି ଓ ଛେଲି ମଣିଷର ଅନେକ ହିତ କାର୍ଯ୍ୟରେ ବ୍ୟବହୃତ ହୁଏ । ବିଭିନ୍ନ ରୋଗରୁ ଉପଶମ ସହ ଏହା ଧନୀ, ଗରୀବ ସମସ୍ତଙ୍କ ଖାଦ୍ୟରେ ଦେଖିବାକୁ ମିଳେ । ଏଥିପାଇଁ ଏବେ ଆମ ରାଜ୍ୟ ଓଡିଶା ସହ ଅନେକ ରାଜ୍ୟରେ ଏହାର ବହୁଳ ମାତ୍ରାରେ ଚାଷ କରାଯାଉଥିବା ଦେଖିବାକୁ ମିଳେ । ବୈଜ୍ଞାନିକ ପଦ୍ଧତିରେ ଏହାର ଉନ୍ନତ ମାନର ଚାରା ପ୍ରସ୍ତୁତ କରାଯାଇ ଏହାକୁ ଏକ ଲାଭ ଜନକ ଚାଷ ଭାବେ ଆପଣା ଯାଉଥିବା ଦେଖାଯାଇଛି । ଦେଶି ସଜନା ଗଛରେ ବର୍ଷକୁ ଥରେ ଛୁଇଁ ହେଉଥିବା ବେଳେ ଉନ୍ନତ ମାନର ବାରମାସି ହାଇବ୍ରିଡ ଗଛରେ ବର୍ଷ ତମାମ ଏହି ଛୁଇଁ ଦେଖାଯାଏ । ଯେଉଁଥିପାଇଁ ଖାଉଟି ବଜାରରେ ବର୍ଷ ସାରା ଏହି ଛୁଇଁ ବିକ୍ରୀ ହୁଏ । ଏହି କ୍ରମରେ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ଟମକା ଥାନା ଅଂଚଳରେ ମଧ୍ୟ ଏହି ସଜନାର ବହୁଳ ଆଦ୍ରୁତ ରହିଛି । ଏଠାରେ ଥିବା କିଆଝର, ରାଇଘାଟି, ଟୁଙ୍ଗେଇଶୁଣୀ, ବୁରୁଡିସାହି, ଉପର ଟମକା, ଜନୀନ୍ଦାପାଳ, ଚମ୍ପାଝର, ତରାଝର, ବେଲବାହାଳି, ସମରପିଟା, ଦେଉଲକଣ, ପାଟବାଲି, ବଣସାହି, ଅରାସାହି, ଗୋବର୍ଦ୍ଧନପୁର, ଚିତ୍ରୀ, ଓସ୍ତାପାଳ, ଉଚ୍ଚବାଲି, ଟୋଲକାନୀ, ନଚ୍ଛିପୁରା, ସୋବରା, ସାଇକୂଁଳ  ଉଦ୍ୟାତି ଅଞ୍ଜଳର ପ୍ରତ୍ୟେକ ସାହିରେ ଏହି ଗଛ ଦେଖିବାକୁ ମିଳେ । ମୁଖ୍ୟତଃ ଏଠାରେ ୮୦ ପ୍ରତିଶତ ଲୋକ ଆଦିବାସୀ ଖଟିଖିଆ ଦିନ ମଜୁରିଆ ଶ୍ରେଣୀର ହୋଇଥିବା ବେଳେ ପ୍ରତ୍ୟେକ ଲୋକଙ୍କ ବାଡିରେ ସେମାନେ ସଜନା ଗଛ ଲଗାଇଥାନ୍ତି । ବର୍ଷା ଦିନରେ ଏହି ଗଛର ଡାଳକୁ ମାଟିରେ ପୋତି ଦେଲେ ଏହା ବଞ୍ଚିଯାଏ । ଏଥିରେ କୌଣସି  ପରିଶ୍ରମ କରିବାକୁ ପଡେନାହିଁ କିମ୍ବା କୌଣସି ଖତ ସାର ମଧ୍ୟ ପ୍ରୟୋଗ କରାଯାଏ ନାହିଁ । ଯାହା ବର୍ଷେ ଦୁଇ ବର୍ଷ ମଧ୍ୟରେ ପତ୍ର, ଫୁଲ ଓ ସଜନା ଛୁଇଁ ପ୍ରଦାନ କରିଥାଏ । ଏହି ଅଞ୍ଚଳର ଅନେକାଂଶରେ ଲୋକମାନେ ଦୈନିକ କାର୍ଯ୍ୟ ପାଆନ୍ତି ନାହିଁ । ଯେଉଁଥି ପାଇଁ ସେମାନେ ଦୋକାନ ବଜାର ଯାଇ ସଉଦା କିଣିବାକୁ ସମର୍ଥ ହୁଅନ୍ତି ନାହିଁ । ସରକାରଙ୍କ ଦ୍ୱାରା ପ୍ରଦତଃ ମାଗଣା ଚାଉଳରେ ସିନା  ଭାତ ହୋଇଯାଏ ହେଲେ ତରକାରୀ ଯୋଗାଡ କରି ପାରୁ ନଥିବା କାରଣରୁ ଏହି ସଜନା ସାଗ ହିଁ ସେମାନଙ୍କ ଦୈନଦିନର ତରକାରୀ ପାଲଟେ । ପଖାଳ କଂସା ସାଙ୍ଗକୁ ସଜନା ସାଗ ଭଜା ହିଁ ଏମାନଙ୍କର ମୁଖ୍ୟତଃ ଖାଦ୍ୟ ହୋଇଥାଏ । ସେହିପରି ଭାବେ ବାର୍ଷିକ ଥରେ ଛୁଇଁ ହେଲେ ଏହି ଗ୍ରାମବାସୀ ମାନେ ସେଥିରେ ଭଜା ସମେତ, ତରକାରୀ ଓ ଆଚାର ମଧ୍ୟ କରି ଖାଉଥିବାର ଦେଖାଯାଏ । ଏହା ଦୈନଦିନ ଖାଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ୱ ଏମାନଙ୍କୁ ଅନେକାଶଂରେ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ । ସେହିପରି ଭାବେ ଅନେକ ଲୋକ ଏହାର ଶାଗ ଓ ଛୁଇଁକୁ ତୋଳି ଛକ ବଜାରରେ ବିକ୍ରୀ କରି କିଛି ପଇସା କମାଉଥିବା ବେଳେ ଅନେକ ଲୋକ ଏହାକୁ କିଣି ଘରକୁ ନିଅନ୍ତି । ତେବେ ଏହି ଗରୀବ ଲୋକ ମାନଙ୍କ ଖାଦ୍ୟରେ ଦୈନଦିନ ସଜନା ସାହାରା ପାଲଟୁଥିବାରୁ ଏହାକୁ ଗରୀବ ‘ହାଣ୍ଡିଶାଳର ବନ୍ଧୁ’ ଭାବେ ଆଖ୍ୟା ମଧ୍ୟ ଦିଆ ଯାଇଥାଏ ।