ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବୈଠକ
ବାଲେଶ୍ୱର: ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ନୂତନ ବର୍ଷର ପ୍ରଥମ ବୈଠକ ଓ ବନ୍ଧୁମିଳନ ସ୍ଥାନୀୟ ନୃତ୍ୟ ସଙ୍ଗୀତ କଳା ମନ୍ଦିରସ୍ଥ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଞ୍ଚର ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ ଅଧ୍ୟକ୍ଷତା କରି ସମସ୍ତଙ୍କୁ ସ୍ୱାଗତ କରିବା ସହିତ ନବବର୍ଷର ଅଭିନନ୍ଦନ ଜଣାଇଥିଲେ । ସାଧାରଣ ସମ୍ପାଦକ ଦାମୋଦର ନାୟକ ଅଭିନନ୍ଦନ ଜଣାଇ ସମସ୍ତଙ୍କର ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହିତ ଗତବର୍ଷ ମଞ୍ଚ ଗ୍ରହଣ କରିଥିବା କାର୍ଯ୍ୟର ସୂଚନା ପ୍ରଦାନ କରି ଚଳିତବର୍ଷ ପାଇଁ ସଦସ୍ୟ ସଦସ୍ୟାମାନେ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେବାକୁ ଅନୁରୋଧ କରିଥିଲେ । ଉପସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ବରିଷ୍ଠ ନାଗରିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରି ସେଗୁଡ଼ିକର ସମାଧାନ ନିମନ୍ତେ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ଉପଦେଷ୍ଟା ଗିରିଶ ଚନ୍ଦ୍ର ଦାଶ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି, ସମନ୍ୱିତ ପ୍ରକଳ୍ପ ନିମନ୍ତେ ପ୍ରଶାସନିକ ଅବହେଳା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଉପସଭାପତି ସୀତାରାମ ପ୍ରଧାନ ବରିଷ୍ଠ ନାଗରିକମାନଙ୍କୁ ଉପେକ୍ଷା କରାଯାଉଥିବାର କ୍ଷୋଭ ପ୍ରକାଶ କରିଥିଲେ । ସମ୍ପାଦିକା ଲକ୍ଷ୍ମୀପି୍ରୟା ଜେନା, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ ଓ ନିରଞ୍ଜନ ରାଉତ ପ୍ରମୁଖ ନିରବଚ୍ଛିନ୍ନ ଭାବେ ସମସ୍ୟା ସମ୍ବଳିତ ଦାବିଗୁଡ଼ିକ ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରେ ଉପସ୍ଥାପନ କରାଯିବାକୁ ମତ ଦେଇଥିଲେ । ବରିଷ୍ଠ ଉପଦେଷ୍ଟା କମଳାକାନ୍ତ ବେହେରା ବରିଷ୍ଠ ନାଗରିକମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାନୁଗଞ୍ଜ, ରେମୁଣା ଶାଖାର ବିଧାନଚନ୍ଦ୍ର ରାୟ, ଖଇରା ଶାଖାର ଶରତ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ତୃଣମୂଳ ସ୍ତରରେ ବରିଷ୍ଠ ନାଗରିକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନସୂୟା ନାୟକ, ସୋମନାଥ ନାୟକ, ଯଶୋଦାନନ୍ଦନ ଆଶ୍ ଓ ଦେବେନ୍ଦ୍ର ଚୌଧୁରୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ମତ ପ୍ରଦାନ କରିଥିଲେ । ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଆସନ୍ତା ସପ୍ତାହରେ ସମସ୍ୟା ସଂବଳିତ ଦାବିପତ୍ର ପ୍ରଦାନ କରି ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପାଇଁ ଏକ ୭ଜଣିଆ କମିଟି ଗଠନ କରାଯାଇଛି । ଦାବିଗୁଡ଼ିକ ସମାଧାନ ନ ହେଲେ ଗଣତାନ୍ତ୍ରିକ ପଦ୍ଧତିରେ ବାଲେଶ୍ୱରରେ ଓ ରାଜ୍ୟ ବିଧାନସଭା ସମ୍ମୁଖରେ ଗଣଧାରଣା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି । ଜନସଂପର୍କ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ସହ ମଞ୍ଚ ଆହ୍ୱାନ କରିଥିଲେ । ଶେଷରେ ବେଣୁଧର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।