ଜିଲ୍ଲାପାଳ ଓ ଏସ୍ପି ଦାୟୀ... ହେଲେ ଅରବିନ୍ଦ ପାଢ଼ୀ?
ରଥଯାତ୍ରାରେ ଗଡ଼ିଲାନି ନନ୍ଦିଘୋଷ । ଖାଲି ବିଧି ରକ୍ଷା ପାଇଁ ରାତିରେ କେଇ ପାଦ ଗଡ଼ିଥିଲା । କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ମନ ଦୁଃଖରେ ଭରି ଯାଇଥିଲା । ବିଭ୍ରାଟ ଓ ଅବ୍ୟବସ୍ଥା ନେଇ ସମସ୍ତେ ଆଙ୍ଗୁଠି ଉଠାଇଥିଲେ । ହେଲେ କଥାକୁ ବାଏଁ ବାଏଁ ଉଡ଼ାଇଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । କୋଟିକୋଟି ଭକ୍ତଙ୍କ ଆବେଗ ସହ ଜଡ଼ିତ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କହିଲେ, ଏହା ଜଗନ୍ନାଥଙ୍କ ଇଚ୍ଛା । ବାସ୍ କାଳିଆ ଠାକୁର ଉପରେ ଦୋଷ ଝାଡ଼ିଦେଇ ବସିପଡ଼ିଲେ ।
ରଥଯାତ୍ରା ଦିନ ମଧ୍ୟ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିଚାଳନାଗତ ତ୍ରୁଟି ପାଇଁ ଅନେକ ଭକ୍ତ ଅଣନିଃଶ୍ୱାସୀ ହୋଇଯାଇଥିଲେ । ବ୍ୟବସ୍ଥାକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ପ୍ରଶ୍ନ ବି ଉଠିଥିଲା । ବିରୋଧୀ ବି ପ୍ରଶ୍ନ ଉଠାଇଥିଲେ । ହେଲେ ସେଥିପ୍ରତି ନଜର ଅନ୍ଦାଜ କରାଗଲା । ଯଦି ରଥ ନଗଡ଼ିବା କାଳିଆର ଇଚ୍ଛା, ତାହେଲେ କାଳିଆ ହିଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅବ୍ୟବସ୍ଥା ନେଇ ଚେତାଇ ଦେଇନଥିଲେ କି ? ଆଗକୁ ଯେଭଳି ତ୍ରୁଟି ନହେବ ସେଥିପ୍ରତି ଗୁରୁତ୍ୱ ଦେବାକୁ ଏହା କ’ଣ କାଳିଆର ସଂକେତ ନଥିଲା କି ?
କାଳିଆ ଏଭଳି ସଂକେତ ଦେବା ପରେ ଯଦି ନଜର ଅନ୍ଦାଜ କରାଯିବ, ତାହେଲେ ସବୁକିଛି ସୁରୁଖୁରୁରେ କେମିତି ହେବ ? ଯେଉଁଥିପାଇଁ ଶରଧାବାଲିରେ ଲୋକଙ୍କ ଜୀବନ ଦୀପ ଲିଭିଗଲା । କାଳିଆ କ’ଣ ତା’ ଭକ୍ତଙ୍କ ଜୀବନ ନେବାକୁ ଚାହିଁଥିଲେ କି ? ସେ ପରା ଭକ୍ତର ଭଗବାନ । ସେଦିନ ଭିଡ଼ ହେବବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜାଣିନଥିଲେ କି ? ରଥ ଉପରୁ ମହାପ୍ରଭୁ ଆଡ଼ପ ମଣ୍ଡପକୁ ନଯିବା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଭିଡ଼ ହେବା ଏକ ସାଧାରଣ କଥା । ପ୍ରଭୁ ଯେତେବେଳେ ରଥ ଉପରେ, ସେଭଳି ସମୟରେ ଭକ୍ତ ଘରେ କେମିତି ବସିବ । ସେ ତ ପୁରୀ ଯାଇ ଦର୍ଶନ ହିଁ କରିବ । କିନ୍ତୁ ଏଥିପାଇଁ ବ୍ୟବସ୍ଥା କାହିଁକି କରାଗଲା ନାହିଁ । ସେ ଏଆଇ କ୍ୟାମେରା କୁଆଡ଼େ ଗଲା । ପୁରୀ ସହର ଭିତରକୁ କେତେଗାଡ଼ି ଆସୁଛି ତାହା ତ ପ୍ରଶାସନର ନଜରରେ ରହିଛି । ଅତଏବ ଭକ୍ତଙ୍କ ଫ୍ଲୋ ବଡ଼ଦାଣ୍ଡରୁ ନୁହେଁ ଛକମାନଙ୍କରେ ହେଉଥିବା ଟ୍ରାଫିକ୍ ଜାମରୁ ତ ସ୍ପଷ୍ଟ ଜଣା ପଡ଼ିଯାଇଥିବ । ଯଦି ଆଶାଠାରୁ ଭକ୍ତଙ୍କର ସମାଗମ ବଢ଼ିଲା ସେତେବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦୃଷ୍ଟି ଦେଲେନାହିଁ କାହିଁକି । ନା ମହାପ୍ରଭୁଙ୍କୁ ବଡ଼ଦାଣ୍ଡରେ ଛାଡ଼ିଦେଇ ନିଜେ ଅନନ୍ତ ଶୟନରେ ପଳାଇଥିଲେ ? ଏବେ ସରକାର ବିଭ୍ରାଟକୁ ମାନିଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ବି ଏହାକୁ ଅକ୍ଷମଣୀୟ କହିବା ସହ ଜଗନ୍ନାଥ ପ୍ରେମୀଙ୍କୁ କ୍ଷମା ମାଗିଛନ୍ତି । କିନ୍ତୁ ଅରବିନ୍ଦ ପାଢ଼ୀ ଏନେଇ ପଦୁଟିଏ ଟିପ୍ପଣୀ ଦେଇନାହାନ୍ତି । ବୋଧହୁଏ ତାଙ୍କର କିଛି ଭୁଲ୍ ନାହିଁ ବୋଲି ସେ ଧରି ନେଇଛନ୍ତି । ପୁରୀ ଘଟଣାରେ ଜିଲ୍ଲାପାଳ ଓ ଏସପିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅନ୍ୟ ସମୟରେ ଜିଲ୍ଲାପାଳ ଓ ଏସପିଙ୍କ କ୍ଷମତା ଯେତିକି ଥାଏ, ରଥଯାତ୍ରା ବେଳେ ସେତିକି ନଥାଏ । ଜିଲ୍ଲାପାଳ ଓ ଏସପିଙ୍କ ଠାରୁ ବହୁ ଉଚ୍ଚ ପଦାଧିକାରୀ ଦାୟିତ୍ୱରେ ଥାଆନ୍ତି । ଗାଏମୋଟ୍ କହିଲେ ରଥଯାତ୍ରା ସମୟ ତକ ଜିଲ୍ଲାପାଳ ଓ ଏସପି କେବଳ ଉଚ୍ଚ ଅଧିକାରୀଙ୍କ ନିଦେ୍ର୍ଦଶ ହିଁ ପାଳନ କରିଥା’ନ୍ତି । ତେଣୁ ଖାଲି ସେହି ଦୁଇ ଅଧିକାରୀଙ୍କ ଉପରେ ନଡ଼ିଆ ବାଡ଼େଇଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଖସିଯିବେ କେମିତି ? ଏମିତିବି ନନ୍ଦିଘୋଷ ନଗଡ଼ିବାରୁ ପ୍ରଶାସନିକ ଅବ୍ୟବସ୍ଥା ନେଇ କିଛି ବାରିଥିଲେ ସରକାର । ଭିଆଇପି ମଞ୍ଚରେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ବି ତାଙ୍କ ଉପରେ ଅସନ୍ତୋଷ ଝାଡ଼ିଥିଲେ । ସେଦିନର ଫୁଟେଜରୁ ଏହା ସ୍ପଷ୍ଟ ପ୍ରତୀୟମାନ । ଆମ କାଳିଆ ଠାକୁର ହେଉଛନ୍ତି ଗର୍ବଗଞ୍ଜନ । କାହାର ଗର୍ବ, ଦମ୍ଭ ଓ ଅହଙ୍କାର ସେ ରଖନ୍ତିନାହିଁ । ହେଲେ ମହାପ୍ରଭୁଙ୍କ ପ୍ରଶାସନିକ ସେବାରେ ଥିବା ବାବୁମାନେ ବୋଧହୁଏ ଏକଥା ଭୁଲି ଯାଇଥିଲେ । ରଥଯାତ୍ରା ଦିନ ଅବ୍ୟବସ୍ଥା ଓ ବିଭ୍ରାଟ ହେଲା । ଏକଥା ସମସ୍ତେ ଦେଖିଛନ୍ତି । ମହାପ୍ରଭୁ ବଳଭଦ୍ରଙ୍କ ରଥ ବାରବାର ମୋଡ଼ ନେବା, ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ବିଧିପାଇଁ ଚକାଏ ଗଡ଼ିବା ଘଟଣାକୁ ବେଶ୍ ହାଲକାରେ ନେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଯେଉଁଥିପାଇଁ ଆଜି ମୋହନ ସରକାର ବଦନାମ୍ ହୋଇଛନ୍ତି କହିଲେ ଭୁଲ୍ ହେବନାହିଁ ।