ଜିଲ୍ଲାପାଳଙ୍କ ଧାନ ସଂଗ୍ରହ ସମୀକ୍ଷା
ନୂଆପଡା : ନୂଆପଡ଼ା ଜିଲ୍ଲାରେ ରବି ଋତୁ ପାଇଁ ଧାନ ସଂଗ୍ରହ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୁ୍ୟମ୍ନ କୁମାର ରାଉତରାୟ ଏବଂ ଯୋଗାଣ ବିଭାଗ ଅଧିକାରୀମାନେ ଯୋଗଦାନ କରିଥିଲେ । ଶ୍ରୀ ରାଉତରାୟ ସୂଚନା ଦେଇଥିଲେ ଯେ, ଜିଲ୍ଲାରେ ରବି ୠତୁରେ ୬,୮୧,୬୬୦ କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇ ଥିବାବେଳେ ଏଯାଏଁ ୬,୩୦,୨୫୪ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି । ୪୧ ଟି ପ୍ରାଥମିକ କୃଷି ସମବାୟ ସମିତି ଓ ୫ ଟି ମହିଳା ସ୍ୱୟଂ ସହାୟକ ଦଳ ମାଧ୍ୟମରେ ୨୪ ଟି ରାଇସ୍ ମିଲ୍ ଦ୍ୱାରା ଏହି ଧାନ କିଣା ଯାଉଛି । କ୍ୱିଣ୍ଟାଲ ପ୍ରତି ସହାୟକ ମୂଲ୍ୟ ୨୩୦୦ ଟଙ୍କା ଥିବାବେଳେ ୮୦୦ ଟଙ୍କା ରାଜ୍ୟ ସରକାରଙ୍କ ଦ୍ୱାରା ବୋନସ୍ ପ୍ରଦାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୦,୮୮୪ ଜଣ ଚାଷୀ ଧାନ ବିକ୍ରି କରି ସାରିଥିବା ବେଳେ ୯୯୭୦ ଜଣ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୩୨ କୋଟି ୪୭ ଲକ୍ଷ ୩୧ ହଜାର ଟଙ୍କା ଜମା ହୋଇଛି । କିଭଳି ଭାବରେ ସୁରୁଖୁରୁରେ ଜିଲ୍ଳାରେ ରବି ଧାନ ସଂଗ୍ରହ ଶେଷ ହେବ ତା’ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ସମୟ ସୀମା ମଧ୍ୟରେ ଜିଲ୍ଲାର ସମସ୍ତ ଧାନ କ୍ରୟପାଇଁ ସେ ସମସ୍ତ ଚାଷୀ, ମିଲର ଏବଂ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହଯୋଗ କାମନା କରିଥିଲେ ।