ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା : ୮ରେ ସିଭିଲ୍ ସୋସାଇଟିର ଗଣଧାରଣା
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ସଂପର୍କରେ ସିଭିଲ୍ ସୋସାଇଟିର ଏକ ଗୁରୁତ୍ୱପୂର୍ଣ୍ଣ ଜରୁରୀ ବୈଠକ ଉଠାଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂପାଦକ ମନୋଜ ନାୟକ ଗତ ୧୫ ଦିନ ଧରି ବାଲେଶ୍ୱର ଜିଲ୍ଲାର ସରକାରୀ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବାର ପ୍ରକାଶ କରିଥିଲେ । ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର, ନର୍ସ ଓ ଆବଶ୍ୟକୀୟ କର୍ମଚାରୀ ଅଭାବରୁ ଗତ ରବିବାର ଦିନ ବହିଃର୍ବିଭାଗ ସେବା ସଂପୂର୍ଣ୍ଣ ବନ୍ଦ ରହିଥିଲା । ସେହିପରି ଅନେକ ବିଭାଗରେ ତାଲା ଝୁଲୁଛି । ରୋଗୀମାନେ ଓ ସେମାନଙ୍କ ସଂପର୍କୀୟମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଫକୀରମୋହନ ମେଡିକାଲ୍ କଲେଜ୍ ହସ୍ପିଟାଲରେ ରୋଗୀମାନେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇ ପାରୁନାହାନ୍ତି । ଏମ୍ସ୍ରେ ମାତ୍ର ଦୁଇଦିନ ବହିଃର୍ବିଭାଗ କାର୍ଯ୍ୟ କରୁଥିବାବେଳେ ସେଠାରେ ପରୀକ୍ଷା ନୀରିକ୍ଷା ପାଇଁ କୌଣସି ଯନ୍ତ୍ରପାତି ନାହିଁ । ଜିଲ୍ଲାର ସମସ୍ତ ସରକାରୀ ଚିକିତ୍ସାଳୟରେ ଏହିଭଳି ଦୟନୀୟ ଅବସ୍ଥାରେ ସରକାରୀ ରୋଗୀ ସେବା ପ୍ରଦାନ କରାଯାଉଛି । ଆଲୋଚନାରେ ଅଂଶ ଗ୍ରହଣ କରି ସର୍ବଶ୍ରୀ ହିମାଂଶୁ ଶେଖର ଦାସ, ମହମ୍ମଦ ଇକ୍ବାଲ୍, ଶରତ ଚନ୍ଦ୍ର ଦଳାଇ, ପ୍ରଫୁଲ୍ଲ କୁମାର ଦାସ, ଅଜିତ୍ କୁମାର ବରାଳ ପ୍ରମୁଖ ଉଦ୍ବେଗ ପ୍ରକାଶ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ତୁରନ୍ତ ସାକ୍ଷାତ କରି ସମସ୍ୟାର ସମାଧାନ ପାଇଁ ଅବଗତ କରାଇଥିବାକୁ ପ୍ରସ୍ତାବ ଦେଇଥିଲେ । ସମସ୍ୟାର ସମାଧାନ ନ ହେଲେ ଆସନ୍ତା ୮ ତାରିଖ ମଙ୍ଗଳବାର ଦିନ ୧୦ଟାରେ ହସପିଟାଲ୍ ନିକଟସ୍ଥ ସହିଦ ପାର୍କରେ ଗଣଧାରଣା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି । ଏହି ଗଣଧାରଣାରେ ବାଲେଶ୍ୱରର ସଚେତନ ନାଗରିକ ଓ ଗଣ ସଂଗଠନମାନେ ଯୋଗ ଦେବାକୁ ବୈଠକରେ ନିବେଦନ କରାଯାଇଛି । ଏହି ବୈଠକରେ କୋଷାଧ୍ୟକ୍ଷ ସନ୍ତୋଷ ସାହୁ, ସାହେବା ଅକତାର, ସେକ୍ ଉମରଫାରୁ, ଭରତ ଚନ୍ଦ୍ର ସେଠୀ, ଏମ୍ଡି. ମୁକ୍ତାର ଅହମ୍ମଦ, କମଳାକାନ୍ତ ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଶ୍ୟାମସୁନ୍ଦର ଜେନା ଧନ୍ୟବାଦ ଦେଇଥିଲେ ।