ବିରିପଡିଆ ଗାଁକୁ ନାହିଁ ପକ୍କା ରାସ୍ତା : ହନ୍ତସନ୍ତ ଅଞ୍ଚଳବାସୀ, ଜିଲ୍ଲାପାଳଙ୍କ ଦୃଷ୍ଟି ଦେବାକୁ ଦାବି

ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ଅଧୀନ ରମଦା ଗ୍ରାମରୁ ବାଉଁଶଗଡିଆ ୩ନମ୍ବର ୱାର୍ଡ ବିରିପଡିଆ ଗ୍ରାମକୁ ପକ୍କା ବା ପିଚୁ ରାସ୍ତାଟିଏ ପାଇଁ ଗାଁ ବାଲା ୭୮ ବର୍ଷ ହେଲା ସମସ୍ତକୁ ଗୁହାରି କରୁଛନ୍ତି । ହେଲେ ଏ ପର୍ଯ୍ୟନ୍ତ ଗାଁ ଲୋକଙ୍କ କଥା କେହି ଶୁଣିଲେନି । ବାଧ୍ୟ ହୋଇ ସମୂହ ଗ୍ରାମବାସୀ ପୁଣିଥରେ  ଖଇରା ଗସ୍ତରେ ଆସିଥିବା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁରବିକାଶଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଉକ୍ତ ଗ୍ରାମର ଲୋକସଂଖ୍ୟା ୫ଶହ ହୋଇଥିବା ବେଳେ ପ୍ରାୟ ସମସ୍ତେ ଜନଜାତି ସଂପ୍ରଦାୟର । ଗ୍ରାମର କେହି ଅସୁସ୍ଥ ହେଲେ ଜରୁରୀ ସମୟରେ ଆମୁଲାନ୍ସଟିଏ ଗାଁକୁ ଆସି ପାରୁନାହିଁ କି ଦମକଳଗାଡି ଟିଏ ଗାଁକୁ ପଶିବା ମୁସ୍କିଲ ହୋଇ ପଡୁଛି । ଖଇରା ବ୍ଲକର ଏହି ଗ୍ରାମର ବାସିନ୍ଦା ଏବେ ଦ୍ୱୀପରେ ରହିବା ଭଳି ଜୀବନ ଅତିବାହିତ କରୁଛନ୍ତି । ଏହି ଗ୍ରାମକୁ ରାସ୍ତା ପାଇଁ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ସୁପାରିଶରେ ଜିଲ୍ଲା ଖଣିଜ ପାଣ୍ଠି ରୁ ୮ଲକ୍ଷ ଟଙ୍କା ଦିଆଯାଇଥିବା କୁହାଯାଉଥିଲେ ହେଁ ଏ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନପାରିବା ଗ୍ରାମବାସୀଙ୍କୁ ନିରାଶ କରିଛି । ତୁରନ୍ତ ଗ୍ରାମବାସୀଙ୍କ ଆବଶ୍ୟକତାକୁ ସମ୍ମାନ ଦେଇ ରାସ୍ତାକୁ ସମ୍ପୂର୍ଣ୍ଣ କରିବାକୁ ପଞ୍ଚାୟତର ଯୁବ ସଂଗଠକ ଦୈତାରୀ ପଣ୍ଡା, ଗ୍ରାମ ଅଧିବାସୀ ସାଲୁକା ସିଂ, ସବିତାରାଣୀ ସେଠୀ, ରିଗା ମୁଣ୍ଡି, ସଞ୍ଜୟ ପାତ୍ର ପ୍ରମୁଖ ଦାବି କରିଛନ୍ତି ।