ଜୀବନ ନେଇଗଲା ଅନଲାଇନ ଗେମ୍
ଲକ୍ଷାଧିକ ଟଙ୍କା ହରାଇବା ପରେ ଜୀବନ ହାରିଦେଲେ ଯୁବକ
ଭୁବନେଶ୍ୱର, ୫ା୧୨ : ଜୀବନ ନେଇଗଲା ଅନଲାଇନ ଗେମ୍ । ମୋବାଇଲରେ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ହରାଇବା ପରେ ଶେଷରେ ଜୀବନ ହାରିଲେ ଯୁବକ । ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଲିଙ୍ଗରାଜ ଥାନା ଅଞ୍ଚଳରେ । ମୃତ ଯୁବକ ହେଲେ, ଓଲଟାଉନ୍ ବଢ଼େଇବାଙ୍କ ଛକ ନିକଟ ବଡୁ ସାହିର ସସାଙ୍କ ଶତପଥୀ (୨୨) । ପୁଲିସ ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଯୋଗ୍ୟଯେ, ଲିଙ୍ଗରାଜ ଥାନା ତିନିମୁଣ୍ଡିଆ ଛକ ଅଞ୍ଚଳରେ ରହୁଥିବା ଯୁବକ ନିଜ ଘରେ ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଯୁବକ ଜଣଙ୍କ ଅନଲାଇନ୍ ଗେମ୍ରେ ଟଙ୍କା ଲଗାଇଥିଲେ । ଏହି ଟଙ୍କା ବୁଡି ଯିବା ଫଳରେ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା । ଶେଷରେ ସେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ମୃତୁ୍ୟ ପୂର୍ବରୁ ଯୁବକ ଜଣଙ୍କ ଏକୁଟିଆ ରହୁଥିଲେ । ପରିବାର ଲୋକଙ୍କ ସହ ବିଶେଷ ଭାବରେ କଥା ହେଉନଥିଲେ ବୋଲି ସୂଚନା ରହିଛି । ପୁଲିସ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଏଥିସହ ଯୁବକଙ୍କ ମୋବାଇଲକୁ ଜବତ କରାଯାଇଛି । ଯୁବକ ଜଣଙ୍କ କେତେ ଟଙ୍କା ଅନଲାଇନ ଗେମ୍ରେ ଲଗାଇଥିଲେ, ତାର ମଧ୍ୟ ତଦନ୍ତ ଜାରି ରଖିଛି ପୁଲିସ । ଯୁବକ ଜଣଙ୍କ ଅନେକ ଲୋକଙ୍କ ପାଖରୁ ଟଙ୍କା ମଧ୍ୟ ଧାର ଆଣିଥିବା ଜଣାଯାଇଛି ।