ଫିଜିଓଥେରାପି ବେଳେ ନେଇଗଲେ ଦେଢ଼ ଲକ୍ଷର ସୁନା ଶଙ୍ଖା

୫ା୧୨: ବୃଦ୍ଧାଙ୍କୁ ଫିଜିଓଥେରାପି କରିବା ବେଳେ ଜଣେ ଯୁବତୀ ତାଙ୍କ ଠାରୁ ଦେଢ଼ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇଯାଇଥିବା ଅଭିଯୋଗ ହୋଇଛି । ଏହଭଳିି ଘଟଣା ଧଉଳି ଥାନା ଅଧିନ ଅଞ୍ଚଳରେ ଘଟିଛି । ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।ସୂଚନା ଯୋଗ୍ୟଯେ, ପୁରୀ ଅଞ୍ଚଳର ଜଣେ ଯୁବତୀ ସହିଦନଗର ଥାନା ଅଞ୍ଚଳରେ ଭଡାରେ ରହି ଫିଜିଓଥେରାପି ବା ମସାଜ କାମ କରିଥାନ୍ତି । ସେ ମାସକ ତଳେ ଶିଶୁପାଳଗଡ଼ ଗାୟତ୍ରୀବିହାର ଅଞ୍ଚଳରେ ରହୁଥିବା ଜଣେ ଓଡ଼ିଆ କଣ୍ଠଶିଳ୍ପୀଙ୍କ ବୃଦ୍ଧା ମା' କମଳ କୁମାର ଦାଶଙ୍କ ମସାଜ କରିବା ପାଇଁ ତାଙ୍କ ଘରକୁ ଯାଇଥିଲା । ପ୍ରତିଦିନ ଭଳି ଗତକାଲି ଯୁବତୀ ଜଣଙ୍କ ମସାଜ କରିବା ବେଳେ ବୃଦ୍ଧାଙ୍କ ହାତରୁ ସୁନା ଶଙ୍ଖା କାଢ଼ିଥିଲେ । ବୃଦ୍ଧା ଜଣଙ୍କ ଏହାକୁ ବାରଣ କରିଥିଲେ, ମାତ୍ର ମସାଜ କରିବା ସମୟରେ ଅସୁବିଧା ହେଉଥିବାରୁ ଏପରି କରିଥିବା ଯୁବତୀ ଜଣଙ୍କ କହିଲେ । ମସାଜ କରିସାରିବା ପରେ ଯୁବତୀ ଜଣଙ୍କ ଘରକୁ ଫେରି ଯାଇଥିଲେ । ଏହାପରେ ବୃଦ୍ଧାଙ୍କ ଶଙ୍ଖା ସେଠାରେ ନଥିଲା । ଏନେଇ ଘରର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ସୁନା ପାଇନଥିଲେ । ଏନେଇ ବୃଦ୍ଧା ଜଣଙ୍କ ଧଉଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ କେଶ ନମ୍ବର ୨୮୨ରେ ଏକ ମାମଲା ରୁଜୁକରି  ଯୁବତୀଙ୍କୁ ଥାନାକୁ ଡାକି ତଦନ୍ତ ଚଲାଇଛି । ଉକ୍ତ ଶଙ୍ଖା ୨୨ ଗ୍ରାମର ହୋଇଥିବା ବେଳେ, ପ୍ରାୟ ଦେଢ ଲକ୍ଷ ଟଙ୍କା ହେବବୋଲି ବୃଦ୍ଧା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।