ବ୍ୟାଙ୍କ୍ରୁ ୧୬କୋଟି ଠକେଇ ; ଇଓଡବ୍ଲୁ୍ୟ ଜାଲରେ ୬ ଅଭିଯୁକ୍ତ


  •  ଭୁବନେଶ୍ୱର, ୫ା୯ : ଜାଲ୍ ଦସ୍ତାବିଜ୍ ମାଧ୍ୟମରେ ରାଜଧାନୀରେ ଥିବା ୪ଟି ଏସ୍ବିଆଇ ଶାଖାରୁ ୧୬ କୋଟି ୭୧ ଲକ୍ଷ ଟଙ୍କା ଋଣ ଠକେଇ ହୋଇଛି । ଅଭିଯୁକ୍ତମାନେ ଫେକ୍ କର୍ମଚାରୀ ଆଇଡି, ଫେକ୍ ସାଲାରୀ ସ୍ଲିପ୍, ଆଧାର କାର୍ଡ ଆଦି ଦେଇ ଦୁଇ କୋଟିରୁ ଉଦ୍ଧ୍ୱର୍ ଠକେଇ ହୋଇଛି । ଏନେଇ ଏସ୍ବିଆଇର ରିଜିଓନାଲ ମ୍ୟାନେଜର ଶିବ ସୁନ୍ଦର ସାହୁ ଇଓଡବ୍ଲୁ୍ୟ (ଅର୍ଥନୈତିକ ଅପରାଧ ଶାଖା)ରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି । ଏନେଇ ତା୧୨.୮.୨୦୨୪ ରିଖ ଦିନ ଇଓଡବ୍ଲୁ୍ୟ ଥାନା କେସ୍ ନମ୍ବର ୦୯ରେ ମାମଲା ରୁଜୁ କରିବା ପରେ ଦଫା ୪୦୯, ୪୨୦, ୪୬୭, ୪୬୮, ୪୭୧, ୧୨୦-ବି ଆଇପିସି ସେକ୍ସନ ୬୬ (ସି) ଓ ଆଇଟି ଆକ୍ଟରେ ମାମଲାର ତନାଘନା କରି ଗତକାଲି ୬ ଜଣ ଠକଙ୍କୁ ଗିରଫ କରାଯାଇଛି । ଗିରଫ ୬ ଜଣ ଅଭିଯୁକ୍ତ ହେଲେ, ଅନିରବନ ପଟ୍ଟନାୟକ, ଅନୁପମା ଦାସ, ତୋଫାନ ରାଉତ, ସତ୍ୟବାନ ରାଉତ, ଫିରୋଜ୍ ଖାନ୍ ଓ  ଟୁକୁନା ମଲ୍ଲିକ ।
     ଅଭିଯୋଗ ଅନୁସାରେ, ୧୬୧ ବ୍ୟକ୍ତି ନିଜର ଜାଲ ଦସ୍ତାବିଜ୍ ଦେଇ ରାଜଧାନୀର ୪ଟି ବ୍ୟାଙ୍କ୍ରୁ କୋଟି କୋଟି ଟଙ୍କାର କ୍ରେଡିଟ୍ ଲୋନ୍ ନେଇଛନ୍ତି । ଜୟଦେବ ବିହାରରେ ଥିବା ଏସ୍ବିଆଇ ବ୍ରାଞ୍ଚରୁ  ୧୩୯ ବ୍ୟକ୍ତି ଏଭଳି ଫେକ୍ ଦସ୍ତାବିଜ୍ ଦେଇ ଲୋନ୍ ନେଇଥିବା ବେଳେ ପଟିଆ ବ୍ରାଞ୍ଚରେ ୫ଜଣ, ରଘୁନାଥପୁର ବ୍ରାଞ୍ଚରେ ୧୧ଜଣ ଏବଂ ଝାରପଡ଼ାରେ ୬ ଜଣ ଏଭଳି ଜାଲ୍ ଦସ୍ତାବିଜ୍ ଦେଇ ଲୋନ୍ ନେଇଛନ୍ତି । ସେମାନେ “ଫୋନ୍ ପେ’ କର୍ମଚାରୀ ଥିବା ଜାଲ୍ କର୍ମଚାରୀ କୋର୍ଡ, ସାଲାରୀ ସ୍କିପ୍ ଦେଇ ଏଭଳି ଲୋନ୍ ନେଇଛନ୍ତି । ବ୍ୟାଙ୍କ୍ର ଆଭ୍ୟନ୍ତରୀଣ ତଦନ୍ତକାରୀ ଟିମ୍ ଯାଞ୍ଚ କରିବା ପରେ ଏମାନେ ସେଠାରେ ଚାକିରି କରୁନଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ବ୍ୟାଙ୍କ୍ ସେମାନଙ୍କ ଠିକଣାରେ ମଧ୍ୟ ଯାଞ୍ଚ କରିଥିଲେ ମଧ୍ୟ ସେଠାରେ କେହି ରହୁନଥିବା ଜଣାପଡ଼ିଥିଲା । ଅନିରବାନ୍ ପଟ୍ଟନାୟକ ଏବଂ ଟୁକୁନା ମଲ୍ଲିକ ଏକ ସ୍କୁଲର ପିଅନ ଥିବା ଦର୍ଶାଇଥିବା ବେଳେ, ନାରାୟଣ ମଲ୍ଲୀକ ମଧ୍ୟ ସ୍କୁଲର ପିଅନ ବୋଲି ଜାଲ ଦସ୍ତାବିଜ୍ ଦେଇଥିଲେ । ଡମ୍ବରୁଧର ମହାରଣା, ଫିରୋଜ ଖାଁ, ପ୍ରମୋଦ କୁମାର ରଣସିଂ ନିଜକୁ ଫୋନ୍ ପେ’ ପ୍ରାଇଭେଟ୍ ଲିମିଟେଡ୍ର କର୍ମଚାରୀ ଥିବା ଜାଲ ଦସ୍ତାବିଜ୍ ଦେଇଥିଲେ । ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ସନେ୍ଦହ ହେବାରୁ ଏନେଇ ଦିଲ୍ଲୀରେ ଥିବା ଫୋନ୍ ପେ’ କମ୍ପାନୀକୁ ମେଲ୍ କରିଥିଲେ । ଏଭଳି କୌଣସି କର୍ମଚାରୀ ତାଙ୍କର ନଥିବା କମ୍ପାନୀ ସ୍ପଷ୍ଟ କରିବା ପରେ ବ୍ୟାଙ୍କ୍ ତାଙ୍କ ନାମରେ ମଧ୍ୟ ଅଭିଯୋଗ କରିଛନ୍ତି । ସେହିପରି ଅନ୍ୟମାନେ ମଧ୍ୟ ସେଭଳି ଜାଲ ଦସ୍ତାବିଜ୍ ମାଧ୍ୟମରେ ଲୋନ୍ ନେଇଛନ୍ତି । ଏହି ଲୋନ୍ ଦେବାରେ ବ୍ୟାଙ୍କ୍ର କର୍ମଚାର ଇତିଶ୍ରୀ ପ୍ରିୟଦର୍ଶିନୀ ସଂପୃକ୍ତ ଅଛନ୍ତି । ୧୬୧ ଜଣ ୨୦୨୨ରୁ ଲୋନ୍ ନେବା ପରେ ସୁଝିନଥିଲେ । ଅଭିଯୋଗ କରିଥିବା ମ୍ୟାନେଜା ଶିବ ସୁନ୍ଦର ଏହି ବ୍ୟକ୍ତିମାନଙ୍କ ଦସ୍ତାବିଜ୍ ଯାଞ୍ଚ କରିବା ପରେ ଜାଲ ହୋଇଥିବା ସ୍ପଷ୍ଟ ହେବା ପରେ ଇଓଡବ୍ଲୁ୍ୟରେ ଅଭିଯୋଗ କରିଛନ୍ତି ।