ଜୀବନ ନେଇଗଲା ଡିଜିଟାଲ ଆରେଷ୍ଟ :୫ଠଲକ୍ଷ ହରାଇ ଦମ୍ପତିଙ୍କ ଆତ୍ମହତ୍ୟା
ବେଙ୍ଗାଲୁରୁ: ଜୀବନ ନେଇଗଲା ଡିଜିଟାଲ୍ ଆରେଷ୍ଟ । ୫୦ ଲକ୍ଷ ଟଙ୍କା ଠକେଇର ଶିକାର ହୋଇ ମାନସିକ ସନ୍ତୁଳନ ହରାଇଲେ ବୃଦ୍ଧ ଦମ୍ପତି । ଆଉ ଶେଷରେ ଆତ୍ମହତ୍ୟା ଭଳି ଚରମ ପନ୍ଥାକୁ ଆପଣାଇ ନେଲେ । କର୍ଣ୍ଣାଟକର ବେଲଗାଭି ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ସମ୍ବେଦନଶୀଳ ଘଟଣା । ମୃତ ଦମ୍ପତି ହେଲେ ଦିଆଙ୍ଗୋ ନଜରତ (୮୦) ଏବଂ ତାଙ୍କ ପତ୍ନୀ ପ୍ଲଭିଆନା ନଜରତ (୭୯) । ଦିଆଙ୍ଗୋ ଗଳାକାଟି ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ପତ୍ନୀ ପ୍ଲଭିଆନା ବିଷପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପୁଲିସ୍ ସୂଚନାନୁସାରେ ଦମ୍ପତିଙ୍କ ନିକଟକୁ ହ୍ୱାଟ୍ସଆପ୍ ଜରିଆରେ ପ୍ରଥମେ ଗୋଟିଏ ଭିଡିଓ କଲ୍ ଆସିଥିଲା । ଏଥିରେ ଦମ୍ପତିଙ୍କ ସବିଶେଷ ବିବରଣୀ ଦେଇ ସାଇବର ଠକ ତାଙ୍କୁ ହତ୍ୟା ମାମଲାରେ ଗିରଫ ଭୟ ଦେଖାଇଥିଲା । ପରବର୍ତ୍ତୀ ସମୟରେ ଏଥିରୁ ମୁକୁଳିବା ପାଇଁ ଠକ ଏବଂ ଦମ୍ପତିଙ୍କ ମଧ୍ୟରେ ୫ଲକ୍ଷ ଡିଲ୍ ହୋଇଥିଲା । ଆଉ ଦମ୍ପତି ତାଙ୍କ ଆକାଉଣ୍ଟରୁ ୫ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । କିନ୍ତୁ ସାଇବର ଠକର ଲୋଭ ଆହୁରି ବଢ଼ି ଯାଇଥିଲା । ଫଳରେ ପର୍ଯ୍ୟାୟକ୍ରମେ ସେ ଦମ୍ପତିଙ୍କୁ ଲଗାତାର ଫୋନ୍ କରି ଆହୁରି ଟଙ୍କା ଦାବି କରିଥିଲା ଏବଂ ଦମ୍ପତିମାନେ କ୍ରମାନ୍ୱୟରେ ପାଖାପାଖି ୫୦ ଲକ୍ଷ ଟଙ୍କା ଠକକୁ ପଠାଇ ସାରିଥିଲେ । ତଥାପି ମଧ୍ୟ ଠକର ଧମକ କମି ନ ଥିଲା । ଶେଷରେ ବାରମ୍ବାର ନିର୍ଯାତନା ଓ ସମାଜରୁ ଇଜତ ଯିବା ଭୟରେ ନିଜର ମାନସିକ ସନ୍ତୁଳନ ହରାଇଥିଲେ ଏହି ଦମ୍ପତି ଆଉ ଶେଷରେ ପତିପତ୍ନୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ।
ସୂଚନାଯୋଗ୍ୟ ସମ୍ପୃକ୍ତ ଦମ୍ପତି ମହାରାଷ୍ଟ୍ର ପ୍ରଶାସନରେ ଚାକିରି କରି ଅବସରଗ୍ରହଣ କରିଥିଲେ ଏବଂ ବଳକା ଅବସର ସମୟ କର୍ଣ୍ଣାଟକ ସ୍ଥିତ ନିଜ ଘରେ ବିତାଉଥିଲେ । ସେହିପରି ଦମ୍ପତିଙ୍କର କୌଣସି ସନ୍ତାନ ନଥିବା ମଧ୍ୟ ଜଣାପଡ଼ିଛି ।