ଜୀବନ ନେଲା ଋଣ ବୋଝ ବିଷ ପିଇଦେଲେ ପରିବାରର ୭
ଋଣ ବୋଝରେ ଆକ୍ତାମାକ୍ତା ହୋଇ ପରିବାରର ୭ ସଦସ୍ୟ ବିଷ ପିଇ ମୃତୁ୍ୟବରଣ କରିଛନ୍ତି । ଏଭଳି ଏକ ଘଟଣା ହରିୟାଣାର ପଞ୍ଚକୁଲା ଅଞ୍ଚଳରେ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏକ କାରରୁ ଜଣେ ବ୍ୟବସାୟୀଙ୍କ ସମେତ ତାଙ୍କ ପନôୀ, ୩ ପିଲା ଓ ବାପାମା’ଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତେବେ ମେଡ଼ିକାଲରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।
ପଞ୍ଚକୁଲା ପୁଲିସର ସୂଚନା ଅନୁଯାୟୀ, ମୃତ ବ୍ୟବସାୟୀ ଜଣଙ୍କ ହେଲେ ପ୍ରବୀଣ ମିତ୍ତଲ । ସେହିପରି ତାଙ୍କ ପନôୀ ରୀନା, ମା’ ବିମଳା, ବାପା ଦେଶରାଜ, ଯାଆଁଳା ଝିଅ ଧ୍ରୁବିକା ଓ ଦାଲିଶା ଏବଂ ପୁଅ ହାର୍ଦ୍ଧିକ ବି ମୃତୁ୍ୟ ବରଣ କରିଛନ୍ତି । ସେମାନେ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ମିଳିଛି ।
ପୁଲିସ୍ ପକ୍ଷରୁ କୁହାଯାଇଛିଯେ, ସେମାନେ ଗତକାଲି ମଧ୍ୟରାତ୍ରରେ ଏନେଇ ଖବର ପାଇଥିଲେ । ସେକ୍ଟର ୨୭ର ଏକ ଘର ଆଗରେ କାରରେ କିଛି ଲୋକ ଅଚେତ ହୋଇ ପଡ଼ିଥିବା ନେଇ ଖବର ମିଳିଥିଲା । ସ୍ଥାନୀୟ ଲୋକମାନେ ୧୧୨କୁ କଲ୍ କରି ସୂଚନା ଦେବା ପରେ ପୁଲିସ୍ ଘଟଣା ସ୍ଥଳରେ ଯାଇ ପହଁଚିଥିଲା । ଅଚେତ ଅବସ୍ଥାରେ ସମସ୍ତଙ୍କୁ ତୁରନ୍ତ ନିକଟସ୍ଥ ଓଜାସ ହସପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ପ୍ରବୀଣ ମିତ୍ତଲ ଉତ୍ତରାଖଣ୍ଡର ଡେରାଡୁନରେ ଟୁରସ ଆଣ୍ଡ ଟ୍ରାଭେଲ୍ସ ଏଜେନ୍ସୀ କରିଥିଲେ । କିନ୍ତୁ ବ୍ୟବସାୟରେ ତାଙ୍କର ପ୍ରବଳ କ୍ଷତି ହୋଇଥିଲା । ସେପଟେ ହୁ୍ୟଣ୍ଡାଇ କାରରୁ ଏକ ଦୁଇ ପୃଷ୍ଠାର ନୋଟ୍ ମିଳିଛି । ଯେଉଁଥିରେ ଲେଖାଯାଇଛିଯେ, ମୁଁ ଦେବାଳିଆ ହୋଇଯାଇଥିଲି । ମୁଁ ଏଥିପାଇଁ ଦାୟୀ । ମୋ ଶ୍ୱଶୁରଘରଙ୍କୁ ଏହି ଘଟଣାରେ ହଇରାଣ କରିବେନି । ମୋ ପରିବାରର ଶେଷକୃତ୍ୟ ସମ୍ପର୍କୀୟଙ୍କ ଦ୍ୱାରା କରାଯିବ ବୋଲି ଲେଖାହୋଇଛି । ସେହିପରି ତାଙ୍କ ପରିବାରବର୍ଗଙ୍କୁ ପ୍ରଥମେ ଦେଖିଥିବା ହର୍ଷଙ୍କର ଷ୍ଟେଟମେଣ୍ଟ ବି ରେକର୍ଡ଼ କରାଯାଇଛି । ସେ କହିଥିଲେଯେ, କାର ଖୋଲି ସେ ପ୍ରବୀଣଙ୍କୁ ବାହାରକୁ ଆଣିଥିଲେ । କାର ଭିତର ସାରା ବାନ୍ତି ପଡ଼ିଥିଲା । ପ୍ରବୀଣ କହିଥିଲେ, ସେ ଓ ତାଙ୍କର ପରିବାର ବର୍ଗ ବିଷ ପିଇଦେଇଛନ୍ତି । ସେହିପରି ପ୍ରବୀଣଙ୍କ ଶ୍ୱଶୁର ରାକେଶ ଗୁପ୍ତା କହିଛନ୍ତିଯେ, ପ୍ରବୀଣଙ୍କ ସହ ସେ ୧୦ ବର୍ଷ ହେଲା ଯୋଗାଯୋଗରେ ନାହାନ୍ତି । ସେ ପ୍ରାୟ ୧ କୋଟିର ଋଣ ନେଇଥିଲେବି ବ୍ୟାଙ୍କକୁ ଫେରାଇ ପାରିନଥିଲେ ।