ଓଡ଼ିଶା ଆଇଟି ରୋଡମ୍ୟାପ୍ କର୍ମଶାଳା

 ଭୁବନେଶ୍ୱର : ବୈଦୁ୍ୟତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ‘ଓଡ଼ିଶାର ଆଇଟି/ଆଇଟିଇଏସ୍ ରୋଡ଼ମ୍ୟାପ୍’ ପ୍ରସ୍ତୁତି ଉପରେ ଶିଳ୍ପ ପ୍ରତିନିଧିଙ୍କ ସହ ଏକ ମତ ବିନିମୟ କର୍ମଶାଳା ଅନୁଷ୍ଠିତ ହୋଇଛି । ବୈଦୁ୍ୟତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ବିଭାଗୀୟ ସଚିବ ବିଶାଳ ଦେବ, ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଆଭିମୁଖ୍ୟକୁ ସାକାର କରିବାପାଇଁ ଏବଂ ଆଇଟି ପରିବେଶର ଭବିଷ୍ୟତ ବିକାଶ ପାଇଁ ଓଡ଼ିଶା ସରକାର ଅଙ୍ଗୀକାରବଦ୍ଧ । ଇ ଆଣ୍ଡ ଆଇଟି ବିଭାଗ ପକ୍ଷରୁ ୮ଟି ପ୍ରମୁଖ ସହରରେ ଟେକ୍ ଟାୱାର ସ୍ଥାପନ ପାଇଁ ନିଷ୍ପତ୍ତି ଗୃହିତ ହୋଇଛି । ଭୁବନେଶ୍ୱର ଏବଂ କଟକ ମଧ୍ୟରେ ଆଇଟି ପାର୍କ ବିକାଶ ପାଇଁ ଆବଶ୍ୟକ ମୁତାବକ ଜମି ଅଧିଗ୍ରହଣ କରାଯାଉଛି ବୋଲି ବୈଠକରୁ ସ୍ପଷ୍ଟ ହୋଇଛି । ବିଶାଳ ଦେବ କହିଥିଲେ ଯେ, ଇ ଆଣ୍ଡ ଆଇଟି ବିଭାଗ ପକ୍ଷରୁ ଓଡ଼ିଶା ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ତଥା ଆଇଟିଇଏସ୍ ଭିଜନ ୨୦୩୦ ଉପରେ ଏକ ଉପସ୍ଥାପନା ଆଗତ କରାଯାଇଥିଲା । ୨୦୪୭ ସୁଦ୍ଧା ୨୫ ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ ପାଇଁ ଭାରତର ଲକ୍ଷ୍ୟ ସହିତ ସମନ୍ୱୟ ରଖି ଓଡ଼ିଶା ସ୍ଥାୟୀ ଡିଜିଟାଲ୍ ଅଭିବୃଦ୍ଧି ପାଇଁ ଏକ ସ୍ପଷ୍ଟ ପଥ ପ୍ରସ୍ତୁତ କରୁଛି ବୋଲି କୁହାଯାଇଥିଲା । ଏହାବ୍ୟତୀତ ରାଜ୍ୟ ୨୦୩୬ ସୁଦ୍ଧା ଡାଟା ସେଣ୍ଟରଗୁଡ଼ିକ ପାଇଁ ୧୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆକର୍ଷଣ କରିବା ଏବଂ ଆର୍ଥିକ କ୍ଷେତ୍ରରେ ୫୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି । ପରେ ଏକ ବିସ୍ତୃତ ପ୍ରଶ୍ନୋତ୍ତର ଅଧିବେଶନ ଅନୁଷ୍ଠିତ ହୋଇଥିଲା ।