କରୁର ଦଳାଚକଟାର ହେବ ସିବିଆଇ ତଦନ୍ତ

କରୁର ଦଳାଚକଟାର ହେବ ସିବିଆଇ ତଦନ୍ତ

ନୂଆଦିଲ୍ଲୀ : ତାମିଲନାଡୁ କରୁରରେ ଅଭିନେତାରୁ ରାଜନେତା ହୋଇଥିବା ଟିଭିକେ ମୁଖ୍ୟ ବିଜୟଙ୍କ ରାଲିରେ ହୋଇଥିବା ଦଳାଚକଟା ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି । ସୋମବାର ସୁପ୍ରିମକୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଜେକେ ମାହେଶ୍ୱରୀ ଓ ଏନଭି ଅଞ୍ଜରିଆଙ୍କ ଖଣ୍ଡପୀଠ ତଦନ୍ତ ତଦାରଖ କରିବା ପାଇଁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅଜୟ ରସ୍ତୋଗୀଙ୍କ ନେତୃତ୍ୱରେ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ମଧ୍ୟ ନିଯୁକ୍ତ କରିଛନ୍ତି । କମିଟିରେ ଦୁଇଜଣ ଆଇପିଏସ ଅଧିକାରୀ ସାମିଲ ହେବେ, ଯେଉଁମାନେ ତାମିଲନାଡୁ କ୍ୟାଡରର ହୋଇପାରନ୍ତି କିନ୍ତୁ ରାଜ୍ୟର ମୂଳ ବାସିନ୍ଦା ନୁହଁନ୍ତି । ସୁପ୍ରିମକୋର୍ଟ ମଧ୍ୟ ମାଡ୍ରାସ ହାଇକୋର୍ଟର ଚେନ୍ନାଇ ବେଞ୍ଚର ଏକମାତ୍ର ବିଚାରପତିଙ୍କ ଉପରେ ବର୍ଷିଛନ୍ତି ।

 ଦଳାଚକଟା ଘଟଣା ଦେଶର ବିବେକକୁ ଦୋହଲାଇ ଦେଇଥିବା ବେଳେ କାହିଁକି ଚେନ୍ନାଇ ବେଞ୍ଚ ପୂର୍ବରୁ ସିବିଆଇ ତଦନ୍ତକୁ ମନା କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି । ସେପ୍ଟେମ୍ବର ୨୭ ତାରିଖରେ ବିଜୟଙ୍କ ରାଲି ସମୟରେ ଦଳାଚକଟା ହେବାରୁ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଅତି କମରେ ୬୦ ଜଣ ଆହତ ହୋଇଥିଲେ । ଅଧିକାରୀଙ୍କ ଅନୁଯାୟୀ ବିଜୟଙ୍କ ରାଲି ପାଇଁ ପ୍ରାୟ ୧୦,୦୦୦ ଲୋକ କ୍ଷମତା ବିଶିଷ୍ଟ ସ୍ଥାନରେ ପ୍ରାୟ ୩୦,୦୦୦ ଲୋକଙ୍କ ଭିଡ଼ ଜମା ହୋଇଥିବାରୁ ଏହି ଘଟଣା ଘଟିଥିଲା । ସୁରକ୍ଷା ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରାଯାଇଥିଲ । ଖାଦ୍ୟ ଓ ପାନୀୟ ଜଳ ପାଇଁ ଉପଯୁକ୍ତ ବ୍ୟବସ୍ଥା ହୋଇ ନ ଥିଲା । ଯାହା ଏହି ଦୁଃଖଦ ଘଟଣା ପାଇଁ ସହାୟକ ହୋଇଥିଲା ବୋଲି ସେମାନେ କହିଛନ୍ତି । ଘଟଣାର ଗୋଟିଏ ଦିନ ପରେ ବିଜୟ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲେ । ତାଙ୍କର ରାଜ୍ୟବ୍ୟାପୀ ଗସ୍ତ ମଧ୍ୟ ସ୍ଥଗିତ ରଖାଯାଇଥିଲା । ଟିଭିକେ ମୁଖ୍ୟ ଅକ୍ଟୋବର ୭ ତାରିଖରେ ଭିଡିଓ କଲ୍‌ ମାଧ୍ୟମରେ ଦଳାଚକଟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ସହିତ କଥା ହୋଇଥିଲେ । ଏହି ଘଟଣାରେ ଟିଭିକେ କରୁର ପଶ୍ଚିମ ଜିଲ୍ଲା ସମ୍ପାଦକ ମାଥିୟାଜାଗନଙ୍କୁ ଗିରଫ କରାଯାଇଥିଲା, ପୁଲିସ ତାଙ୍କୁ ଏହି ଦୁଃଖଦ ଘଟଣା ପାଇଁ ଦାୟୀ କରିଥିଲା । ଟିଭିକେର ସାଧାରଣ ସମ୍ପାଦକ ବସ୍ସି ଆନନ୍ଦ ଓ ଯୁଗ୍ମ ସାଧାରଣ ସମ୍ପାଦକ ନିର୍ମଳ ସେକରଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଯେଉଁମାନେ ଫେରାର ଅଛନ୍ତି ।