ସତ୍ୟ ନଗର ଶ୍ମଶାନରେ ଅର୍ଦ୍ଧଦଗ୍ଧ ଶବକୁ ଜବତ କଲା ପୁଲିସ
ଥାନାରେ ହତ୍ୟା ମାମଲା ରୁଜୁ
ଭୁବନେଶ୍ୱର, ୯ା୧୧ : ସତ୍ୟନଗର ଶ୍ମଶାନରେ ଶନିବାର ହାଇଡ୍ରାମା ଦେଖିବାକୁ ମିଳିଛି । ଜଣେ ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କର ଶବଦାହକୁ ନେଇ ଶ୍ମଶାନ ପରିସରରେ ସମ୍ପର୍କୀୟଙ୍କ ମଧ୍ୟରେ ପରସ୍ପର ଆରୋପ ପ୍ରତ୍ୟାରୋପ କରୁଥିବା ଦେଖିବାକୁ ମିଳିଥିଲା । ପରିସ୍ଥିତି ଏପରି ହୋଇଥିଲା କି ଘଟଣାସ୍ଥଳରେ ଶହୀଦନଗର ଓ ଖାରବେଳନଗର ଥାନା ପୋଲିସ ପହଞ୍ଚି ଘଟଣାରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ସେତିକିରେ କଥା ସରି ନ ଥିଲା । ଫଳରେ ଅର୍ଦ୍ଧଦଗ୍ଧ ଶବକୁ ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ନେଇଥିବା ଜଣାପଡ଼ିଛି । ଏନେଇ ଗୋଟାଏ ପରିବାରର ଅଭିଯୋଗ ଅନୁଯାୟୀ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ବହ୍ମଗିରିର ପୂର୍ବତନ ବିଧାୟକ ସ୍ୱର୍ଗତ ଅଜୟ କୁମାର ଜେନାଙ୍କ ପତ୍ନୀ ଅଶ୍ରୁକଣା ପ୍ରଧାନ (୭୬)ଙ୍କର ଶନିବାର ଦେହାନ୍ତ ହୋଇଥିବାରୁ ତାଙ୍କ ବୋହୂ ଶବକୁ ସତ୍ୟନଗର ଶ୍ମଶାନକୁ ଅନ୍ତିମ ସଂସ୍କାର ପାଣି ନେଇ ଆସିଥିଲେ । ଶବରେ ଅଗ୍ନି ସଂଯୋଗ ହେବାର ମାତ୍ର କେଇ ମିନିଟ ମଧ୍ୟରେ ସତ୍ୟନଗର ଶ୍ମଶାନରେ ମୃତ ଅଶ୍ରୁକଣାଙ୍କ ପରିବାର ଲୋକେ ଏବଂ ତାଙ୍କ ଭଉଣୀ ଜୋଇଁ ଆସି ପହଞ୍ଚିବା ସହ ବୋହୂ ଶାଶୁକୁ ହତ୍ୟା କରିବା ପରେ ପରିବାର ଲୋକଙ୍କୁ ନ ଜଣାଇ ଶବଦାହ କରୁଥିବା ନେଇ ଗୁରୁତର ଅଭିଯୋଗ ଆଣିଥିଲେ । ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚିଥିଲା । ଫଳରେ ଶବଦାହ କାର୍ଯ୍ୟକ୍ରମକୁ ତୁରନ୍ତ ଅଟକାଯାଇଥିଲା । ଅଶ୍ରୁକଣାଙ୍କ ମୃତୁ୍ୟ ସ୍ୱାଭାବିକ ଭାବେ ହୋଇ ନ ଥିବା ଏବଂ ପୂର୍ବରୁ ବୋହୂ ତାଙ୍କୁ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିବା ନେଇ ଅଭିଯୋଗ କରିଥିଲେ ମୃତା ଅଶ୍ରୁକଣାଙ୍କ ଭଉଣୀ ଜୋଇଁ । ଫଳରେ ପୋଲିସ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ଏନେଇ ଅଶ୍ରୁକଣାଙ୍କ ବାପଘର ଲୋକଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିବା ଖାରବେଳନଗର ଥାନା ପକ୍ଷରୁ ଜଣାଯାଇଛି । ଅନ୍ୟପକ୍ଷରେ ମୃତା ଅଶ୍ରୁକଣାଙ୍କ ବୋହୂ କିନ୍ତୁ ତାଙ୍କ ଶାଶୁ ଶନିବାର ସକାଳୁ ଆଖି ନ ଖୋଲିବାରୁ ସେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ନେଇ ଯାଇଥିବା ଏବଂ ସେଠାକାର ଡାକ୍ତର ଅଶ୍ରୁକଣାଙ୍କୁ ମୃତ ଘୋଷଣା କରିଥିଲେ । ଫଳରେ ସେ ସିଧା ଶବଦାହ କରିବାକୁ ଶ୍ମଶାନକୁ ନେଇ ଆସିଥିବା କହିଛନ୍ତି । ଏସଂକ୍ରାନ୍ତୀୟ କାଗଜପତ୍ର ଶ୍ମଶାନ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବା ନେଇ ବୋହୂ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଅଶ୍ରୁକଣାଙ୍କ ସ୍ୱାମୀଙ୍କର ବହୁ ପୂର୍ବରୁ ମୃତୁ୍ୟ ହୋଇଥିବା ବେଳେ ପୁଅଙ୍କର ମଧ୍ୟ ମୃତୁ୍ୟ ହୋଇଛି । ସେ ଦୀର୍ଘଦିନରୁ ତାଙ୍କ ବୋହୂଙ୍କ ପାଖରେ ମଧୁସୁଦନ ନଗର ସ୍ଥିତ ଘରେ ରହୁଥିଲେ । ତେବେ ତାଙ୍କୁ ନିଜ ହେପାଜତକୁ ନେବା ଲାଗି ତାଙ୍କ ଭଉଣୀ ଜୋଇଁ କୋର୍ଟର ଦ୍ୱାରସ୍ଥ ହେବା ସହ ଏନେଇ ସ୍ଥାନୀୟ ଥାନାରେ ମଧ୍ୟ ଲିଖିତ ଅଭିଯୋଗ ପୂର୍ବରୁ କରିଥିଲେ । ଯାହାର ବିଚାରପ୍ରକ୍ରିୟା ଏବେ ଚାଲିଥିବା ଜଣାପଡ଼ିଛି । ଘଟଣା ନେଇ ଖାରବେଳନଗର ଥାନାଧିକାରୀ ରଜନୀକାନ୍ତ ମିଶ୍ର କହିଛନ୍ତି ଯେ, ଅଶ୍ରୁକଣାଙ୍କ ପରିବାର ଲୋକେ କରିଥିବା ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି । ଯାହା ସତ ଥିବ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।