ରାଜଧାନୀରେ ବଢ଼ୁଛି ସାଇବର ଅପରାଧ :


  • ପାର୍ବଣ ସମୟରେ ବିଭିନ୍ନ ଅଫର ଦେଇ କରିପାରନ୍ତି ଠକେଇ; ସତର୍କ ରହିବାକୁ ଡ଼ିସିପିଙ୍କ ପରାମର୍ଶ
    ଭୁବନେଶ୍ୱର, ୯ା୧୦ : ଦିନକୁ ଦିନ ରାଜଧାନୀରେ ବଢ଼ିବାରେ ଲାଗିଛି ସାଇବର ଠକେଇ । ଗତ ୯ ମାସରେ ୩୬୬୦ଟି  ସାଇବର ଅପରାଧ ନେଇ ସାଇବର ଥାନାରେ ମାମଲା ରୁଜୁ ହୋଇଛି । ୬୮ କୋଟି ୬୯ ଲକ୍ଷ ୯୦ ହଜାର ୮୭୫ ଟଙ୍କା ଠକେଇ ହୋଇଛି । ଏହା ମଧ୍ୟରେ ୧୧ କୋଟି ୭୪ ହଜାର ୬୪୩ ଟଙ୍କା ଫ୍ରିଜ୍‌ କରିବାରେ ସଫଳ ହୋଇଛି କମିଶନରେଟ୍‌ ପୁଲିସ । ତାହା ମଧ୍ୟରୁ ୧ କୋଟି ୪୦ ଲକ୍ଷ ଟଙ୍କା ଫେରସ୍ତ କରିବାରେ ପୁଲିସ ସଫଳ ହୋଇପାରିଛି । ପାର୍ବଣ ଋତୁ ସମୟରେ ଲୋକମାନେ ଅଧିକ ସଜାଗ ହେବାର ଆବଶ୍ୟକତା ରହିଛି । ଏହି ସମୟରେ ବିଭିନ୍ନ ସଂସ୍ଥା ଲୋଭନୀୟ ଅଫର ଦେଇ ଠକେଇ କରିବା ପାଇଁ ଅଭିନବ ଉପାୟ ଆପଣାଇ ପାରନ୍ତି । ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ନୂଆଁକି ଆସିଛି ଡ଼ିଜିଟାଲ ଆରେଷ୍ଟ । ଯେଉଁଥିରେ ଲୋକମାନେ ଭୟଭୀତ ହେବା ଉଚିତ ନୁହେଁ । କୌଣସି ଲୋକ ଏଥିରେ ପ୍ରଭାବିତ ନ ହେବା ପାଇଁ ଭୁବନେଶ୍ୱର ଡ଼ିସିପି ପିନାକ ମିଶ୍ର ପରାମର୍ଶ ଦେଇଛନ୍ତି । ଏହି ସମୟରେ ଡିସିପି ପିନାକ ମିଶ୍ର ସାଇବର ଠକେଇର ଶିକାର ହୋଇଥିବା ୫ ଜଣ ଅଭିଯୋଗକାରୀଙ୍କୁ ସାଇବର ଠକଙ୍କ ଠାରୁ ଉଦ୍ଧାର କରାଯାଇଥିବା ଟଙ୍କାକୁ ଫେରସ୍ତ ମଧ୍ୟ କରିଛନ୍ତି ।
     ସୂଚନା ଯୋଗ୍ୟଯେ, କ୍ରାଇମ୍‌ବ୍ରାଞ୍ଚ ଏବଂ କମିଶନରେଟ୍‌ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି ପ୍ରି-ଆକ୍ଟିଭ୍‌ ସିମ୍‌ । ରାଜଧାନୀରେ ଯେତିକି ସାଇବର ଠକେଇ ଜନିତ ମାମଲା ରୁଜୁ ହୋଇଛି, ସବୁଥିରେ ଏହି ପ୍ରି-ଆକ୍ଟିଭ୍‌ ସିମ୍‌ ବ୍ୟବହାର କରାଯାଇଛି । ପୂର୍ବରୁ ମଧ୍ୟ ସହିଦନଗର ଥାନା ୧୬ ହଜାରରୁ ଏକାଧିକ ପ୍ରି-ଆକ୍ଟିଭ୍‌ ସିମ୍‌ ବ୍ୟବହାର କରି ଠକେଇ କରୁଥିବା ଏକ ଗ୍ୟାଙ୍ଗ୍‌କୁ ଗିରଫ କରିଥିଲା । ସେହିପରି ମଧ୍ୟ ଇନ୍‌ଫୋସିଟି ଥାନା ମାମଲାରେ ୪ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । କମିଶନରେଟ୍‌ ପୁଲିସ ବର୍ତ୍ତମାନ ସୁଦ୍ଧା ୨୦ ହଜାରରୁ ଉଦ୍ଧ୍ୱର୍ ପ୍ରି-ଆକ୍ଟିଭ୍‌ ସିମ୍‌ ଜବତ କଲାଣି । କିନ୍ତୁ ଯେଉଁମାନେ ଏହି ସିମ୍‌ ବିକ୍ରି କରୁଥିବା ପୁଲିସ ଗିରଫ କରୁଥିଲେ ମଧ୍ୟ ଟେଲି କମ୍ପାନୀର ଉର୍ଚ୍ଚ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁନି । ଯେଉଁଥିପାଇଁ କମ୍ପାନୀ ମୁଖ୍ୟ ସିମ୍‌ ବିକ୍ରି କରିବା ପାଇଁ କର୍ମଚାରୀଙ୍କ ଉପରେ ଚାପ ପକାଇଥାନ୍ତି । ଯେଉର୍ଥି ପାଇଁ ଏହି କର୍ମଚାରୀମାନେ ସାଇବର ଠକ ଏବଂ ଅନ୍ୟମାନଙ୍କୁ ସିମ୍‌ ବିକ୍ରି କରନ୍ତି । ଏସ୍‌ଟିଏଫ ଓଟିପି ସେୟାରିଂ ରାକେଟ୍‌ର ପର୍ଦ୍ଦାଫାସ କରିବା ପରେ  ପାକିସ୍ତାନ ଆଇଏସ୍‌ଆଇ ଲିଙ୍କ୍‌ ଜଣାପଡିଥିଲା । ଏହାପରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ବିଭିନ୍ନ ଟେଲିକମ ସର୍ଭିସ ପ୍ରଭାଇଡରଙ୍କୁ ଡାକି ତାଗିଦ କରିବା ସହ ଏକ ଗାଇଡ୍‌ଲାଇନ୍‌ ଜାରି କରିଥିଲେ । ହେଲେ ବତ୍ତର୍ମାନ କୌଣସି ସର୍ଭିସ ପ୍ରୋଭାଇଡ ଏହାକୁ ପାଳନ କରୁଥିବା ଦେଖିବାକୁ ମିଳିଛି ।   ବିଶେଷ କରି କଲ୍‌ ସେଣ୍ଟ ଏବ ମାଟ୍ରିମୋନିଆଲ ସେଣ୍ଟରରେ ସିମ୍‌ ଜାଲିଆତି ଅଧିକ ହେଉଛି । ସେମାନେ ସିମ୍‌ ବକ୍ସ ମାଧ୍ୟମରେ ଏକାଧିକ ପ୍ରି-ଆକ୍ଟିଭ୍‌ ସିମ୍‌ ବ୍ୟବହାର କରି ଆନ୍ତର୍ଜାତୀୟ କଲ୍‌ଗୁଡିକୁ ଲୋକାଲ କଲ୍‌ରେ ପରିଣତ କରି କୋଟି କୋଟି ଟଙ୍କା ଠକେଇ କରୁଛନ୍ତି ଠକ ।