ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବାହିନୀ ସଜାଗ
ଭୁବନେଶ୍ୱର, ୨୩ା୧୦ : ସମ୍ଭାବ୍ୟ ବାତ୍ୟା ‘ଦାନା’ ମୁକାବିଲା ଦିଗରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଘନ ଘନ ବୈଠକ ସହ ବରିଷ୍ଠ ଅଧିକାରୀମାନଙ୍କୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକୁ ପଠାଯାଇଛି । ବିପଦରେ ଥିବା ସମ୍ବେଦନଶୀଳ ବସ୍ତି ଓ ଲୋକଙ୍କୁ ଚିହ୍ନଟ କରିବା ଏବଂ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ଗୁଡ଼ିକୁ କୁହାଯାଇଛି । ୨୦ଟି ଏନ୍ଡିଆର୍ଏଫ୍ ୧୯ଟି ନିୟୋଜିତ ଓ ଗୋଟିଏ ରିଜର୍ଭ, ୫୧ଟି ଓଡ୍ରାଫ୍ ଓ ୧୭୮ଟି ଅଗ୍ନିଶମ ଟିମ୍ ମୁତୟନ କରିବାକୁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ ହୋଇଛି । ୪୦ଟି ଅଗ୍ନିଶମ ସେବା ଟିମ୍ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ ହୋଇଛନ୍ତି । ଭଟିଣ୍ଡାରୁ ୫ଟି ଏନ୍ଡିଆର୍ଏଫ୍ ଟିମ୍ ହେଲିକପ୍ଟର ଯୋଗେ ଆଜି ରାତିରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଜିଲ୍ଲାପାଳମାନେ ନିୟୋଜିତ ଏନଡିଆରଏଫ୍ ଟିମ୍ ପାଇଁ ରହିବାର ବ୍ୟବସ୍ଥା କରିବେ । ସମ୍ବେଦନଶୀଳ ଲୋକଙ୍କୁ ଆଶ୍ରୟ ଦେବା ପାଇଁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ/ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ସୁରକ୍ଷିତ କୋଠା ଘର ଚିହ୍ନଟ ହୋଇଛି । ଲୋକଙ୍କୁ ଏଭଳି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ସହ ଖାଦ୍ୟ, ପାନୀୟ ଜଳ, ଆଲୋକ, ପରିମଳ ଓ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବା ଦିଗରେ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ବାତ୍ୟା ପରେ ରାସ୍ତା ଓ ଯାତାୟାତ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆବଶ୍ୟକ ଆଗୁଆ ବ୍ୟବସ୍ଥା କରିବାକୁ କୁହାଯାଇଛି । ଓଡ଼ିଶା ଉପକୂଳରେ ଚଳାଚଳ କରୁଥିବା ସମସ୍ତ ମାଛଧରା ଡଙ୍ଗାକୁ ସୁରକ୍ଷିତ ଭାବେ କୂଳକୁ ଫେରାଇ ଅଣାଯିବା ସହ ୨୬ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ମାଛଧରା ଡଙ୍ଗା ସମୁଦ୍ର ଭିତରକୁ ଯିବ ନାହିଁ ବୋଲି ସୁନିଶ୍ଚିତ କରାଯାଇଛି । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେବାକୁ ଥିବା ଗୋଟିଏ ହେଲିକପ୍ଟର ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି । ୧୪ଟି ଜିଲ୍ଲାର ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ତିନି ବନ୍ଦର ଯଥା ଗୋପାଳପୁର, ପାରାଦୀପ ଓ ଧାମରା କର୍ତ୍ତୃପକ୍ଷକୁ ସତର୍କତାମୂଳକ ସୂଚନା ଜାରି କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।