ଝାରପଡ଼ା ଜେଲରେ ଚାଲିଛି ଗୁଣ୍ଡାରାଜ୍ ; ମୁଣ୍ଡଫଟା ପରେ ପୁଣି ଜଣଙ୍କ ହାତ ଭାଙ୍ଗିଲେ

ଝାରପଡ଼ା ଜେଲରେ ଚାଲିଛି ଗୁଣ୍ଡାରାଜ୍ ; ମୁଣ୍ଡଫଟା ପରେ ପୁଣି ଜଣଙ୍କ ହାତ ଭାଙ୍ଗିଲେ

  •   ଭୁବନେଶ୍ୱର, ୩ା୯ : ଝାରପଡ଼ା ଜେଲରେ ବିଚାରାଧିନ କଏଦୀଙ୍କୁ ଆକ୍ରମଣ ବଢ଼ିବାରେ ଲାଗିଛି । ଜେଲ ଭିତରେ ଚାଲିଛି କଏଦୀ ଓ ଜେଲ କତ୍ରୁପକ୍ଷଙ୍କ ଗୁଣ୍ଡାରାଜ୍ । ଖବର ବାହାରକୁ ଆସିଲେ କରାଯାଉଛି ମରଣାନ୍ତକ ଆକ୍ରମଣ । ଖାଲି ଆକ୍ରମଣ ନୁହଁ ହାତଗୋଡ ଭାଙ୍ଗି ଦେଉଛନ୍ତି ଜେଲ ଭିତରେ ରହି ରାଜୁତି କରୁଥିବା କଏଦୀ । ହେଲେ ଯାହା ଜଣାପଡ଼ିଛି କଏଦୀ ଓ ଜେଲ କତ୍ରୁପକ୍ଷଙ୍କ ଭିତରେ ଚାଲିଛି ମଧୁଚନ୍ଦ୍ରିକା । ଗଣମାଧ୍ୟମରେ ଖବର ବାଜିଲେ ଅଫିସର ହେଉଛନ୍ତି ଆକ୍ଟିଭ୍ । ଗତ ରବିବାର ଜଣେ ବିଚାରାଧିନ କଏଦୀ ଜେଲର ଭିତର ଗୁମୁର ଖୋଲି ଦେବାରୁ ତାଙ୍କୁ ଗ୍ୟାଙ୍ଗଷ୍ଟର ହାଇଦର ପୁଅ ମୁନା କରିଥିଲା ମରଣାନ୍ତକ ଆକ୍ରମଣ । ଯାହାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଘଟଣାକୁ ନେଇ କଡାକଡି ଭାବେ ତଦନ୍ତ ନିଦେ୍ର୍ଦଶ ଦେଇଥିଲେ ଜେଲ୍ ବିଭାଗ ଏଡିଜି ଅମିତାଭ ଠାକୁର । ଯାହାକୁ ନେଇ କଟକ ଡିଭିଜନ୍ ଡିଆଇଜି ଅନୁସୟା ଜେନା ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ, ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ପୁଣି ଏକ ଜେଲ ଭିତରୁ ଆସିଛି ଆଉ ଏକ ସଂଗୀନ ଅଭିଯୋଗ । ବିଚାରାଧିନ କଏଦୀ ସୌମ୍ୟକାନ୍ତଙ୍କୁ ମରଣାନ୍ତକ ଆକ୍ରମଣ ସହ ମୁଣ୍ଡଫଟା ପରେ ପୁଣି ଜଣେ କଏଦୀଙ୍କୁ ଜେଲ କତ୍ରୁପକ୍ଷ ଗତକାଲି ମରଣାନ୍ତକ ଆକ୍ରମଣ କରି ତାଙ୍କର ହାତ ଭାଙ୍ଗିଦେଇଥିବା ଘଟଣା ଜଣାପଡ଼ିଛି । ହେଲେ ଏହି ଖବର ବାହାରକୁ କେମିତି ନଯିବ ସେ ନେଇ ଆହତ କଏଦୀଙ୍କୁ ମେଡ଼ିକାଲ ନ ପଠାଯାଇ ତାଙ୍କୁ ଜେଲ ଭିତରେ ହିଁ ରଖାଯାଇଥିଲା । କିନ୍ତୁ ଏହି ଖବର ମଧ୍ୟ ଗଣମାଧ୍ୟମ ନିକଟରେ ପହଞ୍ଚିବା ପରେ ଜେଲ କତ୍ରୁପକ୍ଷ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ଆହତ କଏଦୀ ଜଣଙ୍କ ହେଲେ ଜି ଗଙ୍ଗା ରେଡ୍ଡୀ ।   ରବିବାର ଦିନ ଝାରପଡ଼ା ଜେଲରେ ବିଚାରାଧିନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ଆକ୍ରମଣ ଘଟଣାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ । ଜେଲ ଭିତରେ କଏଦୀଙ୍କ ସୁରକ୍ଷାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ, ଜେଲର କିଛି ଅଧିକାରୀ ବି ଏଥିରେ ସାମିଲ ଥିବା ଅଭିଯୋଗ ହେଉଛି । ଯାହାକୁ ନେଇ କେମିତି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ଝାରପଡ଼ା ଜେଲ ଯାଇ ତାହାର ତଦନ୍ତ କରିଛନ୍ତି ଡିଆଇଜି ଅନୁସୟା ଜେନା ।ଜେଲର ଗୁମର ଫିଟାଇବାରୁ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତାଙ୍କ ଗ୍ୟାଙ୍ଗ୍ ବିଚାରାଧୀନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ମାଡ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । ପରେ ପୁଣି ଜଣେ କଏଦୀଙ୍କୁ ମାଡ ମାରି ହାତ ଭାଙ୍ଗିବା ନେଇ ମଧ୍ୟ ଜେଲ କତ୍ରୁପକ୍ଷ ଏକ ମାମଲା ରୁଜୁକରିଥିବା ଜଣାପଡ଼ିଛି । ଏନେଇ ଜେଲର ସୁପରିଟେଣ୍ଡେଣ୍ଟ୍ ଓ ଜେଲରଙ୍କୁ ଯୋଗାଯୋଗ କରାଯାଇଥିଲେ ବି କୌଣସି ସୂଚନା ମିଳିପାରିନାହିଁ ।
     ସୂଚନା ଯୋଗ୍ୟଯେ, ଝାରପଡ଼ା ଜେଲରେ ବିଚାରାଧୀନ କଏଦୀ ଥିବା ସୌମ୍ୟକାନ୍ତ ମହାନ୍ତି କିଛି ଦିନ ତଳେ ଭୁବନେଶ୍ୱର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣଙ୍କୁ ଚିଠି ଲେଖି ଜେଲ ଭିତରର ଗୁମର ଜଣାଇଥିଲେ । ଯେଉଁଥିରେ ଲେଖା ରହିଥିଲା ଯେ ଜେଲ ଭିତରେ ଗଞ୍ଜେଇ ଭର୍ତ୍ତି ବିଡି ଗୋଟା ୨୦୦ ଟଙ୍କାରେ ବିକ୍ରି ହେଉଛି । ଏହାଛଡା ଉନ୍ନତ ଧରଣର ରହିବା ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ୫୦ ହଜାର ଟଙ୍କା, ଟେଲିଫୋନ୍ ପାଇଁ ୫ ହଜାର ଟଙ୍କା, ମୁଲାକାତ ପାଇଁ ମାସକୁ ୧୦ ହଜାର, ରୁମ୍ରେ କୁଲର ଓ ଭଲ ଖାଇବା ପାଇଁ ଅତିରିକ୍ତ ଚାର୍ଜ ଦେବାକୁ ପଡୁଥିବା ନେଇ ସେ ଚିଠିରେ ଉଲ୍ଲେଖ କରିଥିଲେ । ଚିଠି ମିଳିବା ପରେ ଗତ ଶନିବାର ଅଚାନକ ଜେଲରେ ସ୍କ୍ୱାର୍ଡ ଚଢ଼ଉ କରି ମୋବାଇଲ ଓ ନିଶା ଦ୍ରବ୍ୟ ଜବତ କରି ଲକ୍ଷ୍ମୀସାଗର ଥାନାରେ ଜିମା ଦେଇଥିଲେ । ଏହି ଚଢ଼ଉର ଗୋଟିଏ ଦିନ ପରେ ଅର୍ଥାତ ରବିବାର ସୌମ୍ୟକାନ୍ତଙ୍କ ଉପରେ ଆକ୍ରମଣ ହୋଇଥିଲା । ଜେଲରେ ଥିବା ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତାଙ୍କ ସହଯୋଗୀ ମାନେ ସୌମ୍ୟକାନ୍ତଙ୍କୁ ଆକ୍ରମଣ କରିଥିବା ସୌମ୍ୟ ଅଭିଯୋଗ କରିଥିଲେ  । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାର ଖୋଳତାଡ ପାଇଁ ତଥା ଜେଲର କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ଜେଲ ବିଭାଗ ଏଡିଜି ଅମିତାଭ ଠାକୁର ।