ଟାଟା ଖଣିରେ ବେପରୁଆ ବିସ୍ଫୋରଣ ମାଟିକାନ୍ଥ ଭାଙ୍ଗିପଡିବା ଆଶଙ୍କାରେ ଗ୍ରାମବାସୀ
କାଳିଆପାଣି,: ଖଣି ନିକଟବର୍ତୀ ଗାଁ ଗୁଡିକ ଏବେ ଆଉ ସୁରକ୍ଷିତ ହୋଇ ରହିନାହିଁ । ଖଣି ଭିତରୁ କ୍ରୋମାଇଟ ଉତୋଳନ ନିମନ୍ତେ କମ୍ପାନୀ ମାନେ ବେପରୁଆ ଢଙ୍ଗରେ ବିସ୍ଫୋରଣ କରୁଥିବାରୁ ଅଧିକାଂଶ ମାଟିକାନ୍ଥ ଆଁ କରି ଫାଟି ରହିଛି । ଏସବୁ ଦେଖିବାକୁ ମିଳିଛି କାଳିଆପାଣି ଖଣି ଅଞ୍ଚଳରେ ଥିବା କଂସ ଗ୍ରାମ ପଞ୍ଚାୟତର କାମର୍ଦା ମୁଣ୍ଡା ସାହିରେ । ସାହିର ଅଧିକାଂଶ ଆଦିବାସୀ ପରିବାର ଅନେକ ବର୍ଷଧରୀ ଏଠାରେ ମାଟିକାନ୍ଥ ଘରେ ରହିଆସୁଛନ୍ତି । ତେବେ ଏମାନଙ୍କ ଅଭିଯୋଗ ଅନୁଯାୟୀ ଗତ କିଛି ମାସ ମଧ୍ୟରେ ତାଙ୍କ ଗାଁ ଅତି ନିକଟରେ କାର୍ଯ୍ୟରତ ଟାଟା କମ୍ପାନୀର କ୍ରୋମାଇଟ ଖାଦାନ ରହିଛି । ସେହି ଖଣିରେ ବାରମ୍ବାର ଡିନାମାଇଟ ବିସ୍ଫୋରଣର ପ୍ରଭାବ ଯୋଗୁଁ ତାଙ୍କ ଗାଁର ଅଧିକାଂଶ ମାଟି କାନ୍ଥରେ ତିଆରି ଘର ଗୁଡିକରେ ବଡ଼ବଡ଼ ଫାଟ ସୃଷ୍ଟି ହେବାରେ ଲାଗିଛି । କିଛି ଘରର କାନ୍ଥ ଏପରି ଅବସ୍ଥାରେ ଅଛି ଯେ ଘର ଲୋକେ ଘର ଭିତରକୁ ପଶିବାକୁ ଭୟ କରୁଛନ୍ତି । ଗାଁର କୁନି ହାଁସଦା, କନକଲତା ବାନାରା, ସାଗର ବଦ୍ରା, ମିକି ବାନାରା, ସମ୍ବାରି ବାନସିଂ, ସମବାରୀ ବାନାରା, ରିଷା ଚାମ୍ପିୟା, ନାଗୁରି ବାନାରା, ସନାତନ ଦାସ, ଗଣେଶ ଦଳେଇ, ନିରାକାର ନାୟକ, ବିଷ୍ଣୁ ନାୟକ, ପାର୍ବତୀ ସେଠି, ଶିବ ସେଠି, ମଞ୍ଜୁ ସୋରେନ, ମମତା ବାନାରାଙ୍କ ଘର ଗୁଡିକରେ ବଡ଼ବଡ଼ ଫାଟ ହୋଇଥିବାର ଅଭିଯୋଗ ଆସିଛି । ଏମାନେ ସମସ୍ତେ କୁହନ୍ତି ଯେ ଗତ କିଛିମାସ ମଧ୍ୟରେ ତାଙ୍କ ଘରର ମାଟିକାନ୍ଥ ଏବଂ କେତୋଟି ପଥର କାନ୍ଥ ମଧ୍ୟ୍ୟ ଫାଟି ଦୁଇଭାଗ ହୋଇଯାଇଅଛି । ଏଣୁ ଏମାନେ ସମସ୍ତେ ଏକ ନିଶ୍ଚିତ ଦୁର୍ଘଟଣାର ଆଶଙ୍କା ଏବଂ ଭୟର ବାତାବରଣରେ କାଳାତିପାତ କରୁଛନ୍ତି । ତେଣେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏହାକୁ ନେଇ ସ୍ଥାନୀୟ ଟାଟା କମ୍ପାନୀର ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ହେଁ ଏହାର ପ୍ରତିକାର ବଦଳରେ ଏହା ଖଣି ମଧ୍ୟରେ କରାଯାଉଥିବା ବିସ୍ଫୋରଣ ଯୋଗୁଁ ଘର ଗୁଡିକର କାନ୍ଥ ଫାଟିନାହିଁ ବୋଲି କମ୍ପାନୀର ଅଧିକାରୀ ସଫେଇ ଦେଉଛନ୍ତି । କୌଣସି ଏକ ଯନ୍ତ୍ର ଦ୍ୱାରା ଆମ ଘର ଚାରିପାଖରେ ମାପଚୁପ କରି ଆମକୁ ମିଛ ଆଶ୍ୱାସନା ଦେଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ତେବେ ସେମାନେ ପ୍ରଶାସନକୁ ଆବେଦନ କରିଛନ୍ତି ଯେ, ତାଙ୍କ ଘରର ଅତିନିକଟରେ ଥିବା ଖଣି ମାଧ୍ୟରେ ବିସ୍ଫୋରଣ ବନ୍ଦ କରାଯାଉଥିବାରୁ ଘର ଗୁଡିକରେ ଫାଟ ସୃଷ୍ଟି ହୋଇଛି । ଯାହାର ଉଚିତ ଢଙ୍ଗରେ ମରାମତି କରି ସୁରକ୍ଷା ପ୍ରଦାନ କରାଯାଉ ।
 
 Rasmita Behera
                                    Rasmita Behera                                 
    
 
    
 
 
 
