ମୃତ ଖରସ୍ରୋତା ହେବ ଚିରସ୍ରୋତା : ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆକାଶ ଓ ହିମାଂଶୁ
କୁଆଖିଆ : କୋରେଇ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ଅନ୍ତର୍ଗତରେ ଥିବା ୯ ପଞ୍ଚାୟତର ଜୀବନରେଖାକୁ ପ୍ରଭାବିତ କରୁଥିବା ମୃତ ମୂଳ ଖରସ୍ରୋତା ଏବେ ଜୀବନ୍ୟାସ ପାଇବ । ଅଟକଳ ଅନୁଯାୟୀ ଏହି ବନ୍ଦ ନଦୀ ମୁହାଣରେ ୫ କୋଟି ୭୫ ଲକ୍ଷ ବ୍ୟୟରେ ଏକ ସୁଇସ ଗେଟ ଏବଂ ନଦୀର ଢାଲୁ ନିର୍ମାଣ ସକାଶେ ୩କୋଟି ୩୫ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ନଦୀ ଚିରସ୍ରୋତା ହେଲେ ରସୁଲପୁର ୭ଗୋଟି ପଞ୍ଚାୟତର ଅନେକ ଗାଁ, ଗଣ୍ଡାର ମଣିଷ ଠାରୁ ପଶୁ, ପକ୍ଷୀ ପର୍ଯ୍ୟନ୍ତ ସେମାନଙ୍କ ଆଶା ଭରଷା ଫେରିପାଇବେ । ଏଥିପାଇଁ ଆଜି ନଦୀ କୁଳବର୍ତୀ ଲୋକ ଙ୍କ ମନରେ ଆଶା ସଞ୍ଚାର ହୋଇଛି ।
ସୂଚନା ଅନୁଯାୟୀ ରସୁଲପୁର ବ୍ଲକ ଟିକରପଡା ନିକଟରୁ ବାହାରିଥିବା ଖରସ୍ରୋତା ନାମକ ଚିରସ୍ରୋତା ନଦୀଟି ମୁହାଣ ବନ୍ଦ ହେବା ଯୋଗୁଁ ନଦୀ କୁଳବର୍ତୀ ୭ ଗୋଟି ପଞ୍ଚାୟତର ଜନସାଧାରଣଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିଥିଲା । ଏହାକୁ ଚିରସ୍ରୋତା କରିବା ପାଇଁ ୨୦୦୯ ମସିହା ରେ ତତକାଳୀନ ବିଧାୟକ ପ୍ରତିରଞ୍ଜନ ଘଡାଇଙ୍କ ନିକଟରେ ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତ ମାନେ ଦାବି କରିଥିଲେ । ଏହାକୁ ନେଇ ସ୍ଥାନୀୟ ମଧୁବନ ଅଞ୍ଚଳର କେତେକ ବୁଦ୍ଧିଜୀବୀ ଏବଂ ଶିକ୍ଷାବିତଙ୍କୁ ନେଇ ଗଠିତ ଖରସ୍ରୋତା ପୁନଃରୁଦ୍ଧାର ସମିତିର ଆବାହକ ଶିକ୍ଷାବିତ ବେଣୁଧର ଦୋବାଇ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ନାୟକ, ବରିଷ୍ଟ ନେତା ଲକ୍ଷ୍ମଣ କୁମାର ରାଉତ, ଇଞ୍ଜିନିୟର ବିଶ୍ୱଜିତ ମହାନ୍ତି, ପରିବେଷବିତ ଗୋପୀନାଥ ପତି ପ୍ରମୁଖ ବୁଦ୍ଧିଜୀବୀ ମାନେ ୨୦୧୪ ଠାରୁ ୨୦୧୯ ଏବଂ ୨୦୧୯ ଠାରୁ ୨୦୨୪ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଆନ୍ଦୋଳନ, ଅନଶନ ମାଧ୍ୟମରେ ସରକାରଙ୍କ ନିକଟରେ ଦାବି ରଖି ଆସିଥିଲେ । ଆଜି କୋରେଇ ବିଧାୟକ ଆକାଶ ଦାସ ନାୟକ ଏବଂ ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର ସାହୁଙ୍କ କର କମଳରେ ଭତ୍ତିପ୍ରସ୍ତର ସ୍ଥାପନ ହୋଇଛି । କାର୍ଯ୍ୟକ୍ରମରେ ବିଜେପି ଦଳର ଅନେକ ନେତା, କାର୍ଯ୍ୟକର୍ତ୍ତା, କର୍ମୀ ଯୋଗ ଦେଇଥିଲେ ।