ବିପଦକୁ ଆମନ୍ତ୍ରଣ କରୁଛି ମୁକୁଳା ଡ୍ରେନ

 କବାଟବନ୍ଧ: ଡ୍ରେନ ହୋଇଛି । ହେଲେ ମୁକୁଳା ପଡ଼ିଛି । ମୁକୁଳା ଡ଼୍ରେନ ବିପଦକୁ ଆମନ୍ତ୍ରଣ କରୁଛି । ଏଭଳି ଚିତ୍ର କବାଟବନ୍ଧ-ରେଖିଦେଇପୁର ରାସ୍ତାରେ ଦେଖିବାକୁ ମିଳିଛି । ପୂର୍ତ୍ତ ବିଭାଗ ଅଧୀନରେ ଥିବା ବଳରାମପୁର ତଳଗଡ଼ ଗ୍ରାମ ରାସ୍ତାର ଏକ ପାର୍ଶ୍ୱରେ ଡ୍ରେନ ହୋଇଥିଲେ ହେଁ ଢାଙ୍କୁଣି ବା ସ୍ଲାବ ପକାଯାଇନି । ସଂପୃକ୍ତ ରାସ୍ତାଟି ଅଣଓସାରିଆ । ଗୋଟିଏ ପାର୍ଶ୍ୱରେ ପାଞ୍ଚ ଫୁଟ ଗଭୀରତାର ଏକ ଡ୍ରେନ ନିର୍ମାଣ ହୋଇଛି ସତ ହେଲେ ଉପରେ ସ୍ଲାବ ଢଙ୍କାଯାଇନାହିଁ । ଯାହାକି ବିପଦକୁ ଆମନ୍ତ୍ରଣ କରୁଛି । ଉକ୍ତ ରାସ୍ତାଟି ସୀମାନ୍ତ ଜିଲା ଢେଙ୍କାନାଳରୁ ୫୩ନମ୍ବର ଜାତୀୟ ରାଜପଥକୁ ସଂଯୋଗ ହୋଇଥିବାରୁ ଟ୍ରକ, ବସ, କାର ଏବଂ ଛୋଟ ଗାଡ଼ି ମଟର ଯିବା ଆସିବା କରିଥାନ୍ତି । ଶହଶହ ଲୋକ ଶିଳ୍ପନଗରୀ କଳିଙ୍ଗନଗରକୁ ଏହି ରାସ୍ତା ଦେଇ ଯିବା ଆସିବା କରିବା ସହିତ ସ୍କୁଲ କଲେଜକୁ ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ଯିବା ଆସିବା କରିଥାନ୍ତି । ଅନେକ ସମୟରେ ଉକ୍ତ ରାସ୍ତାରେ ଗୋଟିଏ ଗାଡ଼ି ଗଲେ ଅନ୍ୟ ଏକ ବାଇକ ଯିବା କଷ୍ଟକର ହୋଇପଡେ । ଯାହାକି ପାଦେ ପାଦେ ବିପଦ ରହିଛି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଅନେକ ସମୟରେ ମଣିଷ ଏବଂ ଗାଈ, ଗୋରୁ ସେହି ମୁକୁଳା ଡ୍ରେନରେ ପଡି ଗୁରୁତ୍ୱର ଆହତ ହୋଇଥିବାର ଅଭିଯୋଗ ମଧ୍ୟ ହୋଇଛି । ବର୍ଷା ଦିନରେ ଉପର ମୁଣ୍ଡରୁ ପାଣି ଆସି ଡ୍ରେନ ଭର୍ତ୍ତି ହୋଇ ପ୍ରଭାହିତ ହୋଇଥାଏ । କୌଣସି ବିପଦ ସୃଷ୍ଟି ହେବା ପୂର୍ବରୁ ତୁରନ୍ତ ଏହା ଉପରେ ଢାଙ୍କୁଣି ବା ସ୍ଲାବ ଢାଙ୍କିବାକୁ ସାଧାରଣରେ ଦାବି ହେଉଛି ।