ଟ୍ରକ ଓଲଟି ଚାଲିଗଲା ୯ ଜୀବନ

ଆନ୍ଧ୍ରପ୍ରଦେଶର ଅନ୍ନମୟା ଜିଲାରେ ଆମ୍ବ ବୋଝେଇ ଏକ ଟ୍ରକ ଓଲଟି ପଡ଼ିବାରୁ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହା ସହିତ ୧୦ ଜଣ ଆହତ ହୋଇଛନ୍ତି। କଡପା ସହରରୁ ପ୍ରାୟ ୬୦ କିଲୋମିଟର ଦୂର ପୁଲମପେଟା ମଣ୍ଡଳର ରେଡ୍ଡି ଚେରୁଭୁ କଟ୍ଟାରେ ରବିବାର ରାତିରେ ଏହି ଦୁଃଖଦ ଘଟଣା ଘଟିଛି। ପୋଲିସର ସୂଚନା ଅନୁଯାୟୀ, ହ୍ରଦ କୂଳରେ ଟ୍ରକ ଓଲଟି ପଡ଼ିବା ମାତ୍ରେ ଟ୍ରକରେ ଆମ୍ବ ଉପରେ ବସିଥିବା ଶ୍ରମିକମାନେ ଆମ୍ବ ତଳେ ଚାପି ହୋଇଯାଇଥିଲେ। କୁହାଯାଉଛି ଯେ ଆମ୍ବଗୁଡ଼ିକର ଓଜନ ୩୦-୪୦ ଟନ ଥିଲା, ଯାହା ତଳେ ଶ୍ରମିକମାନେ ଚାପି ହୋଇଯାଇଥିଲେ। ଦୁର୍ଘଟଣାରେ ୫ ଜଣ ମହିଳା ମଧ୍ୟ ସାମିଲ ଅଛନ୍ତି। ଆହତମାନଙ୍କୁ ରାଜମପେଟର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି ଗୁରୁତର ଆହତଙ୍କୁ ଉନ୍ନତ ଚିକିତ୍ସା ପାଇଁ କଡପାସ୍ଥିତ RIMS ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାସ୍ଥଳରେ ହିଁ ଆଠ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କର ରାଜମପେଟର ଏକ ଡାକ୍ତରଖାନାରେ ମୃତ୍ୟୁ ଘଟିଛି।