୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା : ସତର୍କ ସୂଚନା ଜାରି

୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା : ସତର୍କ ସୂଚନା ଜାରି

ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଉତ୍ତର ମଧ୍ୟପ୍ରଦେଶର ମଧ୍ୟ ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସହ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଦୁଇଟି ପୃଥକ ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଅତିପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼କୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ଢ଼େଙ୍କାନାଳ, ଦେବଗଡ଼, କଟକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ସମ୍ବଲପୁର, ମାଲକାନଗିରି, ଗଜପତି, ଗଞ୍ଜାମ ଓ ବଲାଙ୍ଗୀର ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଜଗତ୍‌ସିଂହପୁର, ଝାରସୁଗୁଡ଼ା, ବରଗଡ଼, ପୁରୀ, ଖୋର୍ଦ୍ଧା, ସୋନପୁର ଓ ବୌଦ୍ଧ ଆଦି ଜିଲାକୁ ବଜ୍ରପାତ ଭୟ ରହିଥିବାରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ରବିବାର ପାରାଦୀପରେ ସର୍ବାଧିକ ୪୧.୩ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ସୋନପୁରରେ ୨୪.୪ ମିମି, ବାଲେଶ୍ୱର ଓ ଟିଟିଲାଗଡ଼ରେ ୧୫.୩ ମିମି, ଭଦ୍ରକରେ ୮.୦ ମିମି, ଢ଼େଙ୍କାନାଳରେ ୭.୪ ମିମି, ମାଲକାନଗିରିରେ ୫.୬ ମିମି, କେନ୍ଦ୍ରାପଡ଼ାରେ ୩.୦ ମିିମି ଓ ରାଉରକେଲାରେ ୨.୬ ମିମି ବର୍ଷା ରେକର୍ଡ ହୋଇଛି। ଏହାସହ ଭୁବନେଶ୍ୱର-କଟକ ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବର୍ଷା ହୋଇଛି।