ଟ୍ରେନି ଓଏଏସ୍ଙ୍କୁ ରାଜ୍ୟପାଳଙ୍କ ପରାମର୍ଶ : ଶିଖିବାର ପ୍ରବୃତ୍ତିକୁ ଜାରି ରଖ

 ଭୁବନେଶ୍ୱର  : ଆଜି ରାଜ ଭବନର ନୁ୍ୟ ଅଭିଷେକ ହଲ୍ଠାରେ ଓଡ଼ିଶା ରାଜସ୍ୱ ସେବାରୁ ଓଡ଼ିଶା ପ୍ରଶାସନିକ ସେବାକୁ ପଦୋନ୍ନତି ପ୍ରାପ୍ତ ୭୧ ଅଫିସର ଟ୍ରେନି ଓ ପ୍ରତ୍ୟକ୍ଷଭାବେ ନିଯୁକ୍ତ ଓଡ଼ିଶା ପ୍ରଶାସନିକ ସେବା ୨୦୨୨ ବ୍ୟାଚ୍ର ୭୮ ଅଫିସର ଟ୍ରେନି ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ରାଜ୍ୟପାଳ ପ୍ରଶିକ୍ଷଣ ଗ୍ରହଣ କରୁଥିବା ଅଧିକାରୀମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ସେମାନଙ୍କୁ ନିଜ ମଧ୍ୟରେ ଶିଖିବାର ପ୍ରବୃତ୍ତିକୁ ଜାରି ରଖି ଜ୍ଞାନର ପରିଧିକୁ ବ୍ୟାପକ କରି ଦୃଢ଼ ଆତ୍ମ ବିଶ୍ୱାସର ସହ ଜନସାଧାରଣଙ୍କୁ ସେବା ପ୍ରଦାନ କରିବାକୁ କହିଥିଲେ । ସେହିପରି ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଜାଣିବା ପାଇଁ ବିଭିନ୍ନ ବିଭାଗର କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ । ବିଭିନ୍ନ ଅଞ୍ଚଳର ବିଶେଷତ୍ୱ, ଅଭିନବ ପ୍ରୟାସ, ଜୀବନ-ଜୀବିକା ସମ୍ପର୍କରେ ସର୍ବଦା ଅପ୍ଡେଟ ରହିବା ପାଇଁ ଦୈନିକ ସମ୍ବାଦପତ୍ର, ନୁ୍ୟଜ୍ ଚ୍ୟାନେଲର ବ୍ୟବହାର ସହିତ ପଢ଼ିବାର ଆଗ୍ରହକୁ ଜାଗ୍ରତ ରଖିବା ପାଇଁ ରାଜ୍ୟପାଳ ସେମାନଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟପାଳ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ପ୍ରଣିତ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଓ ସଫଳତା ସହିତ ଆହ୍ୱାନ ସଂପର୍କିତ ଏକ ବୁକ୍ଲେଟ୍ ପ୍ରକାଶନ କରି ତାହା ପ୍ରଶିକ୍ଷଣ ଗ୍ରହଣ କରୁଥିବା ପ୍ରଶାସନିକ ଅଧିକାରୀଙ୍କୁ ଉପଲବ୍ଧ କରିବାକୁ କହିଥିଲେ । 
ଏହି ସାକ୍ଷାତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ ନିଦେ୍ର୍ଦଶକ ଡକ୍ଟର ମୋନାଲିସା ଲେଙ୍କା ଏକାଡେମୀ ଦ୍ୱାରା ପ୍ରଦାନ କରାଯାଉଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ଅଫିସର୍ସଟ୍ରେନିଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅଫିସର୍ସଟ୍ରେନିଙ୍କ ପକ୍ଷରୁ ବିକାଶ କୁମାର ସାହୁ, ସାୟେଦା ନାୟେଲା, ଦିବ୍ୟ ରଞ୍ଜନ ବିଶ୍ୱାଳ ଓ ମଧୁସ୍ମିତା ବିଶି ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍ବିଏସ୍ ରାଜପୁତ ଉପସ୍ଥିତ ଥିଲେ । ଶେଷରେ ଅଫିସସର୍ସ ଟ୍ରେନିଙ୍କ ପକ୍ଷରୁ ଆକାଂକ୍ଷା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ରାଜଭବନର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକାଡେମୀର ଅଧିକାରୀମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।