ଟ୍ୱିଟର ମାଧ୍ୟମରେ ଅଭିଯୋଗର ସମାଧାନ ପାଇଁ ଦାବିପତ୍ର
ନୂଆପଡା: ଟ୍ୱିଟର (ଏକ୍ସ) ପ୍ଲାଟଫର୍ମ ମାଧ୍ୟମରେ ନାଗରିକଙ୍କ ଅଭିଯୋଗ ସହଜ ଓ ତୁରନ୍ତ ସମାଧାନ ପାଇଁ ଗ୍ରୀଭାନ୍ସ ରେଡ୍ରେସାଲ ସିଷ୍ଟମ୍ ସକ୍ରିୟ କରିବା ଉଦେ୍ଦଶ୍ୟରେ କଳାହାଣ୍ଡି ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ,ଏଟିଏର ଜିଲ୍ଲା ସଂଯୋଜକ ଶୁଭମ ତାଣ୍ଡି ଓ ଟ୍ୱିଟର ଆକ୍ଟିଭିଷ୍ଟ ଲକ୍ଷ୍ମୀକାନ୍ତ ତାଣ୍ଡି ମିଳିତ ଭାବେ ନୂଆପଡା ଜିଲ୍ଲାପାଳଙ୍କୁ ଲିଖିତ ଦାବି ଜଣାଇଛନ୍ତି । ସେମାନେ ଉଲ୍ଲେଖ କରିଛନ୍ତି ଯେ, ଟ୍ୱିଟର ଏକ ଶକ୍ତିଶାଳୀ ଗଣମାଧ୍ୟମ ଭାବରେ ଉଭୟ ସରକାର ଓ ନାଗରିକଙ୍କୁ ସଂଯୋଗ କରୁଛି । ଏହି ପ୍ଲାଟଫର୍ମ ମାଧ୍ୟମରେ ଅଭିଯୋଗ, ଅନୁରୋଧ ଓ ନିବେଦନଗୁଡିକୁ ସରକାରୀ ଅଧିକାରୀଙ୍କ ସମ୍ମୁଖରେ ରଖିବା ପାଇଁ ଏକ ସଂଖ୍ୟାବଦ୍ଧ ଓ ଉତ୍ତରଦାୟୀ ପ୍ରକ୍ରିୟା ଗଠନ କରାଯିବା ଆବଶ୍ୟକ । ସେମାନଙ୍କ ମତାନୁସାରେ, ଏହି ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ପରିସରରେ ଏକ ନିର୍ଦ୍ଦିଷ୍ଟ ଟିମ୍ କିମ୍ବା ଅଧିକାରୀଙ୍କୁ ଦାୟିତ୍ୱ ଦେଇ ଟ୍ୱିଟର ମାଧ୍ୟମରେ ଆସୁଥିବା ଅଭିଯୋଗର ତଦାରଖ, ସ୍ୱୀକୃତି ଓ ତୁରନ୍ତ ପ୍ରତିକ୍ରିୟା ଦେବା ଉପରେ ଗୁରୁତ୍ୱ ଦେଉଛନ୍ତି । ଜନସାଧାରଣଙ୍କ ଅଧିକ ସହଯୋଗ, ନ୍ୟାୟ ଓ ସ୍ୱର ଶୁଣିବା ଅନୁଭବ କରିବା ପାଇଁ ସେମାନେ ଏହି ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟନ୍ୱୟନ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଏହି ପଦକ୍ଷେପ ନିଶ୍ଚିତ ଭାବେ ଏକ ଉତ୍ତମ ଡିଜିଟାଲ ଶାସନ ଦିଗରେ ଏକ ଦୃଢ ଚାଲ ହେବ ବୋଲି ଆଶା କରାଯାଉଛି ।