ସରକାରଙ୍କ ଉଦାସୀନତା  : ଖାଲି ପଡିଛି ବହୁ ମତ୍ସ୍ୟ ଅଧିକାରୀ ପଦବୀ

  କେନ୍ଦୁଝର: ଓଡ଼ିଶାର ୩୯ ଜିଲ୍ଲାମତ୍ସ୍ୟ ଅଧିକାରୀ ପଦବୀ ମଧ୍ୟରୁ କେନ୍ଦୁଝର ସମେତ ୩୪ଜିଲ୍ଲା ମତ୍ସ୍ୟ ଅଧିକାରୀ ପଦବୀ ଫାଙ୍କା ପଡ଼ିଛି । ୩ ଟି ଜିଲ୍ଲା ଛାଡ଼ିଦେଲେ ଆଉ କୌଣସି ଜିଲ୍ଲାରେ ନାହାନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ  । ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଏବଂ ନୟାଗଡ଼ ଜିଲ୍ଲାକୁ ଛାଡ଼ିଦେଲେ ଓଡ଼ିଶାର ଅନ୍ୟ ସମସ୍ତ ଜିଲ୍ଲା ଗୁଡ଼ିକ ଭାରପ୍ରାପ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛି । ଓଡ଼ିଶାରେ ପ୍ରାୟ ୧୬ ଲକ୍ଷ ୯୯ଜଣ ଲୋକଙ୍କ ଜୀବିକା ମତ୍ସ୍ୟସମ୍ପଦ ଉପରେ ନିର୍ଭରଶୀଳ । ପ୍ରାୟ ୯୪.୭୫ଶତକଡା ଲୋକ ମାଛ ଖାଉଥିବା ସ୍ଥଳେ ଜଣେ ଲୋକ ବର୍ଷକୁ ହାରାହାରି ୧୮.୩୩ କିଲୋ ମାଛ ଖାଇଥାଏ, ଯାହାକି ଆମ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଠାରୁ ମଧ୍ୟ ଅଧିକ । ଓଡିଶାରେ ଦୈନିକ ୩୩୧୦ ଟନ୍ ମାଛ ଉତ୍ପାଦନ ହେଉଥିବା ସ୍ଥଳେ ଦୈନିକ ୨୫୦୦ ମେଟ୍ରିକ ଟନ୍ ମାଛ ଓଡିଶାର ଲୋକେ ଖାଇଥାନ୍ତି । ଏବଂ ପ୍ରତିଦିନ ଓଡ଼ିଶାରୁ ୮୧୦ଟନ୍ ମାଛ ରାଜ୍ୟ ବାହାରକୁ ପଠାଯାଉଛି । ତାଛଡା ବର୍ତ୍ତମାନ ମତ୍ସ୍ୟ ସମ୍ପଦ ଜାତୀୟ ସ୍ତରରେ ଏକ ବିକାଶଶୀଳ ସମ୍ପଦ ହୋଇ ଉଭା ହୋଇଛି । ସେଥିପାଇଁ କେନ୍ଦ୍ର ସରକାର ମତ୍ସ୍ୟ ସମ୍ପଦର ବିକାଶକୁ ଅଧିକ ପ୍ରାଥମିକତା ଦେଉଥିବାବେଳେ ରାଜ୍ୟ ସରକାର ମଧ୍ୟ ମତ୍ସ୍ୟ ସମ୍ପଦର ବିକାଶ କରିବା ପାଇଁ ବିଭିନ୍ନ ପଦକ୍ଷେପ ତଥା ଅନେକ ଯୋଜନା ପ୍ରଣୟନ କରିଛନ୍ତି । ମାତ୍ର ଉକ୍ତ ଯୋଜନା ଗୁଡ଼ିକୁ ତୃଣମୂଳ ସ୍ତରରେ କାର୍ଯ୍ୟକ୍ଷମ କରିବାରେ ସାଧାରଣତଃ ଜିଲ୍ଲା ମତ୍ସ୍ୟ ଅଧିକାରୀ ଏବଂ ସହକାରୀ ମତ୍ସ୍ୟ ଅଧିକାରୀମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ଦୁଃଖର ବିଷୟ ଏହିକି ଯେ, ୩୧୪ ଟି ବ୍ଲକରୁ ୧୦୧ ଟି ବ୍ଲକ ରେ ନାହାଁନ୍ତି ସହକାରୀ ମତ୍ସ୍ୟ ଅଧିକାରୀ ଏବଂ ୩୯ ଜିଲ୍ଲା ମତ୍ସ୍ୟ ଅଧିକାରୀ ପଦବୀ ମଧ୍ୟରୁ ୩୪ ଟି ଦୀର୍ଘ ୫ବର୍ଷ ଧରି ଫାଙ୍କା ପଡ଼ିରହିଛି  । ନାହିଁ ନାହିଁରେ ଚାଲିଛି ସମସ୍ତ ଜିଲ୍ଲା ମତ୍ସ୍ୟ ବିଭାଗ । ରାଜ୍ୟ ସରକାରଙ୍କ ଓଡିଶା ଭିଜନ-୨୦୩୬ରେ ମତ୍ସ୍ୟ ଉତ୍ପାଦନ ୩.୩ ମିଲିୟନ ମେଟ୍ରିକ ଟନ୍ରେ ପହଞ୍ଚାଇବା ଏବଂ ଓଡ଼ିଶାକୁ ଚତୁର୍ଥରୁ ପ୍ରଥମସ୍ତରକୁ ନେବାର ଆକାଂକ୍ଷା ତଥା ମତ୍ସ୍ୟ ସମ୍ପଦର ୧୦ ଗୁଣ ବିକାଶ କରିବାର ସଂକଳ୍ପ ଯେ କେତେଦୂର ସଫଳ ହେବ ତାହା ଏବେ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମତ୍ସ୍ୟ ବିଭାଗର ଏପରି ଉଦାସୀନତା ତଥା ଟାଳଟୁଳ ନୀତି ସମସ୍ତଙ୍କୁ ଚକିତ କରିଛି । ଏଥିପ୍ରତି ବିଭାଗୀୟ ମନ୍ତ୍ରୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଗୋଚର ତଥା ଆବଶ୍ୟକୀୟ ପଦକ୍ଷେପ ନିମନ୍ତେ ଦାବି ହୋଇଛି ।