ଡକାୟତି ଯୋଜନା ବେଳେ ମାଡ଼ି ବସିଲା ପୁଲିସ
ହିଞ୍ଜିଳିକାଟୁ: ଗତ କିଛି ଦିନ ଧରି ୫ ଜଣ ଯୁବକ ହିଞ୍ଜିଳି ଥାନା ଇଲାକାର ବିଭିନ୍ନ ଅଞ୍ଚଳରେ ଆତଙ୍କ ସୃଷ୍ଟି କରି ଆସୁଥିଲେ । ସୋମବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ପିତଳ ଛକରେ ଥିବା ଏକ ଏଟିଏମ୍ ଭାଙ୍ଗି ଲୁଟ୍ କରିବାକୁ ପୂର୍ବରୁ ପ୍ରସ୍ତୁତି କରିଥିଲେ । ଏଟିଏମ୍ ଭାଙ୍ଗି ଲୁଟ୍ କରିବା ଯୋଜନା, ହିଞ୍ଜିଳି ଥାନା ବି. ନୁଆପଲ୍ଲୀ ଗ୍ରାମ ଛକରେ ଅବସ୍ଥାପିତ ବିଶ୍ରାମଗାରାରେ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଖବର ପାଇ ହିଞ୍ଜିଳି ପୁଲିସ ମାଡିବସି ଡକାୟତି ଯୋଜନା ପଣ୍ଡ କରିବା ସହ ୫ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୈାରାଞ୍ଚଳ ହିଞ୍ଜିଳି କେନାଳ ସାହିର ଚିଣ୍ଟୁ ଦାସ (୨୩), ହିଞ୍ଜିଳି ଥାନା ସିକିରି ନୂଆଁସାହିର ହିନ ସାମଲ (୩୦), ବେଲଗାଁ ଥାନା ପଳାସି ବଡସାହିର ରାଜା ଗୈାଡ (୨୬), ଗାଙ୍ଗପୁର ଥାନା ନିମିନା ଗ୍ରାମର ରାକେଶ ମହାପାତ୍ର (୨୨) ଓ ଧରାକୋଟ ଥାନା ଢଉଗାଁ ଗ୍ରାମର ଗୋବିନ୍ଦ ବେହେରା (୩୧) । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଡକାୟତି ଯୋଜନା ପାଇଁ ବ୍ୟବହାର କରୁଥିବା ୨ଟି ଦେଶୀ ପିସ୍ତଲ, ୩ଟି ଜୀବନ୍ତ ଗୁଳି, ୫ଟି ମୋବାଇଲ ଫୋନ, ଗୋଟିଏ ମୋଟର ସାଇକେଲ (ଓଡି୦୭ ଏଏକ୍ସ ୨୪୦୫),ଶାବଳ, ହାତୁଡି, ଖଣ୍ଡା, କାତି, ୫ଟି କଳା ରଙ୍ଗର ମୁଖା ଓ ଲଙ୍କା ଗୁଣ୍ଡକୁ ପୁଲିସ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର - ୩୯୦/୨୫ ରେ ଏକ ମାମଲା ରୁଜୁ କରି ମଙ୍ଗଳବାର ଶେରଗଡ଼ କୋର୍ଟ ଚାଲାଣ କରି ପୁଲିସ ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠି ସୂଚନା ଦେଇଛନ୍ତି । ଗିରଫ ଚିଣ୍ଟୁ ନାମରେ ହିଞ୍ଜିଳି ଥାନାରେ ୭ଟି, ରାଜାଙ୍କ ନାମରେ ୨ଟି, ହିନଙ୍କ ନାମରେ ୬ଟି, ରାକେଶ ନାମରେ ଗୋଟିଏ ଓ ଗୋବିନ୍ଦଙ୍କ ନାମରେ ୬ଟି ହତ୍ୟା, ଡକାୟତି, ଚୋରୀ, ରାହାଜାନୀ ଭଳି ସଙ୍ଗୀନ ଅପରାଧିକ ମାମଲା ରହିଛି । ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ଅନ୍ୟାନ୍ୟ କୈାଣସି ଥାନାରେ କି କି ମାମଲା ରୁଜୁ ହୋଇଛି ସେ ନେଇ ପୁଲିସ ତଦନ୍ତ ଚଳାଇଛି । ଚଢ଼ାଉରେ ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସମେତ ଥାନା ଏସଆଇ ସିଦ୍ଧାର୍ଥ ଶଙ୍କର ଜେନା, ସୁନିଳ କଣ୍ଡାଗୋରି, ଏଏସଆଇ ଅନନ୍ତ ଶବର, ବୈକୁଣ୍ଠନାଥ ଜେନା, କନେଷ୍ଟବଳ ବସନ୍ତ ଉପାଧ୍ୟାୟ, କୈଳାଶ ମଲ୍ଲିକ, ଦଣ୍ଡପାଣି ମଲ୍ଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।