ଜଗତପାଟଣାରେ ପଞ୍ଚୁଦଣ୍ଡ ମହାମିଳନ

ବୁଗୁଡ଼ା: ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଜଗତପାଟଣା ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଡଖୋଲି, ମରାଇପଲ୍ଲୀ, ଛାମଣ୍ଡା, କଣଛାଇ, ଚିଲିଖମା ଆଦି ୫ଟି ଗ୍ରାମର ଦଣ୍ଡଯାତ୍ରା ଦଳର ମହାକାଳୀ ଓ ମହାଦେବ ମିଳିତ ହୋଇଥିଲେ । ଏହି ମହାମିଳନ କାଳରେ ଝୁଣାର ମହକରେ ମିଳନ ସ୍ଥଳ ମହକିତ ହୋଇଥିବାବେଳେ ଢୋଲ ଓ ଝାଞ୍ଜ ନାଦରେ ପ୍ରକମ୍ପିତ ହୋଇଥିଲା । ଏହାକୁ ଦେଖିବା ଲାଗି ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା । ପଞ୍ଚ ଦଣ୍ଡଯାତ୍ରା ଦଳର ସାମୂହିକ ଗ୍ରାମ ପରିକ୍ରମା କାଳରେ ପ୍ରତ୍ୟେକ ଘର ସମ୍ମୁଖରେ ପୂର୍ଣ୍ଣ କୁମ୍ଭ ଦୃଶ୍ୟମାନ ହେବା ସହ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏଥି ପଞ୍ଚଦଣ୍ଡ ଦଳର ଧୂଳିଦଣ୍ଡ, ପାଣିଦଣ୍ଡ, ଅଗ୍ନିଦଣ୍ଡ, ସନ୍ଧ୍ୟା ଆଳତି ଆଦି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଉକ୍ତ ପଞ୍ଚୁଦଣ୍ଡ ମହାମିଳନ କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ କରିଥିଲେ ।