ଡିଏମଏଫର ଦୁରୂପଯୋଗ ବନ୍ଦ କରିବାକୁ ସିଭିଲ ସୋସାଇଟିର ଦାବି
ଯାଜପୁର: ଖଣି ପ୍ରଭାବିତ ଲୋକଙ୍କ ଜୀବନ ଜୀବିକାକୁ ସୁନିଶ୍ଚିତ କରିବା ଲକ୍ଷରେ ଜିଲା ଖଣିଜ ପାଣ୍ଠି ବା ଡିଏମଏଫ ଗଠନ ହୋଇଥିଲା । ଡ଼ିଏମଏଫ ଗଠନ ବେଳେ ଏହାର ଲକ୍ଷ ଉଦେଶ୍ୟ ସୁକିନ୍ଦା ଉଦ୍ୟାନ ବିଭାଗରେ ଦିଗହରା ହେଉଥିବା ପରିଲକ୍ଷିତ ହେଉଛି ।
ପିଜୁଳି ଫାର୍ମ ନାଁ ରେ ଡିଏମଏଫ ଫଣ୍ଡକୁ ଚଳୁ କରିବାକୁ ଜିଲା ପ୍ରଶାସନ ଆଇଜିଏସ ନାମକ ଏନଜିଓ ସହ ଚୁକ୍ତି କରିଥିବା ବେଳେ ଉକ୍ତ ଏନଜିଓ ମନମୁଖୀ ନିତି ଆପଣାଇ ସ୍ଥାନୀୟ ଦଳିତ, ଆଦିବାସୀ ବର୍ଗର ଶ୍ରମିକ ବର୍ଗଙ୍କୁ ଉପେକ୍ଷା କରିଚାଲିଛି । ଜିଲା ଖଣିଜ ପାଣ୍ଠିର ଦୁରୂପଯୋଗ କରୁଥିବା ସମ୍ପର୍କରେ ଆଇଜିଏସ ସଂସ୍ଥା ସହ ହୋଇଥିବା ଚୁକ୍ତିବାତିଲ କରି ଡିଏମଏଫ ଫଣ୍ଡର ଦୁରୂପଯୋଗ ବନ୍ଦ କରିବାକୁ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛି ଜିଲା ସିଭିଲ ସୋସାଇଟ । ସୂଚନାଯୋଗ୍ୟ ସୁକିନ୍ଦା ବ୍ଲକ ଦାମୋଦରପୁର ଠାରେ ଥିବା ଉଦ୍ୟାନ ବିଭାଗ ଅଧିନରେ ମୂଳଖମ୍ବ, ଦାମଦରପୁର ଠାରୁ ବୋତଲଣ୍ଡା ପର୍ଯ୍ୟନ୍ତ ପିଜୁଳି ଫାର୍ମର ପରିକଳ୍ପନା ଜିଲା ଖଣିଜ ପାଣ୍ଠିରେ ବ୍ୟୟ ବରାଦ କରାଯାଇଥିଲା । ଉକ୍ତଜମି ଉପରେ କେନ୍ଦୁ ଗଛ ଗୁଡିକୁ ମେସିନ ଲଗାଇ ସଫା କରାଯାଇଥିଲା । ପୋଖରୀ ଠାରୁ ପିଜୁଳି ଗଛ ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟହୋଇଥିବା ଅଭିଯୋଗ ହୋଇଥିଲା । ଏପଟେ ଉକ୍ତ ଜମିର କିସମ ଜଙ୍ଗଲ କିସମ ଥିବାରୁ ଉକ୍ତ ମାମଲା ଗ୍ରୀନ ଟ୍ରିବ୍ୟୁନାଲ ପର୍ଯ୍ୟନ୍ତ ଯାଇଥିଲା । ଯାହା ବର୍ତ୍ତମାନ ମଧ୍ୟ ସର୍ବୋଚ ନ୍ୟାୟାଳୟରେ ବିଚାରଧୀନ ଥିବା ବେଳେ ପୁଣି ଉକ୍ତ ଉଦ୍ୟାନ ବିଭାଗ ରେ ପିଜୁଳି ଫାର୍ମ ପାଇଁ( ଆଇଜିଏସ) ଭାରତୀୟ ଗ୍ରାମୀଣ ବିକାଶ ଏନଜିଓ ସହ ଜିଲା ପ୍ରଶାସନ ଚୁକ୍ତି କରି ଜିଲା ଖଣିଜ ପାଣ୍ଠିରୁ ବ୍ୟୟ ବରାଦ କରାଯାଇଛି । କିନ୍ତୁ ଉକ୍ତ ସଂସ୍ଥା କୋର୍ଡିନେଟର ଠାରୁ ବିଭିନ୍ନ ପଦ ପଦବିରେ ମନମୁଖି ନିତି ଆପଣାଇ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠିର ୩୫୦ ମହିଳା ମାନଙ୍କୁ ପିଜୁଳି ଫାର୍ମର ରକ୍ଷଣାବ୍ୟକ୍ଷଣ ଦାୟିତ୍ୱ ଦିଆଯାଇଛି । ପିଜୁଳିଫାର୍ମ ପାଇଁ ଜିଲା ଖଣିଜ ପାଣ୍ଠିରୁ ଉକ୍ତ ଏନଜିଓର ସମସ୍ତ କର୍ମଚାରୀ ଦରମା ନେବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ମହିଳା ସଙ୍ଘର ମହିଳାମାନଙ୍କ ସହ ଶ୍ରମିକ ବର୍ଗଙ୍କୁ ଜବ କାର୍ଡରେ କାମ ଆବେଦନ ପରେ କାମ ଯୋଗାଇ ଦେବାକୁ ଯୋଜନା କରାଯାଇଛି । ଫଳରେ ଲୋକେ ଉଦ୍ୟାନ ବିଭାଗରେ ସରକାରଙ୍କ ନିର୍ଦ୍ଧାରିତ ଦୈନିକ ମଜୁରି ପାଇବାରୁ ବଞ୍ଚିତ ହୋଇଆସୁଛନ୍ତି । ଅନ୍ୟପଟରେ ଏଠାକାର ସ୍ଥାନୀୟ ମୂଳଖମ୍ବ, ଦାମୋଦରପୁର, ମଙ୍ଗଳପୁର, ଇଚ୍ଛାପୁର, ବଉଳପାଳ, ବନ୍ଧଙ୍ଗା, ଗନ୍ଧାପାଳ, ପୂବଳ ଭଳି ଗ୍ରାମ ଗୁଡିକର ଦଳିତ, ଆଦିବାସୀ ପଛୁଆବର୍ଗ ଶ୍ରମିକଙ୍କୁ ଅଣଦେଖା କରି ଲୋକଙ୍କୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତିରେ କାର୍ଯ୍ୟ କରାଯିବାକୁ ଜବକାର୍ଡ ପ୍ରସ୍ତୁତ ଚାଲିଛି । ଉଦ୍ୟାନ ବିଭାଗରେ ପିଜୁଳି ଫାର୍ମକୁ ନେଇ ଗ୍ରୀନ ଟ୍ରିବୁ୍ୟନାଲ ସହ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ବିଚାରଧୀନ ଥିବାବେଳେ ପୁଣି ଜିଲା ଖଣିଜ ପାଣ୍ଠିରେ ଉକ୍ତ ବିବାଦୀୟ ଜମିରେ ପିଜୁଳି ବଗିଚାର ଯୋଜନା କରିବା ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ବୁଦ୍ଧିଜୀବୀଙ୍କୁ ଚକିତ କରୁଛି । ଆଇଜିଏସ ଏନଜିଓ ସହ ଜିଲା ପ୍ରଶାସନ ଜିଲା ଖଣିଜ ପାଣ୍ଠିକୁ ଚଳୁ କରିବାକୁ ଚୁକ୍ତି କରିଥିବା ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ସହ ଜିଲା ସିଭିଲ ସୋସାଇଟ ଉଦବେଗ ପ୍ରକାଶ କରି ଯାଜପୁର ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛି । ଉଦ୍ୟାନ ବିଭାଗରେ କାର୍ଯ୍ୟରତ ଶ୍ରମିକମାନଙ୍କ ଇଏସଆଇ, ଇପିଏଫ କାଟିବା ସହ ଦୈନିକ ସର୍ବନିମ୍ନ ମଜୁରୀ ଦେଇ କାର୍ଯ୍ୟ କରିବା ସହ ଜିଲା ଖଣିଜ ପାଣ୍ଠିର ଦୁରୂପଯୋଗକୁ ବନ୍ଦ କରି ଉକ୍ତ ଏନଜିଓ ଓ ଚୁକ୍ତିକୁ ରବ୍ଦ କରିବାକୁ ସିଭିଲ ସୋସାଇଟ ପକ୍ଷରୁ ବିଶ୍ୱନାଥ ପାତ୍ର, କ୍ଷୀରୋଦ ଦାସ, ବୁଲୁ ଯାଦବ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।